ନୂଆଦିଲ୍ଲୀ,୦୬/୦୨: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌  ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଦେଶରୁ ଅବୈଧ ପ୍ରବାସୀଙ୍କୁ ଖୋଜି ବିଦା କରୁଛନ୍ତି । ସଦ୍ୟ ଘଟଣାରେ  ଆମେରିକାରେ ବେଆଇନ ଭାବେ ରହୁଥିବା  ୧୦୪ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ପଠାଇ ଦିଆଯାଇଛି । ଆମେରିକାର ବାୟୁସେନା ବିମାନ ଯୋଗେ ସେମାନେ ପଞ୍ଜାବର ଅମୃତସର  ପହଞ୍ଚିଛନ୍ତି । ତେବେ ସେମାନଙ୍କର ଏହି ଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ଥିଲା । ସେମାନଙ୍କୁ  ଅତି ନିଷ୍ଠୁର ଭାବେ ବିଦା କରାଯାଇଛି । ଏଭଳି କିଛ ଫଟୋ ଏବଂ ଭିଡ଼ିଓ ସୋସିଆଲ ଭାଇରାଲ ହେବାରେ ଲାଗିଛି। 

ଏହାରି ଭିିତରେ ପିଆଇବି ପକ୍ଷରୁ ଏହି ଫଟୋକୁ ନେଇ ସ୍ପଷ୍ଟୀକରଣ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି। ଆମେରିକାରୁ ଅବୈଧ ଭାରତୀୟ ପ୍ରବାସୀଙ୍କୁ ବିଦା କରିବା ସମୟରେ କୌଣସି ହାତକଡ଼ି କିମ୍ବା ଗୋଡ଼ରେ ବେଡି ବନ୍ଧାଯାଇନଥିଲା। ଅନେକ ଫେକ୍ ଆକାଉଣ୍ଟ ଦ୍ବାରା ପ୍ରବାସୀଙ୍କ ହାତ ଏବଂ ଗୋଡ ବନ୍ଧା ନକଲି ଫଟୋ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଯାହା ସୋସିଆଲ ମିଡିଆରେ ବିଭ୍ରାନ୍ତ ସୃଷ୍ଟି କରିଛି।




ସୂଚନା ଅନୁଯାଇ, ବୁଧବାର ଆମେରିକାରୁ ଫେରିଥିବା ଭାରତୀୟଙ୍କ ହାତକୁ ହାତକଡ଼ି ଓ ଗୋଡ଼କୁ ଚେନ୍‌ରେ ବନ୍ଧାଯାଇଥିଲା । ଜଘନ୍ୟ ଅପରାଧୀ ଭଳି ସେମାନଙ୍କ ସହ ବ୍ୟବହାର ଦେଖାଯାଇଥିଲା । ବିମାନ ଅମୃତସରରେ ପହଞ୍ଚିବା ପରେ ସେମାନଙ୍କ ହାତକଡ଼ି ଓ ବେଡ଼ି ଖୋଲାଯାଇଥିଲା । ବେଆଇନ ପ୍ରବାସୀଙ୍କ ପ୍ରତି ଟ୍ରମ୍ପ୍‌ଙ୍କ ଏଭଳି ବ୍ୟବହାର ଅନେକଙ୍କୁ ବ୍ୟଥିତ କରିଛି । ନିଜ ଦେଶ ଓ ଲୋକଙ୍କୁ ଧନୀ ବନାଇବା ଆଳରେ ଟ୍ରମ୍ପ୍‌ ଅନ୍ୟମାନଙ୍କୁ ମଣିଷ ଭଳି  ଦେଖୁ ନ ଥିବା କିଛି ପ୍ରବାସୀ କହିଛନ୍ତି । 

ଆମେରିକାରୁ ପ୍ରତ୍ୟାର୍ପଣ ହୋଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ ଓ ହରିଆଣାର । ପୁଲିସ ଗାଡ଼ିରେ ସେମାନଙ୍କୁ ନିଜ ନିଜ ସହରରେ ପହଞ୍ଚଯାଇଛି । ନିଜ ସହରରେ ପହଞ୍ଚିବା ପରେ ଯଶପାଲ ସିଂହ ନାମକ ଜଣେ ପ୍ରବାସୀ କହିଛନ୍ତି,  ଆମେରିକାରେ ଆମକୁ ଗିରଫ କରାଯିବା ପରେ ହାତକଡ଼ି ପକାଯାଇଥିଲା । ଗୋଡ଼କୁ ଚେନରେ ବନ୍ଧାଯାଇଥିଲା । ଅମୃତସର ବିମାନବନ୍ଦରରେ ପହଞ୍ଚିବା ପରେ ହିଁ ଏହାକୁ ଖୋଲାଯାଇଥିଲା ।