ନୂଆଦିଲ୍ଳୀ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶନିବାର ଆମେରିକା ଏବଂ ଇରାନ ମଧ୍ୟରେ କୂଟନୈତିକ ଆଲୋଚନାର କୌଣସି ଫଳାଫଳ ବାହାରିନି।ତେବେ ଆଲୋଚନା ଚାଲିଥିବା ବେଳେ, ସେପେଟ ହର୍ମୁଜ ପ୍ରଣାଳୀରେ ସ୍ଥିତି ଖୁବ୍ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଆମେରିକୀୟ ଯୁଦ୍ଧଜାହାଜ ବିବାଦୀୟ ଜଳସୀମା ଦେଇ ପରିବହନ କରିବାକୁ ଚେଷ୍ଟା କରୁଥିଲେ, ଯାହା ଫଳରେ ଇରାନ ସାମରିକ ବାହିନୀ ସହିତ ମୁହାଁମୁହିଁ ହୋଇଥିଲେ। ଆମେରିକୀୟ ଖବରକାଗଜ ‘ଦ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦୁଇଟି ଆମେରିକୀୟ ନୌସେନା ଗାଇଡେଡ୍-ମିସାଇଲ୍ ବିଧ୍ୱଂସକ ଜାହାଜ ସମୁଦ୍ର ମାର୍ଗ ଦେଇ ପରିବହନ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ, ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (IRGC) ତାଙ୍କୁ କଡା ଚେତାବନୀ ଦେଇଥିଲା। ଜଣେ ନାଗରିକ ଜାହାଜ ଦ୍ବାରା ରେକର୍ଡ କରାଯାଇଥିବା ରେଡିଓ ମେସେଜ୍ରେ ଇରାନ ଫୋର୍ସକୁ କହିଛନ୍ତି ଯେ, ଫେରିଯାଅ, ନଚେତ ଟାର୍ଗେଟ କରାଯାଇପାରେ, ଏହା ଶେଷ ଚେତାବନୀ।’
ଏହାପରେ ଆମେରିକୀୟ ଜାହାଜ କହିଥିଲା ସେ ଅନ୍ତର୍ଜାତୀୟ ଆଇନ ଅନୁସାରେ, ଏହି ସମୁଦ୍ର ମାର୍ଗରେ ଯାଉଛନ୍ତି, କୌଣସି ପ୍ରକାର ଆକ୍ରମଣର ଯୋଜନା ନାହିଁ। ଏହା ସହ ଅସ୍ତ୍ରବିରତି ନିୟମର ପାଳନ କରିବୁ। ରିପୋର୍ଟ ଅନୁସାରେ, ଦୁଇ ଆମେରିକୀୟ ଯୁଦ୍ଧ ଜାହାଜ ବିନା କୌଣସି ବିବାଦରେ ହର୍ମୁଜ ପାର କରିବାରେ ସଫଳ ହୋଇଥିଲେ। ତେବେ ପ୍ରାୟ ୬ ସପ୍ତାହ ହେବ ଜାରି ଅସ୍ତ୍ରବିରତିରେ ଏହା ପ୍ରଥମ ଘଟଣା ଥିଲା, ଯେତେବେଳେ କୌଣସି ଆମେରିକୀୟ ଯୁଦ୍ଧପୋତ ଏହି ମାର୍ଗ ଦେଇ ବାହାରିବାକୁ ଚେଷ୍ଟା କରିଥିଲା। ଏହା ପୂର୍ବରୁ ଇରାନ ଏହି ସମୁଦ୍ର ରାସ୍ତାକୁ ପ୍ରଭାବୀ ଭାବରେ ବନ୍ଦ କରିଥିଲା।
Press TV Exclusive: US destroyers' Strait of Hormuz transit stunt failed, came close to destructionhttps://t.co/zVeCCKGJlO https://t.co/m348SyV1uz pic.twitter.com/KhKXTTwWA5
— Press TV 🔻 (@PressTV) April 12, 2026
ଇରାନ ଗତ କିଛି ସପ୍ତାହ ଧରି ଏହି ରାସ୍ତାରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସାହାଯ୍ୟରେ ଚାପ ବଜାୟ ରଖିଛି, ଯାହା ଫଳରେ ବିଶ୍ୱ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଅଶୋଧିତ ତୈଳ ଏହି ରାସ୍ତା ଦେଇ ଯୋଗାଣ ହୁଏ। ଆମେରିକାର ଯୁଦ୍ଧଜାହାଜର ଏହି କାର୍ଯ୍ୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ଯେ ଦୁଇଟି ଯୁଦ୍ଧଜାହାଜ, ୟୁଏସଏସ ଫ୍ରାଙ୍କ ଇ. ପିଟରସନ ଏବଂ ୟୁଏସଏସ ମାଇକେଲ ମର୍ଫି, ଇରାନ ଦ୍ୱାରା ବିଛାଯାଇଥିବା ମାଇନଗୁଡ଼ିକୁ ହଟାଇବା ପାଇଁ ସମୁଦ୍ର ପଥକୁ ବାଣିଜ୍ୟ ପାଇଁ ପୁନଃ ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। କମାଣ୍ଡର ଆଡମିରାଲ ବ୍ରାଡ୍ କୁପର କହିଛନ୍ତି, ଆମେରିକା ନୂଆ ସୁରକ୍ଷିତ ସମୁଦ୍ର ରାସ୍ତା ତିଆରି କରୁଛି। ଖୁବ୍ ଶୀଘ୍ର ବାଣିଜ୍ୟ ଜାହାଜ ଉପଲବ୍ଧ କରାଯିବ,ଯାହାଫଳରେ ବିଶ୍ବ ବାଣିଜ୍ୟ ସୁଚାରୁ ରୂପରେ ଚାଲିପାରିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ହର୍ମୁଜରେ ଇରାନ ନିୟନ୍ତ୍ରଣକୁ ସ୍ବୀକାର କରେନି।
ସେପଟେ ଇରାନ ଗଣମାଧ୍ୟମ ଦାବି କରିଛି, ତା’ର ସେନା ଏହି ପୁରା ଘଟଣାକ୍ରମରେ ସଂକ୍ଷିପ୍ତ ଉତ୍ତର ଦେଇଛି ଓ କହିଛି ଆମେରିକା ଜାହାଜକୁ ପଛକୁ ହଟାଇବାକୁ ବାଧ୍ୟ କରିଥିଲା। ଏହା ସହ କୁହାଯାଉଛି ଯେ, ଏଭଳି କାର୍ଯ୍ୟାନୁଷ୍ଠାନରେ ଇସଲାମାବାଦରେ ଚାଲିଥିବା ଆଲୋଚନାର ମଧ୍ୟ ପ୍ରଭାବ ଥିଲା। କିଛି ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇରାନ ହର୍ମୁଜ ପ୍ରଣାଳୀରେ ଏତେ ଅଜବ ଭାବରେ ଲ୍ୟାଣ୍ଡମାଇନ୍ ବିଛାଇଛି ଯେ ବର୍ତ୍ତମାନ ଇରାନ ନିଜେ ମଧ୍ୟ ସେମାନଙ୍କର ସଠିକ୍ ସ୍ଥାନ ବିଷୟରେ ଜାଣିପାରୁନି। ଏବେ ତାକୁ ହଟାଇବା ଖୁବ୍ କଷ୍ଟକର । ସାମୁଦ୍ରିକ ପଥ ଅବରୋଧ ଯୋଗୁଁ, ଜାହାଜଗୁଡ଼ିକ ଏବେ ଇରାନ ଜଳସୀମା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି, ଯେଉଁଠାରେ ଇରାନ ପ୍ରତି ଜାହାଜ ପାଇଁ ୨୦ ଲକ୍ଷ ଡଲାର ଶୁଳ୍କ ପ୍ରସ୍ତାବ ଦେଇଛି। ଏହି ଦାବିକୁ ଏହାର ୧୦-ସୂତ୍ରୀ ଆଲୋଚନା ସର୍ତ୍ତର ଏକ ଅଂଶ ବୋଲି କୁହାଯାଉଛି।
ଆହୁରି ପଢନ୍ତୁ : ଶେହବାଜ ରୋକି ପାରିବେନି ଆମେରିକା-ଇରାନ ଯୁଦ୍ଧ, ଏବେ ‘ଟ୍ରମ୍ପ କାର୍ଡ’ ବାହାର କରିବାକୁ ଯାଉଛନ୍ତି ୟୁଏସ୍ ରାଷ୍ଟ୍ରପତି