ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସିଜଫାୟାର ବା ଅସ୍ତ୍ରବିରତି ପାଇଁ ଆମେରିକାର ମଧ୍ୟସ୍ଥତାକୁ ନେଇ ପ୍ରଶ୍ନ ଉଠିଥିଲା । ଏପରିକି କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ଗ୍ରହଣ କରାଯିବନି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସେପଟେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି କରାଇଥିବାରୁ ପ୍ରଥମେ ପୋଷ୍ଟ କରି ନିଜକୁ ନିଜେ ସାବାସୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି । ଏହା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଥିବା ନେଇ ସ୍ପଷ୍ଟ କରାଯାଇଥିଲା । ଅସ୍ତ୍ରବିରତି ପ୍ରଥମେ ଟ୍ରମ୍ପ ପୋଷ୍ଟ କରିବା ଏବଂ ଏଥିରେ ଆମେରିକାର ମଧ୍ୟସ୍ଥତା କଥା କହିବା କଥାକୁ ଅନେକ ନାପସନ୍ଦ କରିଥିଲେ । ଆଉ ଏବେ ନିଜର ସ୍ବର ବଦଳାଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  

ଟ୍ରମ୍ପ କହିଛନ୍ତି ଯେ, ସେ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ଶାନ୍ତ କରିବାରେ ସାହାଯ୍ୟ କରିଥିଲେ, କିନ୍ତୁ ଏହା ମଧ୍ୟସ୍ଥତା ନଥିଲା ।  କତାରରେ ଆମେରିକୀୟ ସୈନିକଙ୍କୁ ସମ୍ୱୋଧନ କରି ଟ୍ରମ୍ପ କରିଛନ୍ତି, ‘ମୁଁ କହୁନି ଯେ ମୁଁ ଏହା କରିଛି, କିନ୍ତୁ ମୁଁ ନିଶ୍ଚିତ ଭାବରେ ଗତ ସପ୍ତାହରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଛି, ଯାହା ଦିନକୁ ଦିନ ଅଧିକ ତୀବ୍ର ହେଉଥିଲା ।’ ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତିକୁ ରୋକିବା ପାଇଁ ଭାରତ ଏବଂ ପାକିସ୍ତାନ ଉଭୟଙ୍କ ସହିତ ବାଣିଜ୍ୟ ବିଷୟରେ କଥା ହୋଇଥିଲେ । 

ଟ୍ରମ୍ପ କହିଛନ୍ତି, ପାକିସ୍ତାନ ଏବଂ ଭାରତ ଉଭୟ 'ବହୁତ ଖୁସି' ଏବଂ ଏବେ ବାଣିଜ୍ୟ ବିଷୟରେ କଥାବାର୍ତ୍ତା କରୁଛନ୍ତି । ସେମାନେ (ଭାରତ ଓ ପାକିସ୍ତାନ )୧୦୦୦ ବର୍ଷ ଧରି ଲଢ଼ୁଛନ୍ତି । ମୁଁ ଜାଣିନାହିଁ ଏହାକୁ ସମାଧାନ କରିପାରିବି କି ନାହିଁ । ଏହା ବହୁତ କଷ୍ଟକର ବିଷୟ ।’




ଉଲ୍ଲେଖଯୋଗ୍ୟ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୧୦ରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ଏହାକୁ ନେଇ ଟ୍ରମ୍ପ ସୋସିଆଲ୍ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ । ସେ କହିଥିଲେ, 'ଆମେରିକା ମଧ୍ୟସ୍ଥତାରେ ସାରା ରାତି ଆଲୋଚନା ପରେ, ମୁଁ ଏହା ଘୋଷଣା କରି ଅତ୍ୟନ୍ତ ଖୁସି ଅନୁଭବ କରୁଛି ଯେ ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଓ ତତ୍କାଳ ଅସ୍ତ୍ରବିରତି ପାଇଁ ସହମତ ହୋଇଛନ୍ତି । ଦୁଇ ଦେଶଙ୍କୁ ଶୁଭେଚ୍ଛା ।' ଆମେରିକା ଯୁଦ୍ଧବିରତିକୁ ଦୁଇ ଦେଶର ବୁଦ୍ଧିମତାର ପରିଚୟ ବୋଲି କହିଥିଲା । ତେବେ ଭାରତ ସରକାର ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଥିଲେ । ସରକାର ସ୍ପଷ୍ଟ କରିଥିଲେ ଯେ, ପାକିସ୍ତାନ ସହ ସୈନ୍ୟ ଉତ୍ତେଜନା ବେଳେ ଭାରତ ଓ ଆମେରିକା ମଧ୍ୟରେ ଚର୍ଚ୍ଚା ବେଳେ ବାଣିଜ୍ୟ ପ୍ରସଙ୍ଗ ଉଠାଯାଇ ନାହିଁ । 

ଟ୍ରମ୍ପଙ୍କ ବୟାନ ପରେ ଦେଶର ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ୧୯୭୨ ଶିମଲା ବୁଝାମଣାକୁ ଭାଙ୍ଗି ଥିବା ଅଭିଯୋଗ କରିଥିଲେ । ଏହି ବୁଝାମଣା ଅନୁସାରେ କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବିବାଦ ଏବଂ ଏହି ପ୍ରସଙ୍ଗରେ ତୃତୀୟ ପକ୍ଷର କୌଣସି ହସ୍ତକ୍ଷେପ ରହିବ ନାହିଁ । ଏହାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରକୁ ସମ୍ୱୋଧନ କରି କହିଥିଲେ ଯେ, ଭାରତ, ପାକିସ୍ତାନ ସହ କୌଣସି କଥାବର୍ତ୍ତା କରିବ ନାହିଁ । ପାକିସ୍ତାନ ସହ କେବଳ ଆତଙ୍କବାଦ ଓ ପିଓକେ ପ୍ରସଙ୍ଗରେ ଆଲୋଚନା ହେବ ।

ସେପଟେ ଆମେରିକା ହଠାତ୍ ଏକ ଅସ୍ତ୍ରବିରତି ଚୁକ୍ତିନାମା ସଂପର୍କରେ ଘୋଷଣା କରି ବିଶ୍ବକୁ ଚକିତ କରିଥିଲା । ଏବେ ଟ୍ରମ୍ପ୍ ନିଜେ ନିଜର ମନ୍ତବ୍ୟକୁ ସଂଶୋଧନ କରି କହିଛନ୍ତି ଯେ ସେ, କେବଳ ପରିବେଶକୁ ଶାନ୍ତ କରିବାରେ ସାହାଯ୍ୟ କରିଥିଲେ। ଯୁଦ୍ଧବିରତିରେ ତାଙ୍କର କୌଣସି ଭୂମିକା ନଥିଲା। ଟ୍ରମ୍ପଙ୍କ ଏହି ନୂତନ ବିବୃତ୍ତି ସ୍ପଷ୍ଟ କରିଛି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନିଷ୍ପତ୍ତି ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ। ଏଥିରେ ଆମେରିକାର କୌଣସି ଆନୁଷ୍ଠାନିକ ମଧ୍ୟସ୍ଥତା ନଥିଲା। ଏହା ଭାରତର ସେହି ନୀତିକୁ ମଧ୍ୟ ଦୃଢ଼ କରେ ଯେଉଁଥିରେ ସେ ସବୁବେଳେ କହିଆସିଛି ଯେ, ଭାରତ-ପାକିସ୍ତାନ ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ଭୂମିକା ରହିବ ନାହିଁ। ଏବେ ଟ୍ରମ୍ପ ମଧ୍ୟ ରାଜି ହୋଇଥିବାରୁ, ଏହାକୁ ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ବୋଲି ବିବେଚନା କରାଯାଉଛି ।