ନୂଆଦିଲ୍ଲୀ,୧୯/୦୮: ୱାଶିଂଟନ ସ୍ଥିତ ହ୍ବାଇଟ୍ ହାଉସରେ ଟ୍ରମ୍ପ୍-ଜେଲନସ୍କିଙ୍କ ଭେଟଘାଟ ହୋଇଛି । ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଏହି ବୈଠକ ପରେ ୟୁକ୍ରେନବାସୀଙ୍କ ମଧ୍ୟରେ ଯୁଦ୍ଧ ଦୁର୍ଦ୍ଦଶା ଦୂର ହେବା ନେଇ ଆଶା ସଞ୍ଚାର ହୋଇଛି । ଋଷ- ୟୁକ୍ରେନ୍ ମଧ୍ୟରେ ଖୁବଶୀଘ୍ର ଶାନ୍ତି ଚୁକ୍ତି ହୋଇପାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ମାମଲାରେ ଏକ ବଡ଼ ସଙ୍କେତ ଦେଇଛନ୍ତି । ଜେଲେନ୍ସ୍କିଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ କହିଛନ୍ତି, 'ମୁଁ ବହୁତ ଖୁସି, ଋଷ ରାଷ୍ଟ୍ରପତିଙ୍କ ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ରେ କଥା ହାେଇଛି । ଖୁବଶୀଘ୍ର ତ୍ରିପାକ୍ଷିକ ଆଲୋଚନା ହେବ । ସେପଟେ ୟୁକ୍ରେନ୍ରେ ଶାନ୍ତି ଫେରିଲେ ସେଠାରେ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି ଜେଲେନସ୍କି । ବୈଠକରେ ତ୍ରିପାକ୍ଷିକ ଆଲୋଚନା ନେଇ ସହମତି ହେବା ସହିତ ୟୁକ୍ରେନ୍କୁ ସୁରକ୍ଷା ଗ୍ୟାରେଣ୍ଟି ମିଳିଛି ।
ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ଇଟାଲୀ ଓ ଫିନଲାଣ୍ଡର ନେତାଙ୍କ ସମେତ ନାଟୋ ଓ ଇୟୁ ମୁଖ୍ୟମାନେ ଉପସ୍ଥିତ ଥିଲେ । ଜେଲେନ୍ସ୍କିଙ୍କ ସହ ଆଲୋଚନା ପରେ ଟ୍ରମ୍ପ ୟୁରୋପୀୟ ନେତାମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଏହା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ବୋଲି କହିଥିଲେ । ଜେଲେନ୍ସ୍କି ଓ ଅନ୍ୟ ୟୁରୋପୀୟ ନେତାଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧର ଅବସାନ ଘଟାଇବା ଅତି ସହଜ ହେବ ବୋଲି ସେ ଭାବୁଥିଲେ । କିନ୍ତୁ ଏହା ବହୁତ କଷ୍ଟକର ଲାଗୁଛି । ତେବେ ଜେଲେନ୍ସ୍କି ଚାହିଁଲେ ଯୁଦ୍ଧ ତୁରନ୍ତ ବନ୍ଦ ହୋଇପାରିବ । ଜେଲେନ୍ସ୍କି କହିଥିଲେ ସେ ଯୁଦ୍ଧ ବନ୍ଦ କରିବା ନେଇ ସେ ପୁଟିନଙ୍କ ସହ ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ସେ କୂଟନୈତିକ ରାସ୍ତା ଗ୍ରହଣ କରିବାକୁ ଚାହାନ୍ତି । ଆମେରିକା ଓ ରୁଷ ସହିତ ସେ ତ୍ରିପାକ୍ଷିକ ବୈଠକ କରିବାକୁ ଚାହାନ୍ତି ।
ଜେଲେନସ୍କି ଆହୁରି କହିଛନ୍ତି, ''ୟୁକ୍ରେନକୁ ପ୍ରତିଦିନ ରୁଷ୍ ଆକ୍ରମଣର ସାମ୍ନା କରିବାକୁ ପଡୁଛି । ଆମକୁ ଯୁଦ୍ଧ ରୋକିବାକୁ ହେବ । ରୁଷକୁ ରୋକିବାକୁ ହେବ । ଶାନ୍ତି ପାଇଁ ସୁରକ୍ଷା ଆବଶ୍ୟକ । ସେଥିପାଇଁ ସେ ଆମେରିକା ଓ ୟୁରୋପର ସାଥିଙ୍କ ସହଯୋଗ ଚାହୁଁଛନ୍ତି । କିନ୍ତୁ କୌଣସି ପରିସ୍ଥିତିରେ ନିଜ ଭୂମି ଅଦଳବଦଳ କରିବେ ନାହିଁ । ନିର୍ବାଚନ କରାଇ ନଥିବାରୁ ଜେଲେନ୍ସ୍କିଙ୍କୁ ଟ୍ରମ୍ପ ସମାଲୋଚନା କରିଥିଲେ । ତେବେ ଏହାର ଉତ୍ତରରେ ଜେଲେନ୍ସ୍କି କହିଥିଲେ ଯେ ଯୁଦ୍ଧ ଶେଷ ହେବା ପରେ ୟୁକ୍ରେନରେ ରାଷ୍ଟ୍ରପତି ନିର୍ବାଚନ ହେବ । ଯୁଦ୍ଧ ଜାରି ରହିଲେ ନିର୍ବାଚନ କରାଇବା ସମ୍ଭବ ନୁହେଁ । ''
ଟ୍ରମ୍ପ ପୁଣି ଥରେ ପୁଟିନ୍-ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ- ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଜେଲେନ୍ସ୍କିଙ୍କ ମଧ୍ୟରେ ସାକ୍ଷାତ ପରେ,'' ଆଉ ଏକ ବୈଠକ ହେବ । ଏଥିରେ ମିଟିଂରେ ତ୍ରିପାକ୍ଷିକ ଆଲୋଚନା ହେବ । ଟ୍ରମ୍ପ କହିଛନ୍ତି, "ଆମର ଆଉ ଏକ ବୈଠକ ହେବ ଯେଉଁଥିରେ ଜେଲେନସ୍କି-ପୁଟିନ୍ ଏବଂ ମୁଁ ସାମିଲ ହେବୁ । ପ୍ରାୟ ୪ ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ । ଉପରାଷ୍ଟ୍ରପତି ଜେଡି ଭାନ୍ସ, ବୈଦେଶିକ ସଚିବ ମାର୍କୋ ରୁବିଓ ଏବଂ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ ରୁଷ ଏବଂ ୟୁକ୍ରେନ ସହିତ ସମନ୍ୱୟ ସ୍ଥାପନ କରୁଛନ୍ତି । ''