ନୂଆଦିଲ୍ଲୀ,୨୮/୦୭:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଡ୍ରମ୍ପ  ବିଭିନ୍ନ ଦେଶ ବିରୋଧରେ ଯେସାକୁ  ତେସା ଟିକସ ଲାଗୁ କରିଛନ୍ତି । ଏହି ଟାରିଫ୍‌ ଲାଗୁ ହେବାର ସୀମା ଅଗଷ୍ଟ  ୧ ରହିଥିଲା । ତେବେ ଏହି ସୀମା  ଆଉ ବଢ଼ିବନି । ନୂଆ ଟାରିଫ ଅଗଷ୍ଟ  ୧ରୁ ଲାଗୁ ହେବ ବୋଲି ବାଣିଜ୍ୟ  ସଚିବ ହୋୱାର୍ଡ ଲୁଟନିକ କହିଛନ୍ତି । ଏ ନେଇ ଏଏଫ୍‌ପି ଏକ ରିପୋର୍ଟ  ପ୍ରକାଶ କରିଛି । 

ଲୁଟନିକ କହିଲେ, ଦେଶ  ଗୁଡ଼ିକ ପ୍ରତି ଆଉ କୋହଳ  ମନୋଭାବ ପୋଷଣ କରାଯିବନି ।  ଧାର୍ଯ୍ୟ ଟାରିଫ ହିଁ ଲାଗୁ ହେବ । ସୀମା  ଶୁଳ୍କ ଆଦାୟ କରିବା ଦିଗରେ ଆମେ  ଅଗ୍ରସର ହେବାକୁ ଯାଉଛୁ । ଏଭଳି  ସ୍ଥିତିରେ ଭାରତ ଭଳି ଦେଶ ଗୁଡ଼ିକ  ଲାଗି ଏହା ବିଶେଷ ଗୁରୁତ୍ୱ ବହନ  କରୁଛି । କାରଣ ଟାରିଫ୍‌ ଲାଗୁ  ହେବା ଆଗରୁ ଏକ ବାଣିଜ୍ୟ ଚୁକ୍ତି  ନେଇ ଭାରତ ଆଶାବାଦୀ ରହିଛି ।  ଆଉ ୨ ଦିନରେ ଭାରତ ବାଣିଜ୍ୟ  ଚୁକ୍ତି ନ କଲେ ଟାରିଫ ଲାଗୁ ହେବ । 

ପାଲଟା ଟାରିଫ୍‌ ଲାଗୁ ହେବାର  ଧାର୍ଯ୍ୟ ସୀମା ବଢ଼ିବ କି ନାହିଁ ସେ  ନେଇ ଟ୍ରମ୍ପ କିଛି ସ୍ପଷ୍ଟ କରି ନ ଥିଲେ ।  ତେବେ ବାଣିଜ୍ୟ ସଚିବଙ୍କ ସ୍ପଷ୍ଟୀକରଣ ପରେ ଦେଶ ଗୁଡ଼ିକ ବିରୋଧରେ  ଏହା ଲାଗୁ ହେବ ବୋଲି ପ୍ରାୟ ସ୍ପଷ୍ଟ  ହୋଇଛି । ଧାର୍ଯ୍ୟ ସୀମା ସରିବାର ୨  ଦିନ ଆଗରୁ ଲୁଟନିକ ଆଭାଷ ଦେଇଛନ୍ତି ଯେ, ମୂଳଭୂତ ଟାରିଫ୍‌ ୧୫%ରୁ କମ୍‌  ହୋଇ ନ ପାରେ । ଏହା ୧୦% ରହିବ ବୋଲି ଏପ୍ରିଲରେ କୁହାଯାଇଥିଲା । ତେବେ ଚୂଡ଼ାନ୍ତ ଟାରିଫ୍‌ ୧୫%ରୁ ୫୦%  ରହିପାରେ ।  

ଟ୍ରମ୍ପ ଘୋଷଣା କରିଥିବା ପାଲଟା ଟିକସ ସୀମା  ଜୁଲାଇ ୯ରୁ ଅଗଷ୍ଟ ୧କୁ ବୃଦ୍ଧି କରିଥିଲେ । ଗତ  କିଛି ସପ୍ତାହ ହେବ ଆମେରିକା ବ୍ରିଟେନ, ଜାପାନ,  ଇଣ୍ଡୋନେସିଆ, ଫିଲିଫାଇନ୍ସ ଭଳି ବିଭିନ୍ନ ଦେଶ  ସହ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିଛି । ଚଳିତ ମାସ ଆରମ୍ଭରେ ଟ୍ରମ୍ପ ବିଭିନ୍ନ ଦେଶକୁ ଟାରିଫ ସମ୍ପର୍କିତ ଚିଠି  ପଠାଇଥିଲେ । ଛୋଟ ଦେଶ ଗୁଡ଼ିକ ଉପରେ ୧୦% ରୁ ୧୫% ଟିକସ ଲାଗୁ କରିବା ଲାଗି ଟ୍ରମ୍ପ ଯୋଜନା ରଖିଛନ୍ତି । ରବିବାର ଟ୍ରମ୍ପ ୟୁରୋପୀୟ କମିସନର  ସଭାପତି ଉର୍ସୁଲା ଭନ୍‌ ଡେର୍‌ ଲାଏନଙ୍କୁ ସାକ୍ଷାତ  କରିଥିଲେ । ଏହି ଅବସରରେ ଟ୍ରମ୍ପ ୟୁରୋପୀୟ ସଂଘ  (ଇୟୁ ) ସହ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ନେଇ ଘୋଷଣା  କରିଛନ୍ତି । ଏହା ଉଭୟ ପକ୍ଷଙ୍କ ଲାଗି ଏକ ଭଲ ଡିଲ୍‌  ବୋଲି କହିଛନ୍ତି ଟ୍ରମ୍ପ । ସେହିଭଳି ଭନ୍‌ ଡେର୍‌ ଲାଏନ  ମଧ୍ୟ ଏହାକୁ ଉତ୍ତମ ଡିଲ୍‌ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।  

ଅତ୍ୟଧିକ ବାଣିଜ୍ୟିକ ଘାଟା ଥିବା ଦେଶ ଗୁଡ଼ିକ  ବିରୋଧରେ ବଡ଼ ଧରଣର ଟାରିଫ ଲାଗୁ କରିବା ଲାଗି  ଟ୍ରମ୍ପ ଦେଶ ସମୂହଙ୍କୁ ବାରମ୍ବାର ଧମକ ଦେଇଥିଲେ ।  ଏହା ମଧ୍ୟରେ ୟୁରୋପୀୟ ସଂଘରେ ଥିବା ଦେଶଗୁଡ଼ିକ  ମଧ୍ୟ ସାମିଲ ଥିଲେ । ତେବେ ଟାରିଫ ଲାଗୁ ହେବା  ଆଗରୁ ୟୁରୋପୀୟ ସଂଘ ଆମେରିକା ସହ ଡିଲ୍‌  କରିଛି । ଆମେରିକା ପକ୍ଷରୁ ଏହି ଚୁକ୍ତି ସମ୍ପର୍କରେ  ବିସ୍ତୃତ ସୂଚନା ଦିଆଯାଇନାହିଁ । ଏହା ଦ୍ୱାରା ୟୁରୋପୀୟ  ସଂଘ ଆମେରିକାକୁ ପଠାଉଥିବା ସାମଗ୍ରୀ ଉପରେ ୧୫%  ମୂଳଭୂତ ଟିକସ ଲାଗିବ ବୋଲି କୁହାଯାଉଛି । 

ସେହିଭଳି ଇୟୁ ଆମେରିକାଠାରୁ ପ୍ରତିରକ୍ଷା ଏବଂ ୧୫୦ ବିଲିୟନ ଡଲାରର ପେଟ୍ରୋଲିୟମ ସାମଗ୍ରୀ  କିଣିବ । ଆମେରିକାରେ ନିବେଶ, ନିଜ ଦେଶର  କୃଷିଜାତ ସାମଗ୍ରୀରେ ଆମେରିକା ବଜାର ସୁଯୋଗ  ଦେବ ଇୟୁ । ଚୁକ୍ତି ପରିସରରେ ଅଟୋମୋବାଇଲ  ଏବଂ ସେମିକଣ୍ଡକ୍ଟର ଚିପ୍‌କୁ ସାମିଲ କରାଯାଇଛି ।  ଇସ୍ପାତ ଏବଂ ଆଲୁମିନିୟମ ଉପରେ ଟିକସ ପୂର୍ବଭଳି  ସମାନ ରହିଛି ।