ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ୍ ହାଉସ ବାହାରେ ଜଣେ ସଶସ୍ତ୍ର ବ୍ୟକ୍ତିଙ୍କୁ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ମାନେ ଗୁଳି କରିଛନ୍ତି। ବର୍ତ୍ତମାନ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଛି। ଏହି ଘଟଣାଟି ରବିବାର ବିଳମ୍ବିତ ରାତିରେ (ସ୍ଥାନୀୟ ସମୟ) ଘଟିଛି। ଏହି ଘଟଣା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଥିଲେ।
ସିକ୍ରେଟ୍ ସର୍ଭିସର ମୁଖପାତ୍ର ଆଣ୍ଟୋନି ଗୁଗଲିଏଲମି ଏକ ବିବୃତ୍ତିରେ କହିଛନ୍ତି ଯେ, ସନ୍ଦିଗ୍ଧ ବ୍ୟକ୍ତି ହ୍ୱାଇଟ୍ ହାଉସ୍ ବାହାରେ ଏକ ଅସ୍ତ୍ର ହଲାଉଥିଲେ, ଯାହା ପରେ ସୁରକ୍ଷା ବାହିନୀ ତାଙ୍କୁ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ଘଟଣାର ତଦନ୍ତ ମେଟ୍ରୋପଲିଟାନ ପୋଲିସ ବିଭାଗର ଆଭ୍ୟନ୍ତରୀଣ ବ୍ୟାପାର ବିଭାଗର ତଦନ୍ତ ଦଳ ଦ୍ୱାରା କରାଯାଉଛି।
କୁହାଯାଉଛି ଯେ ଏହି ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଭଲ ନଥିଲା। ସ୍ଥାନୀୟ ପୋଲିସ ପୂର୍ବରୁ ସିକ୍ରେଟ୍ ସର୍ଭିସକୁ ସୂଚନା ଦେଇଥିଲା ଯେ ସେହି ବ୍ୟକ୍ତି ୱାଶିଂଟନ୍ ଡିସି ଆସୁଛନ୍ତି। ଏହା ପରେ, ସିକ୍ରେଟ ସର୍ବିସ୍ ଏଜେଣ୍ଟ ମାନେ ସେହି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଲେ।
ସିକ୍ରେଟ୍ ସର୍ଭିସ୍ ଏକ ବିବୃତ୍ତିରେ କହିଛି, "ଅଧିକାରୀ ମାନେ ତାଙ୍କ ପାଖକୁ ଯିବା ମାତ୍ରେ ସେହି ବ୍ୟକ୍ତି ବନ୍ଧୁକ ଦେଖାଇଲେ ଏବଂ ଏହା ପରେ ତାଙ୍କୁ ଏନକାଉଣ୍ଟର କରାଯାଇଥିଲା । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ କୌଣସି ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଆହତ ହୋଇ ନାହାଁନ୍ତି।