ନୂଆଦିଲ୍ଲୀ,୨୨।୭: ଭାରତ, ଚୀନ୍ ଏବଂ ବ୍ରାଜିଲକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଲିଣ୍ଡସେ ଗ୍ରାହାମଙ୍କ ଚେତାବନୀ। ରୁଷ ସହିତ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିବା ନେଇ ସେ ଏହି ସବୁ ଦେଶଙ୍କୁ ଚେତାବନୀ ଦେଇଛନ୍ତି। ଆମେରିକୀୟ ସିନେଟର ଲାଇଭ୍ ଟିଭିରେ କହିଛନ୍ତି ,ଯଦି ଏହି ତିନୋଟି ଦେଶ ରୁଷରୁ ତେଲ କିଣିବା ବନ୍ଦ ନ କରନ୍ତି, ତେବେ ସେମାନଙ୍କୁ ଆହୁରି ଅଧିକ ଶୁଳ୍କ ଦେବାକୁ ପଡିବ। ସେ କହିଛନ୍ତି, ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ଏହି ତିନୋଟି ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବ।
ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଲିଣ୍ଡସେ ଗ୍ରାହାମ ଦାବି କରିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ତୈଳ ଆମଦାନୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଯୋଜନା କରୁଛି। ସେ କହିଛନ୍ତି ଯେ ଭାରତ, ଚୀନ୍ ଏବଂ ବ୍ରାଜିଲ ରୁଷରୁ ୮୦ ପ୍ରତିଶତ ଅଶୋଧିତ ତୈଳ ରପ୍ତାନି କରନ୍ତି। ଆମେରିକୀୟ ସିନେଟର ଗ୍ରାହାମ ଲିଣ୍ଡସେ କହିଛନ୍ତି, ‘ଟ୍ରମ୍ପ୍ ଚୀନ୍, ଭାରତ ଏବଂ ବ୍ରାଜିଲ୍ ଉପରେ ଶୁଳ୍କ ଲଗାଇବାକୁ ଯାଉଛନ୍ତି, ଯେଉଁମାନେ ରୁଷରୁ ତେଲ କିଣୁଛନ୍ତି। ଯଦି ଆପଣ ଏହି ଯୁଦ୍ଧ ଜାରି ରଖିବା ପାଇଁ ଶସ୍ତା ତେଲ କିଣୁଛନ୍ତି, ତେବେ ଆମେ ଆପଣଙ୍କୁ ନଷ୍ଟ କରିଦେବୁ। ଆମେ ଆପଣଙ୍କ ଅର୍ଥନୀତିକୁ ଧ୍ୱଂସ କରିଦେବୁ। ଆପଣ (ଭାରତ, ଚୀନ୍ ଏବଂ ବ୍ରାଜିଲ୍) ଯାହା କରୁଛନ୍ତି ତାହା ବ୍ଲଡ ମନି ଏବଂ ପୁଟିନ୍ ଯେପର୍ଯ୍ୟନ୍ତ କେହି ତାଙ୍କୁ ଅଟକାଇ ନାହାନ୍ତି ସେପର୍ଯ୍ୟନ୍ତ ସେ ବନ୍ଦ କରିବେ ନାହିଁ।’
ଭାରତ, ଚୀନ୍ ଏବଂ ବ୍ରାଜିଲକୁ ଚେତାବନୀ ଦେଇ ସେ କହିଥିଲେ, ତୁମେ ବଡ଼ ଭୁଲ କରିଛ। ଏବେ ତୁମର ଅର୍ଥନୀତି ଭୁଶୁଡ଼ି ପଡ଼ିବ। ଆମେ ୟୁକ୍ରେନକୁ ଅସ୍ତ୍ର ପଠାଉଛୁ ଯାହା ଦ୍ୱାରା ୟୁକ୍ରେନ ପାଖରେ ପୁଟିନଙ୍କ ସହିତ ଲଢ଼ିବା ପାଇଁ ଅସ୍ତ୍ର ରହିବ। ପୁଟିନ ତାଙ୍କ ଅଧୀନରେ ନ ଥିବା ଦେଶଗୁଡ଼ିକୁ ଦଖଲ କରିବାକୁ ଚାହୁଁଛନ୍ତି। ୯୦ ଦଶକରେ, ୟୁକ୍ରେନ ୧୭୦୦ ପରମାଣୁ ଅସ୍ତ୍ର ଛାଡି ଦେଇଥିଲା ଏହି ପ୍ରତିଶ୍ରୁତି ସହିତ ଯେ ରୁଷ ଏହାର ସାର୍ବଭୌମତ୍ୱକୁ ସମ୍ମାନ କରିବ, କିନ୍ତୁ ପୁଟିନ ସେହି ପ୍ରତିଶ୍ରୁତି ଭାଙ୍ଗିଥିଲେ।" ଭାରତ ସବୁବେଳେ କହିଆସିଛି ଯେ ସେ ନିଜ ନାଗରିକଙ୍କ ମୌଳିକ ଆବଶ୍ୟକତାକୁ ଧ୍ୟାନରେ ରଖି ରୁଷରୁ ତେଲ କିଣିବା ବିଷୟରେ ନିଷ୍ପତ୍ତି ନେବ। ନିକଟରେ ମହାସଚିବ ମାର୍କ ରୁଟ୍ ଭାରତ, ଚୀନ୍ ଏବଂ ବ୍ରାଜିଲକୁ ଚେତାବନୀ ଦେଇଛନ୍ତି ଯଦି ସେମାନେ ରୁଷ ସହିତ ବାଣିଜ୍ୟ ଜାରି ରଖନ୍ତି ତେବେ ସେମାନଙ୍କ ଉପରେ କଟକଣା ଲଗାଯିବ।