ନୂଆଦିଲ୍ଲୀ ୦୯/୦୬: ଆମେରିକାରେ ଜଣେ ୧୯ ବର୍ଷୀୟା ଯୁବତୀ "ଡଷ୍ଟିଂ" ନାମକ ଏକ ଘାତକ ସୋସିଆଲ ମିଡିଆ ଟ୍ରେଣ୍ଡରେ ଅଂଶଗ୍ରହଣ କରି ମୃତ୍ୟୁବରଣ କରିଛନ୍ତି। ଆରିଜୋନାର ରେନା ଓ'ରୌର୍କ ଚାରି ଦିନ ICU ରେ ରହିବା ପରେ ଦୁନିଆକୁ ବିଦାୟ ଦେଇଛନ୍ତି। ଯୁବତୀଙ୍କ ବାପା-ମା’ କହିଛନ୍ତି ଯେ ସେ ଏବଂ ତାଙ୍କ ପ୍ରେମିକ ସେମାନଙ୍କ ଅଜାଣତରେ ଏରୋସୋଲ କିବୋର୍ଡ କ୍ଲିନର ଅର୍ଡର କରିଥିଲେ। କିବୋର୍ଡ କ୍ଲିନରକୁ ସୁଙ୍ଘିବା ପରେ, ଯୁବତୀ ହୃଦଘାତରେ ପୀଡିତ ହୋଇଥିଲେ। ଏହାପରେ ତାଙ୍କୁ ICUରେ ଏକ ସପ୍ତାହ ଚେତାଶୂନ୍ୟ ରହିବା ପରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଗଲା।

ଖବର ଅନୁସାରେ, ଯୁବତୀଙ୍କ ବାପା, ଆରୋନ୍ ଓ'ରୌର୍କ କହିଛନ୍ତି, "ସେ ସବୁବେଳେ କହୁଥିଲେ, 'ମୁଁ ଫେମସ୍‌ ହେବାକୁ ଯାଉଛି, ବାପା। ତୁମେ କେବଳ ଦେଖ। 'ମୁଁ ଫେମସ୍‌ ହେବାକୁ ଯାଉଛି,' ଏବଂ ଦୁର୍ଭାଗ୍ୟବଶତଃ, ଏସବୁ ଘଟିଗଲା।"

କ’ଣ ଏହି ଡଷ୍ଟିଂ?

"ଡଷ୍ଟିଂ," ଯାହାକୁ "କ୍ରୋମିଂ" କିମ୍ବା "ହଫିଂ" ମଧ୍ୟ କୁହାଯାଏ, ଏହା ଏକ ଭାଇରାଲ ଟ୍ରେଣ୍ଡ୍‌। ଯେଉଁଥିରେ ଲୋକ  ଅଧିକ ଅନଲାଇନ ଭ୍ୟୁଜ୍‌ ପାଇବା ପାଇଁ ସାଧାରଣ ଘରୋଇ କ୍ଲିନରକୁ ଶୁଙ୍ଘନ୍ତି। । ଏକ  କ୍ଲିନିକ୍ ଅନୁସାରେ, ଏହି ଅନୁଭବ କ୍ଷଣିକ ପାଇଁ ଆନନ୍ଦ ଦେଇପାରେ, କିନ୍ତୁ ଏହା ତୁରନ୍ତ, ମାରାତ୍ମକ କ୍ଷତି ମଧ୍ୟ କରିପାରେ, ପ୍ରାୟତଃ ଏହା ହୃଦଘାତର କାରଣ ହୋଇଥାଏ।