ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ବନ୍ଦ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛିରବିବାର ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଏ ପ୍ରସଙ୍ଗରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦୁଇ ଦେଶ ଏକ "ଗୁରୁତ୍ୱପୂର୍ଣ୍ଣ ଫ୍ରେମଓ୍ବାର୍କ ଚୁକ୍ତିନାମା"ରେ ପହଞ୍ଚିଛନ୍ତି, ଯାହା ଆମେରିକା ଦ୍ବାରା ଚୀନ୍ ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲଗାଇବା ଯୋଜନାକୁ ଭାଙ୍ଗିପାରେ । ଏହା ବ୍ୟତୀତ, ଚୀନ୍ ମଧ୍ୟ ବିରଳ ଖଣିଜ ପଦାର୍ଥ ଉପରେ ରପ୍ତାନି ନିୟନ୍ତ୍ରଣକୁ ମଧ୍ୟ ଅସ୍ଥାୟୀ ଭାବରେ ସ୍ଥଗିତ ରଖିପାରେ। ଏହି ବୁଝାମଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆସନ୍ତା ସପ୍ତାହରେ ହେବାକୁ ଥିବା ବୈଠକ ପୂର୍ବରୁ ଆସିଛି।

ଆମେରିକାର ଅର୍ଥ ସଚିବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,"ମୁଁ ଭାବୁନାହିଁ ଯେ ଆମକୁ ୧୦୦% ଶୁଳ୍କ ଲଗାଇବାକୁ ପଡ଼ିବ। ଏହା ବ୍ୟତୀତ, ମୁଁ ଆଶା କରୁଛି ଯେ ଚୀନ୍ ମଧ୍ୟ କିଛି ସମୟ ପାଇଁ ଏହାର ବିରଳ ଖଣିଜ ରପ୍ତାନି ନିୟନ୍ତ୍ରଣକୁ ସ୍ଥଗିତ ରଖିବ।" ସେ ଆହୁରି କହିଛନ୍ତି ଯେ, ଏହି ଫ୍ରେମ ଓ୍ବାର୍କ ମଧ୍ୟରେ, ଦୁଇ ଦେଶ ସନ୍ତୁଳିତ ବାଣିଜ୍ୟ, ଆମେରିକୀୟ କୃଷି ଉତ୍ପାଦ କ୍ରୟ ଏବଂ ଫେଣ୍ଟାନିଲ୍ ସଙ୍କଟ ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ।

ବେସାଣ୍ଟ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ସି ଜିନପିଙ୍ଗ ଚୁକ୍ତିନାମାର ଚୂଡ଼ାନ୍ତ ସର୍ତ୍ତାବଳୀ ଉପରେ ନିଷ୍ପତ୍ତି ନେବେ। ଦୁଇ ନେତା ଆସନ୍ତା ସପ୍ତାହରେ ଦକ୍ଷିଣ କୋରିଆରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ପୂର୍ବରୁ ଚେତାବନୀ ଦେଇଥିଲା ଯେ ଯଦି ଚୀନ୍ ବିରଳ ଚୁମ୍ବକ ଏବଂ ଖଣିଜ ପଦାର୍ଥ ଉପରେ ନିୟନ୍ତ୍ରଣ ଜାରି ରଖେ, ତେବେ ନଭେମ୍ବର ରୁ ନୂତନ ତିନି-ଅଙ୍କ ଶୁଳ୍କ ଲାଗୁ କରାଯିବ।