ନୂଆଦିଲ୍ଲୀ,୨୫/୦୪; ଇରାନ ଯୁଦ୍ଧ ଆମେରିକା ପାଇଁ କେତେ ମହଙ୍ଗା ପଡ଼ିଛି ତାହା ସଦ୍ୟ ଏକ ରିପୋର୍ଟରୁ ଆହୁରି ସ୍ପଷ୍ଟ ହୋଇଛି । ଚୀନ୍, ରୁଷ୍ ଭଳି ଦେଶ ପାଇଁ ସଂରକ୍ଷିତ ରଖିଥିବା ଘାତକ ଅସ୍ତ୍ର, ଷ୍ଟିଲ୍ଥ୍ କ୍ରୁଜ୍ ମିସାଇଲକୁ ଆମେରିକା ଇରାନରେ ବ୍ୟବାହାର କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଏବେ ଆମେରିକାର ଅସ୍ତ୍ରଭଣ୍ଡାର ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି ।
ରିପୋର୍ଟ ଅନୁସାରେ, ଆମେରିକା ପ୍ରାୟ ୧,୧୦୦ ଦୀର୍ଘ ଦୂରତା ବିଶିଷ୍ଟ ଷ୍ଟିଲ୍ଥ ମିସାଇଲ (ଜେଏଏସ୍ଏସ୍ଏମ୍-ଇଆର୍) ବ୍ୟବହାର କରିଛି । ଏହା ବିଶେଷକରି ଚୀନ୍ ବିରୋଧରେ ବ୍ୟବହାର କରାଯିବା ପାଇଁ ନିର୍ମାଣ କରାଯାଇଥିଲା । ଏଥିସହ ୧ ହଜାରରୁ ଅଧିକ ଟମ୍ହକ୍ ମିସାଇଲ, ୧,୨୦୦ରୁ ଊଦ୍ଧ୍ୱର୍ ପାଟ୍ରିୟଟ ମିସାଇଲ, ୧ ହଜାରରୁ ଅଧିକ ଅନ୍ୟ ଷ୍ଟ୍ରାଇକ୍ ମିସାଇଲ ବି ଆମେରିକା ଇରାନରେ ବ୍ୟବହାର କରିଛି । ଯୁଦ୍ଧରେ ପ୍ରାୟ ୨୮ରୁ ୩୫ ଅରବ ଡଲାର ଖର୍ଚ୍ଚ ହୋଇଛି । ଅର୍ଥାତ ଦିନକୁ ପ୍ରାୟ ୧ ଅରବ ଡଲାର । ୨ ସପ୍ତାହ ହେଲାଣି ଯୁଦ୍ଧ ବନ୍ଦ ଥିଲେ ହେଁ ଆମେରିକା କେତେ ଅସ୍ତ୍ର ବ୍ୟବହାର କରିଛି ତାର ତଥ୍ୟ ଦେଇନାହିଁ ।
ଆମେରିକା କହିବା ଅନୁସାରେ, ଇରାନର ପ୍ରାୟ ୧୩ ହଜାରରୁ ଉର୍ଦ୍ଧ୍ୱ ଟାର୍ଗେଟରେ ଆକ୍ରମଣ କରାଯାଇଛି । ଗୋଟିଏ ଟାର୍ଗେଟରେ ଏକାଧିକ ଥର ଆକ୍ରମଣ କରାଯାଇଛି । ତେଣୁ ଆକ୍ରମଣରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ସଂଖ୍ୟା ବେଶ୍ ଅଧିକ ହେବ । ଦୀର୍ଘ ଦୂରତା ବିଶିଷ୍ଟ ଜେଏଏସଏସଏମ ଇଆର୍ ମିସାଇଲର ବ୍ୟବହାର ଅଧିକ ମାତ୍ରାରେ କରାଯାଇଛି । ଏହି ମିସାଇଲ ୬୦୦ ମାଇଲରୁ ଅଧିକ ଦୂରକୁ ଟାର୍ଗେଟ କରିପାରିବ ଏବଂ ଶତ୍ରୁର ଏୟାର ଡିଫେନ୍ସରୁ ବର୍ତ୍ତି ଆକ୍ରମଣ କରିପାରିବ । ଇରାନ ଉପରେ ଆକ୍ରମଣ ପରେ ଆମେରିକାର ମିସାଇଲ ଭଣ୍ଡାର ଦ୍ରୁତଗତିରେ ହ୍ରାସ ପାଇଛି । ଏକ ଅଧ୍ୟୟନ ଅନୁସାରେ, ଏବେ ଆମେରିକା ପାଖରେ କେବଳ ୩ ହଜାର ଟମହକ୍ ମିସାଇଲ ହିଁ ବଳିଛି । ପାଟ୍ରିୟଟ ଇଣ୍ଟରସେପ୍ଟର ମିସାଇଲ ବି ହ୍ରାସ ପାଇଛି । ଏହି ମିସାଇଲର ଦାମ ପ୍ରାୟ ୪ ନିୟୁତ ଡଲାର । ୨୦୨୫ରେ ଆମେରିକା ଏହି ମିସାଇଲ ୬୦୦ଟି ବନାଇଥିଲା । କିନ୍ତୁ କେବଳ ଇରାନ ଯୁଦ୍ଧରେ ୧୨ ଶହରୁ ଅଧିକ ମିସାଇଲ ବ୍ୟବହାର ହୋଇଛି । ସେହିପରି ଥାଡ୍ ମିସାଇଲର ପ୍ରାୟ ଅଧା ଷ୍ଟକ୍ ସରିଆସୁଛି ।
ଏହା ବି ପଢନ୍ତୁ...US-Iran Talks: ବଢିଲା ଶାନ୍ତି ଆଶା; ପାକିସ୍ତାନରେ ଇରାନ ବୈଦେଶିକ ମନ୍ତ୍ରୀ ଅରାଘାଚି, ଟ୍ରମ୍ପ ଟିମ୍ ବି ପହଞ୍ଚିବେ
ଏହା ବ୍ୟତୀତ ୧ ହଜାରରୁ ଅଧିକ ପ୍ରିସିସନ୍ ଷ୍ଟ୍ରାଇକ୍ ଏବଂ ଏଟିଏସିଏମ୍ଏସ୍ ମିସାଇଲ ବି ଖର୍ଚ୍ଚ ହୋଇଛି । ପେଣ୍ଟାଗନ ଅନୁସାରେ, କିଛି ଜରୁରି ହତିଆର ପୂର୍ବରୁ ବି କମ୍ ଥିବାବେଳେ ଏବେ ତାହାର ଅଭାବ ବଢିଯାଇଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଯେତିକି ହତିଆର ଆମେରିକା ଇରାନରେ ଖର୍ଚ୍ଚ କରିଦେଇଛି ସେତିକି ପୁଣି ବନାଇବା ଲାଗି ଆମେରିକାକୁ ୨ରୁ ୪ ବର୍ଷ ସମୟ ଲାଗିପାରେ । ତେବେ ଆମେରିକା ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ନ ଥିବା ହ୍ୱାଇଟହାଉସ୍ ପକ୍ଷରୁ କୁହାଯାଇଛି ।