ନୂଆଦିଲ୍ଲୀ,୨୪/୧୨: H-1B ଭିସା ନିୟମରେ ବଡ଼ ପରିବର୍ତ୍ତନ। ସରିଲା ଲଟେରୀ ବ୍ୟବସ୍ଥା । ଏଣିକି ଅଧିକ ଦକ୍ଷତା ଏବଂ ଅଧିକ ଦରମା ଥିବା ଲୋକଙ୍କୁ ଦିଆଯିବ ପ୍ରାଥମିକତା। ତେବେ ମଙ୍ଗଳବାର ଦିନ ଆମେରିକାରେ କାମ କରିବାକୁ ଚାହୁଁଥିବା ବିଦେଶୀ ବୃତ୍ତିଗତଙ୍କ ପାଇଁ H-1B ଭିସାରେ ବଡ଼ ପରିବର୍ତ୍ତନ କରାଯାଇଛି। ଏପର୍ଯ୍ୟନ୍ତ, ଏକ ଅନିୟମିତ ଲଟେରୀ ବ୍ୟବସ୍ଥା ପ୍ରଚଳିତ ଥିଲା, କିନ୍ତୁ ଏହାକୁ ଉଚ୍ଛେଦ କରାଯାଇଛି। ଏହା ବଦଳରେ, ଏକ "ଓ୍ୱେଟେଡ୍ ସିଲେକ୍ସନ ପ୍ରୋସେସ " କାର୍ଯ୍ୟକାରୀ କରାଯିବ, ଯାହା ଉଚ୍ଚ-କୁଶଳୀ ଏବଂ ଅଧିକ ଦରମା ପାଉଥିବା ବିଦେଶୀ ବୃତ୍ତିଗତଙ୍କୁ ପ୍ରାଥମିକତା ଦେବ।
ଆମେରିକୀୟ କର୍ମତାରୀଙ୍କ ଚାକିରିକୁ ସୁରକ୍ଷା ଦେବା ପାଇଁ ଆମେରିକାର ଗୃହ ସୁରକ୍ଷା ବିଭାଗ ଦ୍ୱାରା ନୂତନ H-1B ଭିସା ନିୟମାବଳୀ ଜାରି କରାଯାଇଛି।ଗୃହ ସୁରକ୍ଷା ବିଭାଗ କହିଛି ଯେ, ପୁରୁଣା H-1B ଭିସା ଲଟେରୀ ବ୍ୟବସ୍ଥାର ବହୁ ଦିନ ଧରି ଅପବ୍ୟବହାର କରାଯାଉଛି। ଅନେକ ଆମେରିକୀୟ କମ୍ପାନୀ ଏହି ପ୍ରକ୍ରିୟାର ଫାଇଦା ଉଠାଇ କମ ଦରମାରେ ବିଦେଶୀ କର୍ମଚାରୀଙ୍କୁ ଆଣି ଆମେରିକୀୟ କର୍ମଚାରୀମାନଙ୍କୁ କ୍ଷତି ପହଞ୍ଚାଇଥିଲେ।
USCIS ମୁଖପାତ୍ର ମାଥ୍ୟୁ ଟ୍ରାଗେସର କହିଛନ୍ତି ଯେ, ଏହି ଅନିୟମିତ ବ୍ୟବସ୍ଥା କଂଗ୍ରେସର ମୂଳ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହେଉଛି। ନୂତନ ନିୟମ ନିଶ୍ଚିତ କରିବ ଯେ H-1B ଭିସା କେବଳ ଉଚ୍ଚ ଯୋଗ୍ୟତା ଏବଂ ଦରମା ସ୍ତର ଥିବା ବିଦେଶୀ ବୃତ୍ତିଗତମାନଙ୍କୁ ପ୍ରଦାନ କରାଯିବ।ନୂତନ ଚୟନ ବ୍ୟବସ୍ଥା ଆମେରିକୀୟ କମ୍ପାନୀଗୁଡ଼ିକୁ ଅଧିକ ଦରମାପ୍ରାପ୍ତ ଏବଂ ଉଚ୍ଚ ଦକ୍ଷ ବିଦେଶୀ ବୃତ୍ତିଗତମାନଙ୍କୁ ନିଯୁକ୍ତି ଦେବାକୁ ଉତ୍ସାହିତ କରିବ। ଏହା ଆମେରିକୀୟ କର୍ମଚାରୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ସହିତ ଆମେରିକାର ପ୍ରତିଯୋଗିତାମୂଳକତାକୁ ସୁଦୃଢ଼ କରିବ।
H-1B ଭିସା ସଂଖ୍ୟା ଅପରିବର୍ତ୍ତିତ ରହିଛି। ପ୍ରତିବର୍ଷ ୬୫,୦୦୦ H-1B ଭିସା ପ୍ରଦାନ କରାଯାଏ। ଆମେରିକାରେ ଉଚ୍ଚଶିକ୍ଷା ଡିଗ୍ରୀଧାରୀମାନଙ୍କ ପାଇଁ ଅତିରିକ୍ତ ୨୦,୦୦୦ ଭିସା ଉପଲବ୍ଧ ରହିଛି। ତେବେ ଏହି ନୂତନ ନିୟମ ଫେବୃଆରୀ ୨୭, ୨୦୨୬ ରୁ କାର୍ଯ୍ୟକାରୀ ହେବ ଏବଂ ଆର୍ଥିକ ବର୍ଷ ୨୦୨୭ H-1B କ୍ୟାପ୍ ପଞ୍ଜୀକରଣ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟକାରୀ ହେବ। DHS କହିଛି ଯେ, ଏହି ପରିବର୍ତ୍ତନ H-1B କାର୍ଯ୍ୟକ୍ରମର ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।