ନୂଆଦିଲ୍ଲୀ, ୫।୧: ବିମାନ ଯାତ୍ରା ସମୟରେ ପାୱାର ବ୍ୟାଙ୍କ ବ୍ୟବହାର ଉପରେ ପ୍ରତିବନ୍ଧକ ଜାରି କରାଯାଇଛି । ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ଉପରେ କଟକଣା ଲଗାଯାଇଛି । ଏହି ନିର୍ଦ୍ଦେଶନାମା ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ଏହି ନିର୍ଦ୍ଦେଶନାମା ସମସ୍ତ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣ ଉପରେ ଲାଗୁ ହେବ । ନିୟମ ନ ମାନିଲେ ଜୋରିମାନା ବି ଲାଗିପାରେ । ପାୱାର ବ୍ୟାଙ୍କଗୁଡ଼ିକୁ ଏୟାରଲାଇନ୍ସ ସିଟ୍ ପାୱାର ସପ୍ଲାଏ ସିଷ୍ଟମରେ ପ୍ଲଗ୍ କରି ଚାର୍ଜ କରିବା ଉପରେ କଟକଣା ଲଗାଯାଇଛି । ଡିଜିସିଏ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ବାଧ୍ୟତାମୂଳକ କରିଛି । ବିଶ୍ୱବ୍ୟାପୀ ଲିଥିୟମ ବ୍ୟାଟେରୀ ଅଧିକ ଗରମ ହେବା କିମ୍ବା ନିଆଁ ଲାଗିବା ସହିତ ଘଟିଥିବା ଘଟଣା ପରେ ଡିଜିସିଏ ଏଭଳି ନିୟମ ଲାଗୁ କରିଛି । ଏବେ ଉଡ଼ାଣ ସମୟରେ ଫୋନ୍ କିମ୍ବା ଅନ୍ୟାନ୍ୟ ଗ୍ୟାଜେଟ୍ ଚାର୍ଜ କରିବା ପାଇଁ ପାୱାର ବ୍ୟାଙ୍କ ବ୍ୟବହାରକୁ ନିଷେଧ କରିଛି, ଯେଉଁଥିରେ ବିମାନ ସିଟ୍ ପାୱାର ଆଉଟଲେଟ୍ ମଧ୍ୟ ଅନ୍ତର୍ଭୁକ୍ତ ।  

ନଭେମ୍ବର ମାସରେ ଜାରି ହୋଇଥିବା 'ବିପଜ୍ଜନକ ସାମଗ୍ରୀ ଆଡଭାଇଜରି ସର୍କୁଲାର'ରେ ଡିଜିସିଏ କହିଛି ଯେ, ପାୱାର ବ୍ୟାଙ୍କ ଏବଂ ଅତିରିକ୍ତ ବ୍ୟାଟେରୀଗୁଡ଼ିକୁ କେବଳ ହ୍ୟାଣ୍ଡ ଲଗେଜ୍‌ରେ ନେବାକୁ ଅନୁମତି ଦିଆଯିବ । ବିମାନର ଉପର ଭାଗରେ କମ୍ପାଟମେଣ୍ଟରେ ରଖିବାକୁ ଅନୁମତି ଦିଆଯିବ ନାହିଁ, କାରଣ ଏପରି ସ୍ଥାନଗୁଡ଼ିକରେ ନିଆଁ ଲାଗିଲେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର । ଡିଜିସିଏ କହିଛି ଯେ ଲିଥିୟମ୍ ବ୍ୟାଟେରୀ ଅଗ୍ନିକାଣ୍ଡ ଅତ୍ୟନ୍ତ ତୀବ୍ର ଏବଂ ଇଲେକ୍ଟ୍ରୋନିକ୍ ଡିଭାଇସଗୁଡ଼ିକୁ ମଧ୍ୟ ବିସ୍ଫୋରଣ କରିପାରେ । ବିମାନ କ୍ୟାବିନଗୁଡ଼ିକରେ ବ୍ୟାଟେରୀ ସମ୍ବନ୍ଧୀୟ ଅଗ୍ନିକାଣ୍ଡକୁ ରୋକିବା ଏବଂ କୌଣସି ଘଟଣା ଘଟିଲେ ତୁରନ୍ତ ଯାତ୍ରୀଙ୍କୁ ସୁରକ୍ଷା ଦେବା ଦିଗରେ ସୁନିଶ୍ଚିତ କରିବା ପାଇଁ ବିମାନ କମ୍ପାନୀଗୁଡ଼ିକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଡିଜିସିଏ ଉନ୍ନତ କ୍ରୁ ତାଲିମର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । କ୍ୟାବିନ୍ କ୍ରୁମାନେ ଅତ୍ୟଧିକ ଗରମ, ଧୂଆଁ କିମ୍ବା ଇଲେକ୍ଟ୍ରୋନିକ୍ ଉପକରଣରୁ ନିଆଁ ଭଳି ପ୍ରାରମ୍ଭିକ ସତର୍କତା ସଙ୍କେତଗୁଡ଼ିକୁ ଚିହ୍ନିବା, ସଠିକ୍ ଅଗ୍ନିନିର୍ବାପକ ଉପକରଣ ବ୍ୟବହାର କରିବା ଆଦି ତାଲିମ ନେବା ଆବଶ୍ୟକ । ବିମାନ କମ୍ପାନୀଗୁଡ଼ିକୁ ନିଶ୍ଚିତ କରିବାକୁ କୁହାଯାଇଛି ଯେ, ବିମାନରେ ଅଗ୍ନିନିର୍ବାପକ ଉପକରଣ ଆଦି ସହଜରେ ଉପଲବ୍ଧ କରାଯିବା ଉଚିତ୍ ।

​​​​​​​

ବିମାନବନ୍ଦରଗୁଡ଼ିକୁ ସୁରକ୍ଷା ସତର୍କତା ପ୍ରଦର୍ଶନ କରିବାକୁ ଅନୁରୋଧ:

ସଚେତନତା ପ୍ରସାର କରିବାରେ ବିମାନବନ୍ଦର ଅପରେଟରମାନଙ୍କୁ ମଧ୍ୟ ଭୂମିକା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିଜିସିଏ ବିମାନବନ୍ଦରଗୁଡ଼ିକୁ ଟର୍ମିନାଲ ପ୍ରବେଶ ପଥ, ଚେକ୍-ଇନ୍ କାଉଣ୍ଟର, ସୁରକ୍ଷା ଚେକ୍ ପଏଣ୍ଟ ଏବଂ ବୋର୍ଡିଂ ଗେଟ୍ଗୁଡ଼ିକରେ ଲିଥିୟମ ବ୍ୟାଟେରୀ ଅଗ୍ନିକାଣ୍ଡ ବିପଦ ସମ୍ପର୍କରେ ସ୍ପଷ୍ଟ ସୁରକ୍ଷା ବାର୍ତ୍ତା ଏବଂ ଭିଡିଓ ପ୍ରଦର୍ଶନ କରିବାକୁ କହିଛି ।