ଭୁବନେଶ୍ୱର, ୨୨/୦୩: ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା ଲାଗି ପଞ୍ଜୀକରଣ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁଙ୍କ ସୁବିଧାକୁ ନଜରରେ ରଖି ଅନ୍ଲାଇନରେ ଆଧାର ସହାୟତାରେ ହେଉଛି ଏହି ପଞ୍ଜୀକରଣ । ଯାତ୍ରୀ ସୁରକ୍ଷା ଏବଂ ସାର୍ବଜନୀନ ଦର୍ଶନକୁ ନଜରରେ ରଖି ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଉତ୍ତରାଖଣ୍ଡ ସରକାର । ଯାତ୍ରା ଲାଗି ଏହି ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ହୋଇଛି ।
ଶ୍ରଦ୍ଧାଳୁଙ୍କୁ ନିଜ ପଞ୍ଜୀକୃତ ତିଥିରେ ଦର୍ଶନ ସୁବିଧା ଉପଲବ୍ଧ ହେବ । ଏହା ସହ ଧାମ ଗୁଡ଼ିକରେ ଟୋକନ ସହ ଦର୍ଶନ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଯାତ୍ରୀ ସୁଲଭ ଦର୍ଶନର ଲାଭ ନେଇ ପାରିବେ । ବିନା ପଞ୍ଜୀକରଣରେ ଯାତ୍ରା ନ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।
ସୂଚନା ମୁତାବକ, ଯାତ୍ରୀଙ୍କ ଲାଗି ଆଧାର ପ୍ରାମାଣିତ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ପଞ୍ଜୀକରଣ ବେଳେ ଠିକ୍ ମୋବାଇଲ ନମ୍ବର, ଯାତ୍ରୀ ନିଜ ସହ ଛତା, ଗରମ କପଡା ଏବଂ ରେନକୋଟ ନେବାକୁ କୁହାଯାଇଛି । ସେହିଭଳି ଯାତ୍ରା ଅବଧିରେ ସ୍ୱାସ୍ଥ୍ୟ ଠିକ୍ ଥିବା ନେଇ ସୂଚନା ଦେବାକୁ କୁହାଯାଇଛି । ନିଜ ସହ ଔଷଧ, ଯାତ୍ରା ସ୍ଥଳର ସୁରକ୍ଷା ସୂଚନା ଏବଂ ଅନଧିକୃତ ବ୍ୟକ୍ତିଙ୍କ ଠାରୁ ସତର୍କ ରହିବା ଭଳି ଦିଗ ପ୍ରତି ସତର୍କ ରହିବାକୁ କୁହାଯାଇଛି।