ନୂଆଦିଲ୍ଲୀ: ଗୁଜୁରାଟର ଭଦୋଦରାରେ ବ୍ରିଜ୍ ଦୁର୍ଘଟଣା ପରେ ଏବେ ରାସାୟନିକ ଟ୍ୟାଙ୍କର୍ ଏକ ବଡ଼ ବିପଦ ସୃଷ୍ଟି କରିଛି। ଏହି ଟ୍ୟାଙ୍କର୍ ଏବେ ଭଙ୍ଗା ବ୍ରିଜ୍ ଉପରେ ଅଧା ଝୁଲୁଛି ଏବଂ ଯେକୌଣସି ସମୟରେ ଏହା ନଦୀକୁ ଖସି ପଡ଼ିପାରେ। ଏପରି ପରିସ୍ଥିତିରେ ପ୍ରଶାସନ ଏହି ଟ୍ୟାଙ୍କରକୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଯଦି ଏହି ଟ୍ୟାଙ୍କର୍ ତଳକୁ ଖସିଯାଏ, ତେବେ ନଦୀ ପାଣି ଦୂଷିତ ହୋଇପାରେ। ଏହା ନଦୀରେ ରହୁଥିବା ଜୀବଜନ୍ତୁଙ୍କୁ ମାରିପାରେ ଏବଂ ନଦୀ ପାଣି ବ୍ୟବହାର କରୁଥିବା ଲୋକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ସୂଚନାଥାଉକି, ଗତକାଲି (ବୁଧବାର) ସକାଳେ, ଗୁଜୁରାଟର ଭଦୋଦରା ଜିଲ୍ଲାରେ ମହିସାଗର ନଦୀ ଉପରେ ନିର୍ମିତ ପୋଲ ଭୁଶୁଡ଼ି ପଡ଼ିଥିଲା। ପାଦ୍ରା ସହର ନିକଟବର୍ତ୍ତୀ ଗମ୍ଭୀରା ଗ୍ରାମ ନିକଟରେ ଚାରି ଦଶନ୍ଧି ପୁରୁଣା ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ଅନେକ ଗାଡ଼ି ମହିସାଗର ନଦୀରେ ଖସି ପଡ଼ିଥିଲା। ଏହି ପୋଲ ଆନନ୍ଦ ଏବଂ ଭଦୋଦରା ଜିଲ୍ଲାକୁ ସଂଯୋଗ କରିଥାଏ
। ମୋଟ ଦୁଇଟି ଟ୍ରକ୍, ଦୁଇଟି କାର ଏବଂ ଗୋଟିଏ ଅଟୋ ରିକ୍ସା ନଦୀକୁ ଖସି ପଡିଥିଲା । ଦୁର୍ଘଟଣା ପରେ, ଅନେକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବର୍ତମାନ ସୁଦ୍ଧା ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀଙ୍କ ଅନୁଯାୟୀ ଏବେ ବି ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି।
ପୋଲ ଭୁଶୁଡ଼ିବା ଘଟଣାର ଦ୍ୱିତୀୟ ଦିନରେ, ରାସ୍ତା ଏବଂ କୋଠା ବିଭାଗର ବରିଷ୍ଠ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କମିଟିରେ ମୁଖ୍ୟ ଯନ୍ତ୍ରୀ ସି.ପି. ପଟେଲ ଏବଂ ଏନ.କେ. ପଟେଲ, ଅଧୀକ୍ଷଣ ଯନ୍ତ୍ରୀ କେ.ଏମ୍. ପଟେଲ, ଏମ୍.ବି. ଦେଶାଇ ଏବଂ ଏନ.ଭି. ରାଠୱା ମଧ୍ୟ ସାମିଲ ଅଛନ୍ତି। ଗୁରୁବାର ସକାଳୁ ମଧ୍ୟ ଏନଡିଆରଏଫ ସମେତ ଉଦ୍ଧାରକାରୀ ଦଳ ଗୁଡ଼ିକର ସନ୍ଧାନ ଅଭିଯାନ ଜାରି ରଖିଛନ୍ତି। ଗୁରୁବାର ସକାଳେ ଆଉ ଦୁଇଟି ମୃତଦେହ ଉଦ୍ଧାର ହେବା ସହିତ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୭ ରେ ପହଞ୍ଚିଛି। ଉଭୟ ମୃତଦେହକୁ ପାଦରା ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।