ନୂଆଦିଲ୍ଲୀ,୧୫।୬:  ଶ୍ରୀଲଙ୍କା- ଏ ବିପକ୍ଷ ଟ୍ରାଇ ସିରିଜରେ ଭାରତ-ଏ’ ସୁପର ଓଭରରେ ପରାଜିତ ହୋଇଛି। ସୋମବାର ଡାମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶ୍ରୀଲଙ୍କା-ଏ ସୁପର ଓଭରରେ ୧୬ ରନ୍ କରିଥିଲା। ଜବାବରେ ଭାରତ-ଏ କେବଳ ୧୦ ରନ୍ କରିପାରିଥିଲା। ଇଣ୍ଡିଆ-ଏ ପକ୍ଷରୁ ସୁପର ଓଭରର ସୂର୍ଯ୍ୟାଂଶ ଶେଡଗେ ଏବଂ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ ଦୁହେଁ ମ୍ୟାଚ୍ ଫିନିଶ କରିପାରିନଥିଲେ।

ଭାରତ  ବିପକ୍ଷରେ ଶ୍ରୀଲଙ୍କାର ବିଜୟ ପରେ, ପଡ଼ିଆରେ ଦେଖିବାକୁ ମିଳିଥିଲା ବିବାଦ। ଶ୍ରୀଲଙ୍କା ଖେଳାଳିମାନେ ଖୁସିରେ ସେଲିବ୍ରେସନ୍ କରିବା ବେଳେ ସ୍ଥିତି ବିଗିଡ଼ି ଯାଇଥିଲା। ବୈଭବ ସୂର୍ଯ୍ୟବଂଶୀ କୌଣସି କଥାକୁ ନେଇ ବିରକ୍ତ ହୋଇଗଲେ ଏବଂ ଶ୍ରୀଲଙ୍କାର ଜଣେ ଫିଲ୍ଡରଙ୍କ ସହ ଝଗଡ଼ା ହୋଇଗଲା। ଶେଡଗେ ଏବଂ ସାଥୀ ଖେଳାଳି ‘ବେବି ବସ୍’ ଙ୍କୁ ପଛକୁ ଟାଣି ନେଲେ, କିନ୍ତୁ ୧୫ ବର୍ଷୀୟ ବୈଭବ ପଡ଼ିଆ ଛାଡ଼ିବାର ମୁଡ୍ରେ ନଥିଲେ। ଏହାପରେ ଦୁଇ ଟିମ୍ ପରସ୍ପର ସହ ହାତ ମିଳାଇବା ପରେ ମ୍ୟାଚ୍ ଶେଷ ହୋଇଥିଲା।

ସୁପର ଓଭରରେ ଶ୍ରୀଲଙ୍କା ପାଇଁ କୁଗାଥାସ୍ ମାଥୁଲାନ୍ ବୋଲିଂ କରିଥିଲେ। ସୂର୍ଯ୍ୟାଂଶ ଶେଡଗେ ପ୍ରଥମ ବଲ୍ ରୁ ଦୁଇ ରନ୍ ଦେଇଥିଲେ, ସେଭଳି ଦ୍ୱିତୀୟଟି ଡଟ୍ ଥିଲା। ଏହା ପରେ ତୃତୀୟ ବଲ୍ ରୁ ଗୋଟିଏ ରନ୍ ଆସିଥିଲା। ବୈଭବ ସୂର୍ଯ୍ୟବଂଶୀ ଷ୍ଟ୍ରାଇକ୍ ରେ ଥିଲେ। ବୈଭବ ଚତୁର୍ଥ ବଲ୍ ରୁ ମାତ୍ର ଦୁଇଟି ରନ୍ କରିପାରି ଭାରତ ଟିମ୍  ଉପରେ ଚାପ ସୃଷ୍ଟି ହୋଇଥିଲା। ତା’ପରେ ସେ ପଞ୍ଚମ ବଲ୍ ରୁ ଚୌକା ମାରିଥିଲେ, ଏବଂ ଶେଷ ବଲ୍ ରୁ କୌଣସି ରନ୍ କରିପାରିନଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ଏ ୪୯.୨ ଓଭରରେ ୨୬୫ ରନ ସଂଗ୍ରହ କରିଥିଲା। ଭାରତ-ଏ ପାଇଁ ସୂର୍ଯ୍ୟାଂଶ ଶେଡଗେ ୭୨ ରନ ଏବଂ ବିପ୍ରଜ ନିଗମ ୫୧ ରନ ଯୋଗଦାନ ଦେଇଥିଲେ। ବୈଭବ ସୂର୍ଯ୍ୟବଂଶୀ କିଛି ଖାସ୍ କରିପାରିନଥିଲେ, ୨୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶ୍ରୀଲଙ୍କା ପାଇଁ ବିଜୟକାନ୍ତ ବ୍ୟାସକାନ୍ତ ଏବଂ ମହମ୍ମଦ ଶିରାଜ ତିନୋଟି ଲେଖାଏଁ ୱିକେଟ ନେଇଥିଲେ।

ଜବାବରେ, ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୬୫ ରନ୍ କରିଥିଲା, ଯାହା ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା। ଶ୍ରୀଲଙ୍କା ପାଇଁ ସାଦୀରା ସମରବିକ୍ରମା ୯୩ ରନ୍ କରିଥିଲେ, କିନ୍ତୁ ଶେଷ ଓଭରରେ ତାଙ୍କର ଆଉଟ୍ ହେବା ଦ୍ୱାରା ଆୟୋଜକ ଦଳକୁ ଅସୁବିଧାରେ ପକାଇଥିଲା। ଶ୍ରୀଲଙ୍କା ଇନିଂସର ଶେଷ ଓଭର ବୋଲିଂ କରିଥିଲେ ଅର୍ଶଦ ମାତ୍ର ୪ ରନ୍ ଦେଇଥିଲେ।