ନୂଆଦିଲ୍ଲୀ,୨୨/୦୬: ଦୁର୍ବଳ ଫର୍ମ, ଶ୍ରୀଲଙ୍କା ଖେଳାଳିଙ୍କ ସହ ମୁହାଁମୁହିଁ, ସମାଲୋଚନା ଓ ସୋସିଆଲ ମିଡିଆରେ ଟ୍ରୋଲ ବୈଭବ ସୂର୍ଯ୍ୟବଂଶୀକୁ ଦୁର୍ବଳ କରି ଦେଇ ନଥିଲା । ବରଂ ସେ ନିଜକୁ ପ୍ରସ୍ତୁତ କରୁଥିଲେ ଠିକଣା ସମୟରେ ଉଚିତ ଜବାବ ଦେବାକୁ । ସେ ସମୟ ଉପନୀତ ହେଲା, ୨୯ ବଲରୁ ୯୪ ରନର ବିସ୍ଫୋରକ ଇନିଂସ ଖେଳି ସମାଲୋଚକଙ୍କୁ ଦେଲେ କଡ଼ା ଜବାବ । ଏହି ଇନିଂସ ଖେଳି ସେ କେବଳ ବିପକ୍ଷ ଶ୍ରୀଲଙ୍କାକୁ ନୁହେଁ ବରଂ ସମସ୍ତଙ୍କୁ ଜଣାଇଦେଲେ ଯେ ସୂର୍ଯ୍ୟବଂଶୀ ସୂର୍ଯ୍ୟ ଭଳି ତେଜୀୟାନ । ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜର ଆଜି ଥିଲା ଫାଇନାଲ । ସାମ୍ନା ସାମ୍ନି ହୋଇଥିଲେ ଭାରତ ଏ’ ଓ ଶ୍ରୀଲଙ୍କା ଏ’ । ପୂର୍ବରୁ ଦୁଇ ଦଳ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ତେଣୁ ଟାଇଟଲ ଲଢ଼େଇ ବେଶ ଗରମା ଗରମ ରହିଥିଲା । ଭାରତ ଏ’ ପ୍ରଥମେ ବ୍ୟାଟିଂ କରିଥିଲା । ପୂର୍ବଭଳି ବୈଭବ ଓପନିଂ କଲେ । ପୂର୍ବ ମ୍ୟାଚ ଗୁଡ଼ିକରେ ଯଥାକ୍ରମେ ୧୪, ୪୪, ୨୧ ଓ ୩୮ ରନ କରି ସେ ଆଉଟ୍ ହୋଇଥିଲେ । ମୁଖ୍ୟ ପ୍ଲାଟଫର୍ମରେ ଯେ ସେ ବିଫଳ ହେଉଛନ୍ତି ସେନେଇ ତାଙ୍କୁ ସମାଲୋଚନା କରାଗଲା । କିନ୍ତୁ ଆଜି ବୈଭବ ଦେଖାଇଥିଲେ ଭୈରବ ମୂର୍ତ୍ତି । ଶ୍ରୀଲଙ୍କା ବୋଲରଙ୍କ ଲାଇନ ଲେଙ୍ଗ୍ଥ ବିଗାଡ଼ି ଦେଇଥିଲେ । ଲୟ କଥା ନକହିବା ଭଲ । ଅଣନିଶ୍ୱାସୀ ହୋଇଯାଇଥିଲେ ସେମାନେ । ଯେମିତି ପକାଇଲେ ବି ବୈଭବ ଛକା, ଚୌକା ବର୍ଷା କରୁଥିଲେ ।
ମାତ୍ର ୧୧ ବଲରୁ (୫ ଚୌକା, ୫ ଛକା) ସେ ଅର୍ଦ୍ଧଶତକ ପୂରଣ କଲେ । ୮.୫ ଓଭରରେ ଭାରତ ଏ’ ପ୍ରଥମ ୱିକେଟ୍ରେ ୧୩୨ ରନ କରିଥିଲା । ୧୦ଟି ଚୌକା ଓ ୮ଟି ଛକା ମାରି ଶେଷରେ ବୈଭବ ଆଉଟ୍ ହୋଇଥିଲେ । ଅଧିନାୟକ ତିଳକ ବର୍ମାଙ୍କ ଅର୍ଦ୍ଧଶତକ (୬୭) ସହ ଅନ୍ୟମାନଙ୍କ ସହଯୋଗ ଫଳରେ ଭାରତ ଏ’ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ରେ ୩୭୭ ରନ କରିଥିଲା । ଶ୍ରୀଲଙ୍କା ୪୭.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୩୧୧ ରନ କରିଥିଲା । ଭାରତ ଏ’ ୬୬ ରନ୍ରେ ବିଜୟୀ ହୋଇଥିଲା । ଦଳକୁ ଚାମ୍ପିଅନ କରାଇଥିବାରୁ ବୈଭବ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ଲିଷ୍ଟ ଏ’ କ୍ରିକେଟ୍ରେ ବୈଭବଙ୍କ ନାମରେ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ଯୋଡି ହୋଇଥିଲା । ପ୍ରଥମ ୧୧ ବଲରେ (୪,୪,୪,୬,୬,୦,୬,୪,୪,୬,୬) ସେ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍ ୩୨୪.୧୪ ରହିଥିଲା । ୨୦୦୫ରେ ଶ୍ରୀଲଙ୍କାର କୌଶଲ୍ୟା ବୀରରତ୍ନେ ୧୨ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ।
ଏହା ବି ପଢନ୍ତୁ...ବିଶ୍ବ ରେକର୍ଡ଼ ! ଏଭଳି କରିଥିବା ପ୍ରଥମ କ୍ରିକେଟର ହେଲେ ହରମନପ୍ରୀତ କୌର