ପୁରୀ,୨୦/୦୬: ରଥର ପାରାଭାଡ଼ି ପ୍ରସ୍ତୁତ କରିଛନ୍ତି ବିଶ୍ୱକର୍ମା । ରଥ ଖଳାକୁ ପଟା ଯୋଗାଯିବା ପରେ ପାରାଭାଡ଼ି କାର୍ଯ୍ୟ ଶେଷ ହୋଇଛି । ଦୁଇ ସ୍ତର ପୋଟଳ ମଝିରେ ପଟା ଦିଆଯାଇ ବକ୍ସ ଭଳି ‘ପାରାଭାଡ଼ି’ ତିଆରି କରାଯାଇଛି । ରଥର ୧୩ ପରସ୍ତ ପୋଟଳରୁ ୬ ଓ ୭ ନମ୍ବର ପୋଟଳ ହେଉଛି ‘ପାରାଭାଡ଼ି’ । ରଥର ଉପର ଅଂଶ ମଧ୍ୟରେ ଆକର୍ଷଣୀୟ ହେଉଛି ରଥର ପାରାଭାଡ଼ି । ଚିତ୍ରକରମାନେ ପାରାଭାଡ଼ିରେ ପାରା ଚିତ୍ର ଅଙ୍କନ କରିବେ । ପରେ ପାରାଭାଡ଼ି ରଥରେ ସ୍ଥାପନ ହେବ ।
ରଥର ଚନ୍ଦ୍ରଶାଳୀ ତିଆରି ହୋଇଛି । ଦୁଆରଘଡ଼ାର ଉପରଅଂଶ ହେଉଛି ଚନ୍ଦ୍ରଶାଳୀ । ରଥର ଚାରିପାଶ୍ୱର୍ରେ ୪ଟି ଦୁଆରଘଡ଼ା ଲାଗିବ । ଶୁକ୍ରବାର ରଥର କଳସ କାର୍ଯ୍ୟ ଆରମ୍ଭ ହୋଇଛି । କଳସର ପିଣ୍ଡି ତିଆରି କରିଛନ୍ତି ବିଶ୍ୱକର୍ମା । ହାଲୁକା କାଠରେ ତିଆରି ହେଉଛି ପିଣ୍ଡି । ରଥରେ ପଟା ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାରମାନେ ନାଟଗୋଡ଼ରେ କନ୍ଦର୍ପ ମୂର୍ତ୍ତି ତିଆରୁଛନ୍ତି ।
ଅଧିକ ପଢ଼ନ୍ତୁ :- Rath Khala Update: ରଥ କୋଣଗୁଜ, ଚାରିନାହାକାରେ ସମେତ ବିଭିନ୍ନ ଅଂଶରେ ଫାଟ, ପ୍ରଚଣ୍ଡ ଖରାଯୋଗୁ କଞ୍ଚା କାଠ ସଙ୍କୁଚିତ
କମାର ସେବକମାନେ କଳସ ଓ ଦୁଆରଘଡ଼ା କଣ୍ଟା ସହ ରଥରେ ଲାଗିବାକୁ ଲୁହା ପ୍ଲେଟ୍ ଓ କ୍ଲାମ୍ପ ତିଆରିଛନ୍ତି । ଚିତ୍ରକର ସେବକମାନେ ପାଶ୍ୱର୍ଦେବଦେବୀ ଓ ଶିଖରଡମ୍ବରୁ ଆଦି ରଙ୍ଗ କରୁଛନ୍ତି । ରଥର ଚକ, ଦଣ୍ଡା ଓ ଯୋକା ଆଦି ରଙ୍ଗ ଚାଲିଛିି । ଯୋକ ଭଳି ରଥର ବିଭିନ୍ନ ଅଂଶକୁ କାମୁଡ଼ି ଧରିବାରେ ଏହାର ନାମ ହୋଇଛି ଯୋକା । ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ।