ପୁରୀ,୧୯/୦୬: ରଥର କୋଣଗୁଜ ଓ ଚାରିନାହାକାରେ ଫାଟ ସ୍ପଷ୍ଟଦେଖାଯାଉଛି । ରଥର ସୁରକ୍ଷାକବଚ ହେଉଛି କୋଣଗୁଜ । ବିଶ୍ୱକର୍ମାମାନେ ଗୁଜ ତିଆରିଲାପରେ ଏଥିରେ ରୂପକାରମାନେ ନୃସିଂହଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ କରିଥିଲେ । ସେଥିରେ ସିଂହବିରାଳ ମୂର୍ତ୍ତି ଖୋଦେଇ ପରେ ଗୁଜ ସ୍ଥାପନ ହୋଇଥିଲା । ଏବେ ରଥରେ ସ୍ଥାପନ ହୋଇଥିବା କୋଣ ମଗୁଜରେ ଫାଟ ଦେଖାଯିବାରେ ଚିତ୍ର କରିବା ପାଇଁ ଚିନ୍ତାପଡ଼ିଛି । ସେହିଭଳି ଚାରିନାହାକା ସମେତ ବିଭିନ୍ନ ଅଂଶରେ ଫାଟ ଦେଖିବାକୁ ମିଳିଛି ।

ନନ୍ଦିଘୋଷ ରଥର ପ୍ରମୁଖ ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର କୁହନ୍ତି ରଥର ଗୁଜରେ ଫାଟ ହେବାରେ ମୂତ୍ତି ସରଳ ରେଖାରେ ଫାଟିଛି । ପ୍ରଚଣ୍ଡ ଖରାଯୋଗୁ କଞ୍ଚା କାଠ ସଙ୍କୁଚିତ ହୋଇ ଫାଟସୃଷ୍ଟି ହୋଇଛି । ଚଳିତ ବର୍ଷ ଏକ ମାସଅଧିକ ମିଳିଥିବାରେ ଆମ ରୂପକାର ସେବକମାନେ ବଡ଼ ନିଷ୍ଠାରେ ଆହୁରି ସୁନ୍ଦରକରି ନିଖୁଣ କାର୍ଯ୍ୟ କରିଥିଲେ । ସିଂହବିରାଳମୂର୍ତ୍ତିରେ କିରିଟ ଓ ଅଳଙ୍କାର ଆଦି କାର୍ଯ୍ୟ ହୋଇଥିଲା । ଏବେ ମୂର୍ତ୍ତିରେ  ଫାଟିଯିବାରେ ରଙ୍ଗ କାର୍ଯ୍ୟରେ ଅଧିକ ପରିଶ୍ରମ ହେବ । ଆମେ ଚିତ୍ରକର ସେବକ ଭାଇଙ୍କୁ ଅନୁରୋଧ କରିଛୁ ବିଶେଷ ଧ୍ୟାନ ଦେବାକୁ ।

ଅଧିକ ପଢ଼ନ୍ତୁ :- Rath Khala Update: ଧ୍ୱଜବତାରେ ଲାଗିବ ଆଜ୍ଞାମାଳ, ଖଳାରେ ପାରାଭାଡ଼ି ତିଆରି ଜାରି

ଚିତ୍ରକର ସେବକ କୁହନ୍ତି, ଏହି ଫାଟକୁ ଅଠା ଓ ପୁଟୁଣି ଦେଇ ଚିକ୍କଣ କରାଯିବା ପରେ ରଙ୍ଗ କାର୍ଯ୍ୟ ହେବ । ଠାକୁରଙ୍କ ରଥକୁ ରଙ୍ଗ ଦେଇ ସୁନ୍ଦର କରିବାକୁ ଅଛି । ଫାଟ ହେଲେ ମଧ୍ୟ ତାହାକୁ ରଙ୍ଗ କରିବାରେ ବିଶେଷ ଯତ୍ନ କରାଯିବ । ଭୋଇ ସର୍ଦ୍ଦାରରବି ଭୋଇ କୁହନ୍ତି ସେଭଳି କୌଣସି ଆଖିଦୃଷ୍ଟିଆ ଫାଟ ମୁଁ ଦେଖି ନାହିଁ । ଅଭିଜ୍ଞ ବିଶ୍ୱକର୍ମା କୁହନ୍ତି ରଥର ଅନେକ ସ୍ଥାନରେ ଅଳ୍ପ ଅଳ୍ପ ଫାଟ ଦେଖାଯାଉଛି ।ସେସବୁ କାଠ ସୁଖିବା ଦ୍ୱାରା ହୋଇଛି ।ଏଥିରେ ରଥର ମଜଭୁତିକୁ କୌଣସି ଆଞ୍ଚଆସିବନି । ମୋଟା କାଠକୁ ହାଣି ମାପଅନୁସାରେ କାଟିବା ଓ କଞ୍ଚା କାଠ ଶୁଖିବା ହେତୁ ଏଭଳି ଦିଶୁଛି । ହେଲେ ଏଥିରେ ରଥକୁ କୌଣସି ହାନି ନଥିବା ସେ କହିଛନ୍ତି ।