ନୂଆଦିଲ୍ଲୀ,୧୭/୦୪; କ୍ୟାଣ୍ଡିଡେଟ୍ସ ୨୦୨୬ର ମହିଳା ବର୍ଗରେ ଭାଗ ନେଇଥିବା ୮ଜଣଙ୍କ ମଧ୍ୟରେ ସବୁଠୁ ନିମ୍ନ ମାନ୍ୟତାପ୍ରାପ୍ତ ଖେଳାଳି ଥିଲେ ଡବ୍ଲ୍ୟୁଜିଏମ୍ ବୈଶାଳୀ । ସେ ଫିଡେ ମାନ୍ୟତା ତାଲିକାରେ ୧୮ତମ ସ୍ଥାନରେ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚୀନ ତାରକା ଝୁ ଜିନର ଦ୍ୱିତୀୟ, ଟାନ୍ ଝୋନଗୀ ଷଷ୍ଠ, ଆଲେକସାନ୍ଦ୍ରା ଗୋର୍ୟାଚକିନା ସପ୍ତମ, ଆନ୍ନା ମୁଜିଚୁକ ଅଷ୍ଟମ, ବିବିସାରା ଆସାଉବାୟେଭା ନବମ, କାଟେରିନା ଲାଗ୍ନୋ ଦଶମ, ଦିବ୍ୟା ଦେଶମୁଖ ୧୨ତମ ମାନ୍ୟତାପ୍ରାପ୍ତ ଖେଳାଳି ରହିଥିଲେ । ମାତ୍ର ବୈଶାଳୀ ସମସ୍ତଙ୍କୁ ପଛରେ ପକାଇ ଚାମ୍ପିଅନ୍ ହୋଇଥିଲେ । ଭାରତୀୟ ଗ୍ରାଣ୍ଡମାଷ୍ଟର କୁନେରୁ ହମ୍ପି ଓହରିଯିବା ପରେ ଝୋନଗୀ ତାଙ୍କ ସ୍ଥାନରେ ଖେଳିବାକୁ ସୁଯୋଗ ପାଇଥିଲେ । ଗତ ବର୍ଷ ଫିଡେ ମହିଳା ଗ୍ରାଣ୍ଡ୍ ସ୍ୱିସ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇ ବୈଶାଳୀ କ୍ୟାଣ୍ଡିଡେଟ୍ସକୁ ଯୋଗ୍ୟତା ଅର୍ଜନ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟରେ ଲାଗ୍ନୋ ରନର୍ସ ଅପ୍ ହୋଇଥିଲେ । କ୍ୟାଣ୍ଡିଡେଟ୍ସର ପ୍ରଥମ ୪ଟି ରାଉଣ୍ଡରେ ବୈଶାଳୀ ଡ୍ର’ କରିଥିଲେ । ପଞ୍ଚମ ରାଉଣ୍ଡରେ ସେ ଜିନରଙ୍କ ଠାରୁ ପରାଜିତ ହୋଇଥିଲେ । ମାତ୍ର ପରବର୍ତ୍ତୀ ୨ଟି ରାଉଣ୍ଡରେ ସେ ଯଥାକ୍ରମେ ଲାଗ୍ନୋ ଓ ଝୋନଗୀଙ୍କୁ ହରାଇ ମିଳିତ ଶୀର୍ଷ ସ୍ଥାନକୁ ଫେରିଥିଲେ । ଅଷ୍ଟମ ରାଉଣ୍ଡରେ ବିବିସାରାଙ୍କ ବିପକ୍ଷରେ ଡ୍ର’ କରିବା ପରେ ନବମ ରାଉଣ୍ଡରେ ଦିବ୍ୟାଙ୍କୁ, ୧୧ତମ ରାଉଣ୍ଡରେ ଗୋର୍ୟାଚକିନାଙ୍କୁ ହରାଇ ଟାଇଟଲ୍ ଆଶା ଉଜ୍ଜୀବିତ କରିଥିଲେ । ୧୨ତମ ରାଉଣ୍ଡରେ ଜିନରଙ୍କଠୁ ପରାଜିତ ହେବା ପରେ ବୈଶାଳୀ ଚାପରେ ପଡ଼ି ଯାଇଥିଲେ । ଏହାପରେ ସେ ୧୩ତମ ରାଉଣ୍ଡରେ ଡ୍ର’ କରିଥିଲେ ଏବଂ ୧୪ତମ ରାଉଣ୍ଡରେ ଲାଗ୍ନୋଙ୍କୁ ହରାଇ ଚାମ୍ପିଅନ୍ ହେବା ସହ ବିଶ୍ୱ ଚାମ୍ପିଅନସିପ୍ ଫାଇନାଲକୁ ଯୋଗ୍ୟତା ହାସଲ କରିଥିଲେ ।
ଏହା ବି ପଢନ୍ତୁ...FIDE Candidates; ଇତିହାସ ରଚିଲେ ବୈଶାଳୀ, ଫିଡେ ମହିଳା କ୍ୟାଣ୍ଡିଡେଟ୍ସ ଜିତିବାରେ ପ୍ରଥମ ଭାରତୀୟ
ସାରା ଭାରତ ଆଇପିଏଲ୍ ରୋମାଞ୍ଚରେ ମସଗୁଲ ରହିଥିବାବେଳେ ସବୁ ଆଲୋଚନାଠୁ ଦୂରରେ ରହି ଇତିହାସ ରଚିଛନ୍ତି ଭାରତୀୟ ଚେସ୍ ଖେଳାଳି ତଥା ଗ୍ରାଣ୍ଡମାଷ୍ଟର ଆର ବୈଶାଳୀ । ସାଇପ୍ରସରେ ଚାଲିଥିବା କ୍ୟାଣ୍ଡିଡେଟ୍ସ ଚେସ ଚାମ୍ପିଅନସିପର ମହିଳା ବର୍ଗରେ ଚାମ୍ପିଅନ୍ ହୋଇ ବୈଶାଳୀ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଟାଇଟଲ ଲଢେଇରେ ସେ ଡିଫେଣ୍ଡିଂ ଚାମ୍ପିଅନ ଚୀନର ଜୁ ୱେନଜୁନଙ୍କୁ ଭେଟିବେ । ପ୍ରଥମ ଭାରତୀୟ ମହିଳା ଚେସ୍ ଖେଳାଳି ଭାବେ ବୈଶାଳୀ କ୍ୟାଣ୍ଡିଡେଟ୍ସ ଚେସ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି ଓ ଦ୍ୱିତୀୟ ଭାରତୀୟ ମହିଳା ଖେଳାଳି ଭାବେ ବିଶ୍ୱ ଚାମ୍ପିଅନ୍ସିପ ଟାଇଟଲ ପାଇଁ ଯୋଗ୍ୟତା ଲାଭ କରିଛନ୍ତି । ତାଙ୍କ ପୂର୍ବରୁ ଗ୍ରାଣ୍ଡ ମାଷ୍ଟର କନେରୁ ହମ୍ପି ପ୍ରଥମ ଭାରତୀୟ ମହିଳା ଭାବେ ୨୦୧୧ରେ ବିଶ୍ୱ ଚାମ୍ପିଅନ୍ସିଫ ଫାଇନାଲ ଖେଳିଥିଲେ । ବୈଶାଳୀ ଏହି ଐତିହାସିକ ସଫଳତା ସହିତ ମହିଳା ବିଶ୍ୱ ଚେସ୍ ପ୍ରତିଯୋଗିତା ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ବିଶ୍ୱ ମୁକୁଟ ଲଢେଇରେ ତାଙ୍କ ସମ୍ମୁଖରେ ରହିଛନ୍ତି ବିଜୟିନୀ ଚୀନର ଜୁ ୱେଜୁଁ ।