ନୂଆଦିଲ୍ଲୀ,୧୦/୦୮: ଉତ୍ତର ପ୍ରଦେଶର ବାରାଣସୀରେ ଅଘଟଣ । ଆତ୍ମା ବିଶେଶ୍ୱର ମନ୍ଦିରରେ ଆରତୀ ସମୟରେ ଅଗ୍ନିକାଣ୍ଡ । ଫଳରେ ପୁରୋହିତଙ୍କ ସମେତ ନଅ ଜଣ ପୋଡ଼ି ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସମସ୍ତଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଚୌକ ଥାନା ଅଞ୍ଚଳରେ ଥିବା ଆତ୍ମା ବିଶେଶ୍ୱର ମନ୍ଦିରରେ ଗତକାଲି ସନ୍ଧ୍ୟା ଆରତୀ ଚାଲିଥିଲା । ସେହି ସମୟରେ ଏକ ଦୀପ ସଜା ହୋଇଥିବା ଜିନିଷ ଉପରେ ପଡିଯାଇଥିଲା । ଯାହା ଫଳରେ ମନ୍ଦିରରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ସମୟରେ ମନ୍ଦିରରେ ଶହ ଶହ ଭକ୍ତ ଉପସ୍ଥିତ ଥିଲେ। ଏହି ଦୁର୍ଘଟଣାରେ ପୁରୋହିତଙ୍କ ସମେତ ନଅ ଜଣ ଭକ୍ତ ଆହତ ହୋଇଥିବା ଜଣାପଡ଼ିଛି। ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ଡିଏମ୍ ସମେତ ଅନେକ ଉଚ୍ଚ ପଦାଧିକାରୀ ହସ୍ପିଟାଲରେ ପହଞ୍ଚିଥିଲେ। ଅଗ୍ନିକାଣ୍ଡ ଘଟଣାରେ ଆହତଙ୍କ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ପ୍ରଥମେ ଡିଭିଜନାଲ ହସ୍ପିଟାଲ ଏବଂ ପରେ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।