ନୂଆଦିଲ୍ଲୀ ୨୭/୧୧: ଅନ୍ତର୍ଜାତୀୟ ଏମି ଆୱାର୍ଡସ୍‌-୨୦୨୪ର ସଂଚାଳନା କରିଛନ୍ତି ଭାରତର ଲୋକପ୍ରିୟ ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ୍‌ ତଥା ଅଭିନେତା ବୀର ଦାସ । ନିଜର ପ୍ରତିଭା ସହିତ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ମାଧ୍ୟମରେ ସେ ସମସ୍ତଙ୍କୁ ସ୍ତବ୍ଧ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସମ୍ମାନାସ୍ପଦ ୫୨ତମ ଅନ୍ତର୍ଜାତୀୟ ଏମି ମହୋତ୍ସବର ସଂଚାଳନା କରି ସେ ଇତିହାସ ସୃଷ୍ଟି କରିଛନ୍ତି ।

ଏ ଅବସରରେ ସେ ଦିଲ୍ଲୀର ଶୁଭାଙ୍ଗୀ ବାଜପେୟୀଙ୍କ ଫ୍ୟାଶନ୍‌ ବ୍ରାଣ୍ଡ୍‌ ସଲୁକା ଦ୍ୱାରା ଡିଜାଇନ୍‌ ହୋଇଥିବା ଔପଚାରିକ ପୋଷାକ ପରିଧାନ କରିଥିଲେ । କଳା ରଙ୍ଗର ଏହି ପୋଷାକ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସୁନ୍ଦର ମିଶ୍ରଣ ଥିଲା । ଷ୍ଟାଣ୍ଡ୍‌-ଅପ୍‌ କମେଡି ମାଧ୍ୟମରେ ଜଣେ ସାଦାସିଧା ପ୍ରଦର୍ଶକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ବୀର । କିନ୍ତୁ ଆଜି ସେ ଜଣେ ବିଶ୍ୱସ୍ତରୀୟ ଚେହେରା । ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କର ସଦ୍ୟ ଉପଲବ୍ଧି ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ । 

ଗତ ସେପ୍ଟେମ୍ବରରେ ବୀର ଏହି ଖବର ଇନ୍‌ଷ୍ଟାଗ୍ରାମ୍‌ରେ ଘୋଷଣା କରିଥିଲେ । ବୀର ୨୦୨୧ ମସିହାରେ ନିଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବୀର ଦାସ: ଫର୍‌ ଇଣ୍ଡିଆ’ ପାଇଁ ଏମି ପୁରସ୍କାର ନିମନ୍ତେ ନୋମିନେଟ୍‌ ହୋଇଥିଲେ । ୨୦୨୩ ମସିହାରେ ନିଜର ନେଟ୍‌ଫ୍ଲିକ୍ସ କାର୍ଯ୍ୟକ୍ରମ ‘ବୀର ଦାସ ଲ୍ୟାଣ୍ଡିଂ’ ପାଇଁ ସେ ଏମି ପୁରସ୍କାର ପାଇଥିଲେ । କେବଳ ଷ୍ଟାଣ୍ଡ୍‌- ଅପ୍‌ କାର୍ଯ୍ୟକ୍ରମ ନୁହେଁ, ଏବିସିର ହ୍ୱିସ୍କି କାଭାଲିଅର, ନେଟ୍‌ଫ୍ଲିକ୍ସର ହସ୍‌ମୁଖ ଓ ଆମାଜନ୍‌ର ଜେଷ୍ଟିନେସନ୍‌ ଅନ୍‌ନୋନ୍‌ ସମେତ ଅନେକ ସିରିଜ୍‌ର ପ୍ରସ୍ତୁତି, ପ୍ରଯୋଜନା ଓ ଅଭିନୟ କରିଛନ୍ତି ବୀର ।

ଚଳିତ ଏମି ଆୱାର୍ଡସ୍‌ରେ ୪ ଭାଗବିଶିଷ୍ଟ ବ୍ରିଟିଶ ସତ କ୍ରାଇମ୍‌ ଟେଲିଭିଜନ୍‌ ଡ୍ରାମା ସିରିଜ୍‌ ‘ଦ ସିକ୍ସଥ୍‌ କମାଣ୍ଡମେଣ୍ଟ୍‌’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ୬୭ ବର୍ଷୀୟ ଟିମୋଥି ସ୍ପାଲ୍‌ । ‘ଡିଭିଜନ୍‌ ପାଲେରମୋ’କୁ ମିଳିଛି ଶ୍ରେଷ୍ଠ କମେଡି ସିରିଜ୍‌ ପୁରସ୍କାର । ‘ହଙ୍ଗର୍‌’ରେ ନିଖୁଣ ପ୍ରଦର୍ଶନ ଲାଗି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଆଓକବାବ୍‌ ଚୁଟିମନ୍‌ । ‘ପଏଣ୍ଟ୍‌ ଅଫ୍‌ ନୋ ରିଟର୍ନ’କୁ ମିଳିଛି ଶ୍ରେଷ୍ଠ କ୍ଷୁଦ୍ର ସିରିଜ୍‌ ପୁରସ୍କାର । ଶ୍ରେଷ୍ଠ ସ୍ପୋର୍ଟସ୍‌ ଡକ୍ୟୁମେଣ୍ଟାରୀ ବିଭାଗରେ ପୁରସ୍କାର ପାଇଛି ‘ବ୍ରନ୍‌: ଦ ଇମ୍ପସିବଲ୍‌ ଫର୍ମୁଲା ୧ ଷ୍ଟୋରୀ’ । ଅନିଲ କପୁର, ଶୋଭିତା ଧୂଲିପାଲା ଓ ଆଦିତ୍ୟ ରୟ କପୁର ଷ୍ଟାରର୍‌ ‘ଦ ନାଇଟ୍‌ ମ୍ୟାନେଜର’ ଶ୍ରେଷ୍ଠ ଡ୍ରାମା ବିଭାଗରେ ନୋମିନେଟ୍‌ ହୋଇଥିଲା । କିନ୍ତୁ କେବଳ ନୋମିନେସନ୍‌ ପଦକରେ ଏହା ସନ୍ତୁଷ୍ଟ ହୋଇଛି ।