ନୂଆଦିଲ୍ଲୀ,୮।୧୦: ବିମାନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କ ମୃତ୍ୟୁ। ଏୟାରଲାଇନ୍ସ କମ୍ପାନୀର ଅବହେଳା ପାଇଁ ଯାତ୍ରୀ ଜୀବନ ଯାଇଥିବାରୁ କାତାର ଏୟାରଓ୍ବେଜ ଉପରେ ରୁଜୁ ହୋଇଛି ମାମଲା। କାରଣ ଜଣେ ଶାକାହାରୀ ଯାତ୍ରୀଙ୍କୁ ଆମିଷ ଖାଇବାକୁ ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ୮୫ ବର୍ଷୀୟ ଯାତ୍ରୀଙ୍କ ପରିବାର ଲୋକ ବିମାନ କମ୍ପାନୀ ବିରୋଧରେ ମୃତ୍ୟୁ ମାମଲା ଦାୟର କରିଛନ୍ତି।
ପରିବାର ଅଭିଯୋଗ କରିଛନ୍ତି ଯେ, ବିମାନ କମ୍ପାନୀର ଅବହେଳା ଯୋଗୁଁ ଡାକ୍ତର ଅଶୋକ ଜୟବୀରାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଜୁଲାଇ ୨୦୨୩ ରେ ଲସ୍ ଆଞ୍ଜେଲସ୍ରୁ କଲମ୍ବୋ ଯାଉଥିବା କାତାର ଏୟାରୱେଜ୍ର ଏକ ବିମାନରେ ଘଟିଥିଲା। ଦକ୍ଷିଣ କାଲିଫର୍ନିଆର ହୃଦରୋଗ ବିଶେଷଜ୍ଞ ଅଶୋକ ଜୟବୀରା ଲସ୍ ଆଞ୍ଜେଲସ୍ରୁ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଯାତ୍ରା କରୁଥିଲେ। ସେ ଉଡ଼ାଣ ପୂର୍ବରୁ ନିରାମିଷ ଖାଦ୍ୟ ଅର୍ଡର କରିଥିଲେ, କିନ୍ତୁ ତାଙ୍କୁ ମାଂସ ପରିବେଷଣ କରାଯାଇଥିଲା। ସେ ଗୋଟେ ପିସ୍ ମାଂସ ଖାଇବାକୁ ଚେଷ୍ଟା କରିଥିଲେ। ତେବେ ମାଂସ ତାଙ୍କ ଗଳାରେ ଫସି ଯାଇଥିଲା, ଯାହା ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯାତ୍ରୀଙ୍କ ପରିବାର ବିମାନ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି।
ଜୟବୀରାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଘଟଣା ସମୟରେ ପାଇଲଟ୍ ଜରୁରୀକାଳୀନ ଅବତରଣ କରିବାକୁ ମନା କରିଥିଲେ। ପାଇଲଟ୍ ଯୁକ୍ତି ଦେଇଥିଲେ ଯେ ବିମାନଟି ସେତେବେଳେ ଆର୍କଟିକ ସର୍କଲ୍ ବା ଆର୍କଟିକ୍ ମହାସାଗର ଉପର ଦେଇ ଯାଉଥିଲା। ତେବେ ଜୟବୀରାଙ୍କ ପୁଅ ସୂର୍ଯ୍ୟ କହିଛନ୍ତି, ବିମାନଟି ସେତେବେଳେ ଆମେରିକାର ମଧ୍ୟପଶ୍ଚିମ ଅଞ୍ଚଳ ଉପରେ ଥିଲା। ପାଇଲଟ୍ ସହଜରେ ବିମାନକୁ ଅବତରଣ କରିପାରିଥାନ୍ତେ। ବିମାନ ସ୍କଟଲ୍ୟାଣ୍ଡର ଏଡିନବର୍ଗ ବିମାନ ବନ୍ଦରରେ ଅବତରଣ କରିଥିଲା। ସେତେବେଳେ ଜୟବୀରା ୩ ଘଣ୍ଟା ବେହୋସ ଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଅନୁସାରେ, ତାଙ୍କର ମୃତ୍ୟୁ ଆସ୍ପିରେସନ୍ ନିମୋନିଆ କାରଣରୁ ହୋଇଥିଲା। ଯାହାକି ଭୋଜନ କିମ୍ବା ତରଳ ପଦାର୍ଥ ଫୁସଫୁସ୍ରେ ଚାଲିଯିବା କାରଣରୁ ଉତ୍ପନ ହୋଇଥିବା ସଂକ୍ରମଣ।