ନୂଆଦିଲ୍ଲୀ,୨୮।୭: ଯେତେବେଳେ ବି ଦୁନିଆର ସବୁଠାରୁ ସଫଳ ବ୍ୟୁଟି କୁଇନ୍ ବିଷୟରେ କଥା ଆସେ, ସେତେବେଳେ ଭେନେଜୁଏଲାର ନାଁ ସବୁଠାରୁ ଆଗେ ଆସିଥାଏ। ଏହି ଦେଶ ଏପର୍ଯ୍ୟନ୍ତ ୭ ମିସ୍ ୟୁନିଭର୍ସ, ୬ ମିସ୍ ଓ୍ବାର୍ଲ୍ଡ, ୬ ମିସ୍ ଇଣ୍ଟରନ୍ୟାସନାଲ ଓ ୨ ‘ମିସ୍ ଆର୍ଥ’ର ଟାଇଟଲ୍ ଜିତି ସାରିଛି। କିନ୍ତୁ ଏହି ଚକଚକ୍ ହେଉଥିବା ମୁକୁଟ ପଛରେ ଏଭଳି ଏକ ରହସ୍ୟ ରହିଛି, ଯାହାକୁ ଜାଣି ବହୁ ଲୋକ ନିହାତି ଆଶ୍ଚଯ୍ୟ ହେବେ।
‘ଦ ଗାର୍ଜିଆନ୍’ ଓ ଅନ୍ୟ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଭେନେଜୁଏଲାରେ ବ୍ୟୁଟି ପାଜେଣ୍ଟ କେବଳ ପ୍ରତିଯୋଗିତା ନୁହେଁ। ବଂର ଦାରିଦ୍ର୍ୟରୁ ବାହାରିବାର ଏକ ମାଧ୍ୟମ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପରିବାର ନିଜ ଝିଅଙ୍କୁ କମ୍ ବୟସରେ ମଡେଲିଂ ଓ ବ୍ୟୁଟି ଏକାଡେମୀକୁ ପଠାଇ ଦିଅନ୍ତି। ତାଙ୍କର ଆଶାଥାଏ ସେ ଦିନେ ମିସ୍ ଭେନେଜୁଲଶ କିମ୍ବା ମିସ୍ ୟୁନିଭର୍ସ ହୋଇ ପରିବାରର ସ୍ଥିତି ବଦଳାଇ ଦେବେ।
ରିପୋର୍ଟ ଅନୁସାରେ, କିଛି ବ୍ୟୁଟି ଏକାଡେମୀରେ ୧୨ ବର୍ଷର ଝିଅଙ୍କର ମଧ୍ୟ ନାକର ସର୍ଜରୀ (ରାଇନୋପ୍ଲାଷ୍ଟି) ଓ ଶରୀର କାୟା ପରିବର୍ତ୍ତନ ଭଳି ପକ୍ରିୟାର ପରାମର୍ଶ ଦିଆଯାଇଥାଏ। ୧୬ ବର୍ଷ ପର୍ଯ୍ୟନ୍ତ ବହୁ ପ୍ରତିଯୋଗୀଙ୍କ ବ୍ରେଷ୍ଟ ଇମ୍ଫ୍ଲାଣ୍ଟ କରିବାକୁ ପରାମର୍ଶ ଦିଆଯାଏ। କିଛି ମାମଲାରେ ଝିଅଙ୍କୁ ଓଜନ କମ୍ କରିବା ପାଇଁ ଖୁବ୍ କଷ୍ଟକର ପଦ୍ଧତି ଗ୍ରହଣ କରିବାକୁ ପଡିଥାଏ। ପୂର୍ବତନ ମିସ୍ ଭେନେଜୁଏଲା ପ୍ରତିଯୋଗୀ ଭି ମେ ନାଭା ଏକ ଇଣ୍ଟରଭ୍ୟୁରେ କହିଥିଲେ କିଭଳି କଷ୍ଟ କରିବାକୁ ପଡେ। ସେ କହିଥିଲେ ସଲିଡ୍ ଫୁଡ୍ ଖାଇବାଠାରୁ ଦୂରେଇ ରହିବା ପାଇଁ ସେ ତାଙ୍କ ଜିଭରେ ପ୍ଲାଷ୍ଟିକ୍ର ଜାଲି ବି ସିଲେଇ କରିଦେଇଥିଲେ। ଏଭଳି କରି ତାଙ୍କ ଓଜନ ହ୍ରାସ କରିପାରିଥିଲେ। ଏହା ପୂର୍ବରୁ ତାଙ୍କର ବ୍ରେଷ୍ଟ ଇମ୍ଫ୍ଲାଣ୍ଟ, ନାକର ସର୍ଜରୀ ଓ ଦାନ୍ତର ମଧ୍ୟ ଚିକିତ୍ସା କରିସାରିଥିଲେ।
ଅନେକ ଝିଅ ସାଧାରଣ ଏବଂ ଗରିବ ପରିବାରରୁ ଆସିଥାନ୍ତି। ସେମାନଙ୍କ ବାପା-ମା ସେମାନଙ୍କ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଫି’, ମେକଅପ୍ ଏବଂ ପୋଷାକ ପାଇଁ ଖର୍ଚ୍ଚ କରନ୍ତି। ଆଶା ଥାଏ ଯେ ଯଦି ଝିଅ କୌଣସି ବଡ଼ ଟାଇଟଲ୍ ଜିତିଥାଏ, ତେବେ ସେ ମଡେଲିଂ, ଟେଲିଭିଜନ, ମନୋରଞ୍ଜନ କିମ୍ବା ରାଜନୀତିରେ କ୍ୟାରିଅର କରିପାରିବ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଆଇରେନ୍ ସାଏଜ୍, ଯିଏ ମିସ୍ ୟୁନିଭର୍ସ ଜିତିବା ପରେ ମେୟର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିଥିଲେ। ଯଦିଓ ଏହି ସଂସ୍କୃତିକୁ ନେଇ ଲଗାତାର ସମାଲୋଚନା କରାଯାଉଛି। ତଥାପି ମଧ୍ୟ ପ୍ରତି ବର୍ଷ ହଜାର ହଜାର ଝିଅ ଏହି ସ୍ବପ୍ନ ସହ ବ୍ୟୁଟି ସ୍କୁଲକୁ ଆସନ୍ତି। ସ୍ବପ୍ନ ଥାଏ ସୁନ୍ଦରୀ ପ୍ରତିଯୋଗୀତାରେ ଟାଇଟଲ ହାସଲ କରିବା।
ଆହୁରି ପଢନ୍ତୁ : Nirav Modi : ନିଜ ଦେଶର ବ୍ୟବସ୍ଥା ଉପରେ ପ୍ରଶ୍ନ କଲେ ବ୍ରିଟେନର ପୂର୍ବତନ ଗୃହ ମନ୍ତ୍ରୀ ,କହିଲେ ନୀରବ ମୋଦି ଏବେ ଭାରତରେ ରହିବା କଥା