ଚେନ୍ନାଇ ୧୧/୧୧: ବର୍ଷୀୟାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶଙ୍କର ଶନିବାର ରାତିରେ ନିଜ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । କିଛିଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ପୁଅ ମହା ଦେବନ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି । 

ଦିଲ୍ଲୀ ଗଣେଶଙ୍କ ପ୍ରକୃତ ନାମ ହେଉଛି ଗଣେଶ । ୧୯୪୪ ଅଗଷ୍ଟ ୧ରେ ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ତାଙ୍କର ଜନ୍ମ । ୧୯୬୪ରୁ ୧୯୭୪ ପର୍ଯ୍ୟନ୍ତ ସେ ଭାରତୀୟ ବାୟୁସେନାରେ କାର୍ଯ୍ୟ କରିଥିଲେ । ୧୯୭୬ରେ ପଟ୍ଟିନା ପ୍ରବେଶମ୍‌ ଫିଲ୍ମ ଜରିଆରେ ସେ ତାମିଲ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ତାଙ୍କର ଦୀର୍ଘବର୍ଷର ଫିଲ୍ମ କ୍ୟାରିୟର ଭିତରେ ସେ ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ତାମିଲ ବ୍ୟତୀତ ସେ କେତେକ ମାଲାୟାଲମ, ତେଲୁଗୁ ଓ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ପ୍ରଖ୍ୟାତ ନିର୍ଦ୍ଦେଶକ କେ. ବାଲଚନ୍ଦର ତାଙ୍କ ନାମ ଦିଲ୍ଲୀ ଗଣେଶ ଦେଇଥିଲେ । ସେବେଠାରୁ ସେ ଦର୍ଶକ ଓ ପ୍ରଶଂସକଙ୍କ ମଧ୍ୟରେ ଦିଲ୍ଲୀ ଗଣେଶ ନାମରେ ପରିଚିତ ଥିଲେ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଚଳଚ୍ଚିତ୍ର ଜଗତ ସହ ଜଡିତ କଳାକାର ଶୋକ ପ୍ରକାଶ କରିଛନ୍ତି ।