ନୂଆଦିଲ୍ଲୀ,୧୯।୮: ଉପରାଷ୍ଟ୍ରପତି ନିର୍ବାଚନ ନେଇ ଏନଡିଏ ଓ ଇଣ୍ଡିଆ ମେଣ୍ଟର ଯୋରଦାର ପ୍ରସ୍ତୁତି । ଏଥର ଶାସକ ଓ ବିରୋଧି ମେଣ୍ଟ ଭିତରେ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଦୁଇ ଦିନ ତଳେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ନିଜର ପ୍ରାର୍ଥୀ ଘୋଷଣା କରିଥିଲା। ଏବେ ରାଧାକ୍ରିଷ୍ଣନଙ୍କୁ ଟକ୍କର ଦେବାକୁ ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଇଣ୍ଡିଆ ମେଣ୍ଟ। ସୁଦର୍ଶନ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି। ଦୁଇ ପ୍ରାର୍ଥୀ ଦକ୍ଷିଣ ଭାରତୀୟ ହୋଇଥିବାରୁ ଖୁବ୍ ରୋଚକ ହୋଇପାରେ ଉପ-ରାଷ୍ଟ୍ରପତି ଲଢେଇ। ବିରୋଧୀ ମେଣ୍ଟ ତରଫରୁ ବି ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ତାଙ୍କ ନାମ ଘୋଷଣା କରିଛନ୍ତି । ବିରୋଧୀ ମେଣ୍ଟର ସର୍ବସମ୍ମତିରେ ରେଡ୍ଡୀଙ୍କ ନାଁ ଉପରେ ମିଳିଛି ମଞ୍ଜୁରୀ। ଫଳରେ ଏଥର ଦେଖିବାକୁ ମିଳିବ ରାଧାକ୍ରିଷ୍ଣନ ବନାମ ସୁଦର୍ଶନଙ୍କ ଲଢେଇ। ଏନଡିଏ ଯେଉଁଭଳି ଦକ୍ଷିଣ ଭାରତର ଦଳ ଗୁଡିକୁ ଧ୍ୟାନରେ ରଖି ସେଠାର ପ୍ରାର୍ଥୀ ଘୋଷଣା କରିଛି, ଠିକ୍ ସେଭଳି ଇଣ୍ଡିଆ ମେଣ୍ଟ ବି ତାକୁ ଚ୍ୟାଲେଞ୍ଜ ଦେଇଛି। ରେଡ୍ଡୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଟିଡିପି, ଓ୍ବାଇଏସ୍ଆରସିପି ଓ ବିଆରଏସ୍ ଭଳି ପାର୍ଟି ପୁଣି ଥରେ ଚିନ୍ତା କରିବାକୁ ବାଧ୍ୟ ହୋଇପାରନ୍ତି। ୯ ସେପ୍ଟେମ୍ବରରେ ହେବାକୁ ଉପରାଷ୍ଟ୍ରପତି ନିର୍ବାଚନ। ତେଣୁ ରେଡ୍ଡୀ ସମସ୍ତ ଦଳକୁ ନିଜ ପାଇଁ ସମର୍ଥନ ମାଗିଛନ୍ତି। ତେବେ ନିର୍ବାଚନରେ ରାଧାକ୍ରିଷ୍ଣନଙ୍କ ସ୍ଥିତି ସୁଦୃଢ ରହିଛି। ଏନ୍ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି । ଏହା ପୂର୍ବରୁ ସେ ଝାଡ଼ଖଣ୍ଡର ବି ରାଜ୍ୟପାଳ ଥିଲେ । ସେ ୪୦ ବର୍ଷ ଧରି ରାଜନୀତିରେ ସକ୍ରିୟ ରହିଛନ୍ତି । ଏହାସହ ସେ ୨ ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ୨୦୦୪-୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଥିଲେ ।
ସୁଦର୍ଶନ ରେଡ୍ଡୀଙ୍କ ବିଷୟରେ ଯଦି କଥା ହେବା ତେବେ ତାଙ୍କ ଜନ୍ମ ଆନ୍ଧ୍ରପ୍ରଦେଶର ରଙ୍ଗା ରେଡ୍ଡୀ ଜିଲ୍ଲାର ଆକୁଲା ମୈଲାରାମ ଗାଁରେ ହୋଇଥିଲା। ଏକ କୃଷକ ପରିବାରରେ ୮ ଜୁଲାଇ ୧୯୪୬ ମସିହାରେ ହୋଇଥିଲା ତାଙ୍କ ଜନ୍ମ । ପ୍ରାରମ୍ଭିକ ଶିକ୍ଷା ପରେ, ସେ ୧୯୭୧ ମସିହାରେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ ଆଇନ ପାସ୍ କରିଥିଲେ । ରେଡ୍ଡୀ ତାଙ୍କ କ୍ୟାରିୟର ସିଭିଲ୍ ଏବଂ ସାମ୍ବିଧାନିକ ମାମଲାରେ ପ୍ରାକ୍ଟିସ ଆରମ୍ଭ କରିଥିଲେ। ତାଙ୍କୁ ୮ ଅଗଷ୍ଟ ୧୯୮୮ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସରକାରୀ ଓକିଲ ଭାବରେ ନିଯୁକ୍ତ କରାଯାଇଥିଲା। ଏହାପରେ ସେ କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ହୋଇଥିଲେ । ୧୯୯୩ ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଓକିଲ ସଂଘର ସଭାପତି ନିର୍ବାଚିତ ହୋଇଥିଲେ। କେବଳ ସେତିକି ନୁହେଁ, ସେ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ମଧ୍ୟ ରହିଥିଲେ । ମେ ୨ ୧୯୯୩ ମସିହାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ଏହା ପରେ, ୫ ଡିସେମ୍ବର ୨୦୦୫ ମସିହାରେ ସେ ଗୌହାଟ୍ଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ସୁଦର୍ଶନ ରେଡ୍ଡୀ ୧୨ ଜାନୁଆରୀ ୨୦୦୭ରେ ସୁପ୍ରିମକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୮ ଜୁଲାଇ ୨୦୧୧ରେ ଅବସର ନେଇଥିଲେ । ଅବସର ପରେ, ସେ ମାର୍ଚ୍ଚ ୨୦୧୩ରେ ଗୋଆର ପ୍ରଥମ ଲୋକାୟୁକ୍ତ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ଯଦିଓ ସେ ବ୍ୟକ୍ତିଗତ କାରଣରୁ ଅକ୍ଟୋବର ୨୦୧୩ରେ ଇସ୍ତଫା ଦେଇଥିଲେ ।