ଭୁବନେଶ୍ୱର, ୩୧୩ : ଦକ୍ଷିଣ ଭାରତରୁ ଆବିଷ୍କୃତ ହୋଇଛି ଓଡ଼ିଆ ସୂର୍ଯ୍ୟବଂଶୀ ଗଜପତି ସାମ୍ରାଜ୍ୟର ବୀରତ୍ୱ ପରାକ୍ରମର ଏକ ଅତି ଗୁରୁତ୍ୱପୂର୍ଣ ସ୍ମୃତିଚି଼ହ୍ନ। ଆନ୍ଧ୍ରପ୍ରଦେଶ ନନ୍ଦିୟାଲ ଜିଲ୍ଲା କୋଇଲକୁନ୍ତଲା ମଣ୍ଡଳ ଅନ୍ତର୍ଗତ ଉୟଲୱାଡା ଗ୍ରାମରୁ ଗଜପତି କପିଳେନ୍ଦ୍ରଦେବଙ୍କ ଦାକ୍ଷିଣାତ୍ୟ ବିଜୟର ଚି଼ହ୍ନ ରୂପରେ ୧୫ଶ ଶତାବ୍ଦୀରେ ଅବସ୍ଥାପିତ ଏକ ପ୍ରସ୍ତର ନିର୍ମିତ ଜୟସ୍ତମ୍ଭକୁ ଖୋଜିପାଇଛନ୍ତି ରିଡିସ୍କଭର ଲଷ୍ଟ ହେରିଟେଜ ଟ୍ରଷ୍ଟର ସଦସ୍ୟମାନେ।
ଏହି ଟ୍ରଷ୍ଟ 'ରେଲିକ୍ସ ଅଫ କଳିଙ୍ଗ ଇନ ସାଉଥ ଇଣ୍ଡିଆ, ଭାଗ-୨' ଏକ ପ୍ରକଳ୍ପ ନାମରେ ଦକ୍ଷିଣ ଭାରତରେ କଳିଙ୍ଗ ଐତିହ୍ୟର ଦସ୍ତାବେଜିକରଣ କାର୍ଯ୍ୟ କରୁଥିବା ସମୟରେ ଐତିହାସିକ ଜୟସ୍ତମ୍ଭଟିକୁ ଠାବ କରାଯାଇଛି। ରିଡିସ୍କଭର ଲଷ୍ଟ ହେରିଟେଜ ଟ୍ରଷ୍ଟର ଏହି ଅନୁସନ୍ଧାନକାରୀ ଦଳରେ ଦୀପକ କୁମାର ନାୟକ, ସୁମନ ପ୍ରକାଶ ସ୍ୱାଇଁ, ରବିନ୍ଦ୍ର କୁମାର ରଣା ତଥା ବିକ୍ରମ କୁମାର ନାୟକ ସାମିଲ ଥିଲେ।
ଏହି ଐତିହାସିକ ଆବିଷ୍କାର ସମ୍ପର୍କରେ ଅଧିକ ତଥ୍ୟ ଦେଇ ରିଡିସ୍କଭର ଲଷ୍ଟ ହେରିଟେଜ ଟ୍ରଷ୍ଟର ପ୍ରକଳ୍ପ ସଂଯୋଜକ ଦୀପକ କୁମାର ନାୟକ କହିଥିଲେ ଯେ ଉୟଲୱାଡାଠାରେ ସୂର୍ଯ୍ୟବଂଶୀ ଗଜପତିମାନଙ୍କ ସମୟରେ ପ୍ରତିଷ୍ଠିତ ଜୟସ୍ତମ୍ଭଟି ଶକ୍ତିଶାଳୀ ଓଡ଼ିଆ ସାମ୍ରାଜ୍ୟର ବୀରତ୍ୱର ଗାଥା ବହନ କରୁଛି। ଏହି ଜୟସ୍ତମ୍ଭ ବିଷୟରେ ସୂଚନା ଆମକୁ 'ଆନୁଆଲ ରିପୋର୍ଟ ଅନ ସାଉଥ ଇଣ୍ଡିଆନ ଏପିଗ୍ରାଫି, ୧୯୩୫-୩୬' ନାମକ ଅଭିଲେଖ ସମ୍ପର୍କିତ ଏକ ପୁସ୍ତକରୁ ହସ୍ତଗତ ହୋଇଥିଲା। ଉକ୍ତ ଅଭିଲେଖ ଆଧାରରେ ଏହା ଜଣା ଯାଇଥିଲା ଯେ ଗଜପତି କପିଳେଶ୍ବର (କପିଳେନ୍ଦ୍ର ଦେବ)ଙ୍କ ଦ୍ୱାରା ଏହି ଅଞ୍ଚଳରେ ନିଯୁକ୍ତ ଜଣେ ଆଞ୍ଚଳିକ ଶାସକ ନରସିଂହ ପାତ୍ର ଏଠାରେ ଏକ ଜୟସ୍ତମ୍ଭ ପ୍ରତିଷ୍ଠା କରିବା ସହ ଅହୋବଳେଶ୍ୱର ଦେବଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। ଏତଦବ୍ୟତୀତ ଗଜପତି କପିଳେଶ୍ୱର ଦେବ ଏବଂ ନରସିଂହ ପାତ୍ରଙ୍କ ପିତାମାତାଙ୍କ କଲ୍ୟାଣାର୍ଥେ କିଛି ଭୂମିଦାନ କରାଯାଇଥିଲା। ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ମଲ୍ଲିକାର୍ଜୁନ ମନ୍ଦିର ଓ ଉଦୟଗିରି ବାଳକୃଷ୍ଣ ମନ୍ଦିରରେ ଥିବା ଟମ୍ମା ଭୁପାଳଙ୍କ ଅଭିଲେଖ ଦୁଇଟିରୁ ଜଣାଯାଏ ଯେ ଖ୍ରୀ ୧୪୬୦ ବେଳକୁ କୁର୍ନୁଲ ଓ ନନ୍ଦିୟାଲ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଗଜପତି କପିଳେନ୍ଦ୍ର ଦେବଙ୍କ ସାମ୍ରାଜ୍ୟ ବିସ୍ତାର ଲାଭ କରିସାରିଥିଲା। ଉୟଲୱାଡା ଗ୍ରାମଟି ଏହି ଅଞ୍ଚଳର ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ନରସିଂହ ପାତ୍ରଙ୍କ ଦ୍ୱାରା ଖ୍ରୀ ୧୪୬୦ ବେଳକୁ ଏହି ଜୟସ୍ତମ୍ଭ ପ୍ରତିଷ୍ଠା ହୋଇଥିବା ସମ୍ଭବପର। ଏହି ଆଧାରରେ ଉୟଲାୱାଡା ଗ୍ରାମରେ ଆମର ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ସମୟରେ ସ୍ଥାନୀୟ ଚେନ୍ନାକେଶବ ସ୍ୱାମୀ ମନ୍ଦିରରୁ ଆମ ଦଳ ନରସିଂହ ପାତ୍ରଙ୍କ ଶିଳାଲେଖଟିକୁ ଠାବ କରିଥିଲା ଏବଂ ଅଭିଲେଖ ଅନୁଯାୟୀ ମନ୍ଦିର ଠାରୁ ଅଳ୍ପ ଦୂରରେ ଏକ ଭଗ୍ନମଣ୍ଡପ ଉପରେ ନରସିଂହ ପାତ୍ରଙ୍କ ଦ୍ୱାରା ଅବସ୍ଥାପିତ ପ୍ରସ୍ତରର ଜୟସ୍ତମ୍ଭଟି ମଧ୍ୟ ଦେଖିବାକୁ ମିଳିଥିଲା।
ଚେନ୍ନାକେଶବ ମନ୍ଦିରର ସତ୍ତ୍ବାଧିକାରୀ ଚନ୍ଦ୍ରମୋହନ ଗୌଡ଼ଙ୍କ କହିବା ଅନୁସାରେ ସ୍ତମ୍ଭଟି ବହୁ ବର୍ଷ ପୂର୍ବରୁ କଳିଙ୍ଗରାଜାଙ୍କ କୌଣସି ପ୍ରତିନିଧି ଏଠାରେ ସ୍ଥାପିତ କରିଥିଲେ। ଅଭିଲେଖ ଆଧାରରେ ସେହି ରାଜାଙ୍କୁ ଗଜପତି କପିଳେନ୍ଦ୍ରଦେବ ତଥା ତାଙ୍କ ପ୍ରତିନିଧିଙ୍କୁ ନରସିଂହ ପାତ୍ର ରୂପେ ଚିନ୍ହିତ କରାଯାଇପାରେ। ଏକକ ପଥରରେ ନିର୍ମିତ ପ୍ରାୟ ୧୨/୧୪ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜୟସ୍ତମ୍ଭଟି ବର୍ତ୍ତମାନ ପରିତ୍ୟକ୍ତ ତଥା ଅବହେଳିତ ଅବସ୍ଥାରେ ରହିଛି, ଗୋଟିଏ ପଟକୁ ଢଳି ରହିଥିବା ସ୍ତମ୍ଭଟି ବର୍ଷା ପବନ ପ୍ରଭାବରେ ପଡି ଯାଇ ଭାଙ୍ଗି ଯିବାର ସମ୍ଭାବନା ରହିଛି ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।
ରିଡିସ୍କଭର ଲଷ୍ଟ ହେରିଟେଜ ଟ୍ରଷ୍ଟର ସଭାପତି ଚିରଞ୍ଜୀବ ରାଉତ ତାଙ୍କ ଅନୁସନ୍ଧନକାରୀ ଦଳର ଏହି ଆବିଷ୍କାରକୁ ଓଡିଶା ଇତିହାସ ପାଇଁ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ପଞ୍ଚଦଶ ଶତାବ୍ଦୀରେ ଓଡିଶା ଠାରୁ ଏତେ ଦୂରରେ ଦକ୍ଷିଣ ଭାରତରେ ପ୍ରତିଷ୍ଠିତ ଜୟସ୍ତମ୍ଭ ଗଜପତି ସାମ୍ରାଜ୍ୟର ପରାକ୍ରମ, ବୀରତ୍ୱ ତଥା ଶୌର୍ଯ୍ୟର ପ୍ରତୀକ। ତେବେ ବର୍ତ୍ତମାନ ଅବହେଳିତ ଅବସ୍ଥାରେ ଥିବା ଏହି ଐତିହ୍ୟଟିର ରକ୍ଷଣାବେକ୍ଷଣ ନିମନ୍ତେ ଆମେ ଉଭୟ ଓଡିଶା ଓ ଆନ୍ଧ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ। ରିଡିସ୍କଭର ଲଷ୍ଟ ହେରିଟେଜ ଟ୍ରଷ୍ଟ ଦ୍ୱାରା ଦକ୍ଷିଣ ଭାରତରେ କଳିଙ୍ଗ ଇତିହାସ ସହ ଜଡିତ ପ୍ରତ୍ନତାତ୍ତ୍ଵିକ କୀର୍ତ୍ତିରାଜିଗୁଡିକର ସର୍ବେକ୍ଷଣ କାର୍ଯ୍ୟର ଦ୍ଵିତୀୟ ପର୍ଯ୍ୟାୟ ଗତବର୍ଷ ଡିସେମ୍ବର ମାସରୁ ଆରମ୍ଭ ହେଇଛି, 'ରେଲିକ୍ସ ଅଫ କଳିଙ୍ଗ ଇନ ସାଉଥ ଇଣ୍ଡିଆ, ଭାଗ-୨' ପୁସ୍ତକଟିକୁ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ ରଚନା କରୁଛନ୍ତି। ସେହିପରି ପୁସ୍ତକଟିର ସମ୍ପାଦନା କାର୍ଯ୍ୟ ଅବସରପ୍ରାପ୍ତ ପ୍ରାକ୍ତନ ପ୍ରଶାସକ ସଞ୍ଜିବ ଚନ୍ଦ୍ର ହୋତା ଓ ଐତିହାସିକ ପ୍ରଫେସର ଅଶୋକ କୁମାର ରଥ କରୁଥିବା ବେଳେ, ବି.କେ. ପବ୍ଲିକେସନ୍ସ ପ୍ରା.ଲି. ଏହାକୁ ପ୍ରକାଶିତ କରିବ। ଚଳିତ ବର୍ଷ ଶେଷଭାଗରେ ପୁସ୍ତକଟି ପ୍ରକାଶ ପାଇବ ବୋଲି ଶ୍ରୀ ରାଉତ କହିଛନ୍ତି।