ନାଗପୁର, ୦୩/୦୩: ଲିଗ୍‌ଠୁ ଆରମ୍ଭ କରି ନକ୍‌  ଆଉଟ୍‌ ମୁକାବିଲା ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ବିଦର୍ଭ ରଣଜୀ ଟ୍ରଫି ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି । କେରଳ ବିପକ୍ଷ ଫାଇନାଲ୍‌ ମୁକାବିଲା ଡ୍ର’ ହେବା ସହ ପ୍ରଥମ ଇନିଂସ୍‌ ଅଗ୍ରଣୀ ଭିତ୍ତିରେ ବିଦର୍ଭ ଟ୍ରଫି  ହାସଲ କରିଛି । ଦଳ ତୃତୀୟ ଥର ରଣଜୀ ଟାଇଟଲ୍‌  ଜିତିବାରେ ସଫଳ ହୋଇଛି । ପୂର୍ବରୁ ବିଦର୍ଭ ୨୦୧୭- ୧୮, ୨୦୧୮-୧୯ ସିଜନରେ ଟ୍ରଫି ଜିତିଥିଲା । ଗତ  ସଂସ୍କରଣରେ ଦଳ ଫାଇନାଲ୍‌ରେ ପହଞ୍ଚିଥିଲା ଏବଂ  ମୁମ୍ବାଇଠୁ ହାରି ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । ମାତ୍ର ୨୦୨୪-୨୫ ସିଜନରେ ବିଦର୍ଭ ଅପରାଜେୟ  ସାବ୍ୟସ୍ତ ହୋଇଥିଲା । ଫାଇନାଲ୍‌ରେ ଯଥାକ୍ରମେ  ୧୫୩, ୭୩ରନ୍‌ର ଜବରଦସ୍ତ ଇନିଂସ୍‌ ଖେଳିଥିବା  ଡାନିଶ ମାଲେୱର ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଏବଂ  ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୬୯ଟି ୱିକେଟ୍‌ ନେବା ସହ  ୪୭୬ରନ୍‌ କରିଥିବା ହର୍ଷ ଦୁବେ ପ୍ଲେୟାର ଅଫ୍‌ ଦ  ସିରିଜ ବିବେଚିତ ହୋଇଥିଲେ । 

ଟାଇଟଲ୍‌ ଲଢ଼େଇରେ ବିଦର୍ଭର ୩୭୯ରନ୍‌ ଜବାବରେ କେରଳ ପ୍ରଥମ ଇନିଂସ୍‌ ୩୪୨ରେ ସୀମିତ ରହିବା ପରେ ଫଳାଫଳ ଏକପ୍ରକାର ନିର୍ଣ୍ଣୟ ହୋଇ ସାରିଥିଲା । କେରଳର ଟାଇଟଲ ସ୍ୱପ୍ନ ମଉଳି ଯାଇଥିଲା । ୩୭ରନ୍‌ ଅଗ୍ରଣୀ ଥାଇ ବିଦର୍ଭ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ଚତୁର୍ଥ ଦିବସ  ଶେଷ ସୁଦ୍ଧା ୪/୨୪୯ରନ୍‌ ସଂଗ୍ରହ କରିଥିଲା ।  ଅନ୍ତିମ ଦିବସରେ ଦଳ ୯ ୱିକେଟ୍‌ ହରାଇ  ୩୭୫ରନ୍‌ କରିଥିବାବେଳେ ଉଭୟ ଦଳର  ସମ୍ମତିକ୍ରମେ ଡ୍ର’ ଘୋଷଣା କରାଯାଇଥିଲା ।  କରୁଣ ନାଏର ୧୩୫ (୧୦ଚୌକା, ୨ଛକା),  ଅକ୍ଷୟ ୱାଡକର ୨୫, ଅକ୍ଷୟ କର୍ଣ୍ଣେୱାର ୩୦,  ଦର୍ଶନ ନାଲକନ୍ଦେ ଅପରାଜିତ ୫୧ (୩ଚୌକା,  ୧ଛକା) ରନ୍‌ କରିଥିଲେ । କେରଳ ପକ୍ଷରୁ ଆଦିତ୍ୟ  ସରୱତେ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ । 

ୟଶ୍‌ ରାଠୋର ସର୍ବାଧିକ ରନ୍‌ ସ୍କୋରର:  ବିଦର୍ଭର ଯୁବ ବ୍ୟାଟର ରାଠୋର ଏଥର ସର୍ବାଧିକ  ରନ୍‌ ହାସଲକାରୀ ସାବ୍ୟସ୍ତ ହୋଇଥିଲେ । ସେ ୧୦ଟି  ମ୍ୟାଚ୍‌ ଖେଳି ୫୩.୩୩ ଆଭରେଜରେ ମୋଟ ୯୬୦  ରନ୍‌ ସଂଗ୍ରହ କରିଥିଲେ । ସେଥିମଧ୍ୟରେ ସେ ୫ଟି  ଶତକ ଓ ୩ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ ।  ଦଳର ଅଭିଜ୍ଞ ବ୍ୟାଟର ନାଏର ୯ଟି ମ୍ୟାଚ୍‌ରୁ ୮୬୩  (୪ଶତକ, ୨ଅର୍ଦ୍ଧଶତକ) ଏବଂ ଡାନିଶ୍‌ ମାଲେୱର ୭୮୩ (୨ଶତକ, ୬ଅର୍ଦ୍ଧଶତକ) ରନ୍‌ କରିଥିଲେ ।

 ହର୍ଷ ଦୁବେଙ୍କୁ ସର୍ବାଧିକ ୱିକେଟ୍‌: ବିଦର୍ଭର ଉଦୀୟମାନ  ସ୍ପିନର ହର୍ଷ ଦୁବେ ସିଜନରେ ମୋଟ ୬୯ଟି ୱିକେଟ୍‌  ଅକ୍ତିଆର କରିଥିଲେ । ଏଥିସହ ସେ ଗୋଟିଏ ସିଜନରେ  ସର୍ବାଧିକ ୱିକେଟ୍‌ ନେବାରେ ରେକର୍ଡ଼ ସ୍ଥାପନ କରିଥିଲେ। ପୂର୍ବରୁ ବିହାରର ଆଶୁତୋଷ ଅମନ ୨୦୧୮-୧୯ ସିଜନରେ  ୬୮ଟି ଏବଂ ସୌରାଷ୍ଟ୍ରର ଜୟଦେବ ଉନାକାତ୍‌ ୨୦୧୯-୨୦  ସିଜନରେ ୬୭ଟି ୱିକେଟ୍‌ ନେଇଥିଲେ ।