ମୁମ୍ବାଇ: ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଏକ ଭିଡିଓ ସେୟାର କରି ମହାରାଷ୍ଟ୍ରରେ ରାଜନୈତିକ ବିବାଦ ସୃଷ୍ଟି କରିଛନ୍ତି। ଏହି ଭିଡିଓରେ ଏକନାଥ ଶିଂଦେ ନେତୃତ୍ୱାଧୀନ ଶିବସେନାର ଜଣେ ନେତା, ସଞ୍ଜୟ ଶିରସାଟ ଏକ ଟଙ୍କା ଭର୍ତ୍ତି ଏକ ବ୍ୟାଗ ସହିତ ଦେଖାଯାଇଛନ୍ତି। ରାଉତ ଏହି ଘଟଣାରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ସଞ୍ଜୟ ଶିରସାଟଙ୍କୁ ଏକ ବ୍ୟାଗରେ ବହୁ ପରିମାଣରେ ଟଙ୍କା ସହିତ ଦେଖାଯାଇଛି। ଯାହା ମହାରାଷ୍ଟ୍ରରେ ରାଜନୈତିକ ଦୁର୍ନୀତି ଅଭିଯୋଗକୁ ଆହୁରି ତୀବ୍ର କରିଛି। ରାଉତ ଦାବି କରିଛନ୍ତି ଯେ ଏହା ଶିଂଦେ ଶିବସେନାର ଅନୈତିକ କାର୍ଯ୍ୟକଳାପର ପ୍ରମାଣ। ସେ ଟ୍ୱିଟ କରି କହିଛନ୍ତି, “ମାନ୍ୟବର ଅମିତ ଶାହ ଜୀ, ଆପଣଙ୍କ ନିର୍ଦ୍ଦେଶରେ ମହାରାଷ୍ଟ୍ରରେ ଚାଲିଥିବା ଏହି ଘଟଣାକୁ ଦୟାକରି ନୋଟିସ କରନ୍ତୁ।”

ଅନ୍ୟପକ୍ଷରେ, ସଞ୍ଜୟ ଶିରସାଟ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଭିଡିଓଟି ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟରେ ସେୟାର କରାଯାଇଛି। ଶିଂଦେ ଶିବସେନାର ମୁଖପାତ୍ର ଶୀତଳ ମହାତ୍ରେ ମଧ୍ୟ ରାଉତଙ୍କ ଅଭିଯୋଗକୁ “ବାସ୍ତବତା ନଥିବା” କହି ଖାରଜ କରିଛନ୍ତି।

ଏହି ଘଟଣା ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ଶିଂଦେ ନେତୃତ୍ୱାଧୀନ ଶିବସେନା ମଧ୍ୟରେ ଚାଲିଥିବା ବିବାଦକୁ ଆହୁରି ବଢାଇ ଦେଇଛି। ଆପଣଙ୍କୁ ଜଣାଇରଖୁ ଯେ ୨୦୨୨ ମସିହାରେ ଏକନାଥ ଶିଂଦେଙ୍କ ବିଦ୍ରୋହ ପରେ ଶିବସେନା ଦୁଇଟି ଗୋଷ୍ଠୀରେ ବିଭାଜିତ ହୋଇଥିଲା। ଯାହା ପରେ ଉଭୟ ପକ୍ଷ ନିଜକୁ “ପ୍ରକୃତ ଶିବସେନା” ଦାବି କରି ରାଜନୈତିକ ସଂଘର୍ଷରେ ଲିପ୍ତ ରହିଛନ୍ତି।

ଏହି ଭିଡିଓକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅମିତ ଶାହଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଯାଏ କୌଣସି ପ୍ରତିକ୍ରିୟା ଆସିପାରିନାହିଁ। ଏହା ମହାରାଷ୍ଟ୍ରର ଆଗାମୀ ରାଜନୈତିକ ଗତିବିଧି ଉପରେ ଗଭୀର ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।