ମୁମ୍ବାଇ ୨୭/୧୦: ଗତ ଶୁକ୍ରବାର ଅର୍ଥାତ୍ ୨୫ ତାରିଖ କାର୍ତ୍ତିକ ଆର୍ଯ୍ୟନ, ବିଦ୍ୟା ବାଲନ ଓ ମାଧୁରୀ ଦୀକ୍ଷିତଙ୍କ ଅପ୍କମିଙ୍ଗ ଫିଲ୍ମ ‘ଭୁଲ୍ ଭୁଲୈୟା-୩’ର ‘ଆମି ଯେ ତୋମାର’ ଗୀତର ନୂଆ ସଂସ୍କରଣ ମୁକ୍ତିଲାଭ କରିଥିଲା । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଏହି ଗୀତ ଲଞ୍ଚ୍ ସମୟରେ ବିଦ୍ୟା ଓ ମାଧୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ମଞ୍ଚରେ ନୃତ୍ୟ ପ୍ରଦର୍ଶନ ସମୟରେ ଏକ ଅଘଟଣରୁ ବର୍ତ୍ତିଗଲେ ବିଦ୍ୟା । ବିଦ୍ୟାଙ୍କ ପାଦ ଶାଢ଼ିରେ ଫସିଯିବାରୁ ସେ ମଞ୍ଚରେ ପଡ଼ିଗଲେ । ତେବେ ଏହି ମୁହୂର୍ତ୍ତକୁ ସେ ବେଶ ସୁନ୍ଦର ଭାବେ ଓ ଚତୁରତାର ସହ ସମ୍ଭାଳିନେଲେ । ପଡ଼ିଯିବା ପରେ ସଙ୍ଗେସଙ୍ଗେ ସେ ଡ୍ୟାନ୍ସ ଷ୍ଟେପ୍ ବଦଳାଇ ଦେଲେ । ପଡ଼ିବା ମାତ୍ରେ ସେ ମଞ୍ଚରେ ବସିଗଲେ ଏବଂ ନୃତ୍ୟ ଭଙ୍ଗୀକୁ ବଦଳାଇଦେଲେ ।
ମୁମ୍ବାଇର ରୟାଲ ଅପେରା ହାଉସ୍ରେ ଆୟୋଜିକ ଏହି କାର୍ଯ୍ୟକ୍ରମରେ ବିଦ୍ୟା ଓ ମାଧୁରୀଙ୍କ ସହ କାର୍ତ୍ତିକ ଓ ଫିଲ୍ମ ନିର୍ମାତା ମଧ୍ୟ ଉପସ୍ଥିତ ଥିଲେ । ମାଧୁରୀ ଓ ବିଦ୍ୟାଙ୍କ ନୃତ୍ୟ ପ୍ରଦର୍ଶନ ଜରିଆରେ ‘ଆମି ଯେ ତୋମର’ ଗୀତ ଉନ୍ମୋଚିତ ହୋଇଥିଲା । ନୃତ୍ୟ ପ୍ରଦର୍ଶନ ପରେ ବିଦ୍ୟା କହିଲେ, ମାଧୁରୀଙ୍କ ସହ ସ୍କ୍ରିନ୍ ଶେୟାର କରିବା ମୋ ପାଇଁ ଅତ୍ୟନ୍ତ ସମ୍ମାନର କଥା । ଆଜି ମୁଁ ମଞ୍ଚରେ ପଡ଼ିଗଲି । କିନ୍ତୁ ପୁଣି ଉଠି ନୃତ୍ୟ ଜାରି ରଖିଲି, କେବଳ ମାଧୁରୀଙ୍କ ଭରସାରେ । ସୋସିଆଲ ମିଡିଆରେ ଏହି ନୃତ୍ୟ ଭିଡିଓ ଭାଇରାଲ ହେଉଛି । କିଛି ୟୁଜର ବିଦ୍ୟାଙ୍କୁ ପ୍ରଶଂସା କରୁଥିବାବେଳେ ଆଉ କିଛି ଏହାକୁ ପବ୍ଲିସିଟି ଷ୍ଟଣ୍ଟ୍ କହୁଛନ୍ତି ।