ଭୁବନେଶ୍ବର, ୧୮।୩ : ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଭଦ୍ରକ ଶାଖାର ମୁଖ୍ୟ ମାତୃପ୍ରସାଦ ମହାନ୍ତି। କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏହି ଠକେଇ ହୋଇଛି। ସରକାରୀ ପାଣ୍ଠିର ଅପବ୍ୟବହାର କରି ୫,୫୬,୧୧,୪୯୫ କୋଟି ଟଙ୍କା ଠକେଇ କରିଛନ୍ତି।
ଭିଜିଲାନ୍ସ ବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ଯେ ଏହି ଠକେଇରେ ଅଭିଯୁକ୍ତ ମାତୃପ୍ରସାଦ ମହାନ୍ତିଙ୍କୁ ତାଙ୍କ ପିତା ପ୍ରଦୀପ କୁମାର ମହାନ୍ତି (ବିଇଓ କାର୍ଯ୍ୟାଳୟରେ ପୁନଃନିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ) ସହଯୋଗ କରିଥିଲେ। ସିଷ୍ଟମ ହେରଫେର କରି ପ୍ରଦୀପ କୁମାର ମହାନ୍ତି ମାନବ ସମ୍ବଳ ପରିଚାଳନା ପ୍ରଣାଳୀ (HRMS) କୁ ବେଆଇନ ଭାବେ ପ୍ରବେଶ କରିଥିଲେ। ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକ (ପେନସନଭୋଗୀ)ଙ୍କ ପରିଚୟପତ୍ରକୁ ଚୋରି କରିଥିଲେ। ଏହି ଅବସରପ୍ରାପ୍ତମାନଙ୍କୁ ଚାକିରିରେ ସକ୍ରିୟ ଭାବରେ ଦେଖାଇବା ପାଇଁ ଜାଲିଆତି କରି ସେ ସେମାନଙ୍କ ନାମରେ ମାସିକ ପେନସନ ବିଲ୍ ପ୍ରସ୍ତୁତ କରିଥିଲେ। ଏହି ଅର୍ଥକୁ ବିଭିନ୍ନ କାରବାର ମାଧ୍ୟମରେ ସେମାନଙ୍କ ଦ୍ୱାରା ରଖାଯାଇଥିବା ଆକାଉଣ୍ଟଗୁଡ଼ିକୁ ପଠାଇଥିଲେ। ନଭେମ୍ବର ୨୦୧୮ ରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ପ୍ରାୟ ୬ବର୍ଷ ଧରି ଠକେଇ କରିଥିଲେ। ଭିଜିଲାନ୍ସ ଟିମ୍ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।