କଟକ ୧୬।୫: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ର କୁବେର ଅତିରିକ୍ତ ବିଡିଓ ଅସିତ କୁମାର ପାତ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ ବିଭାଗ। ଗିରଫ ହୋଇଥିବା ଅଭିଯୁକ୍ତ ଅସିତ ପାତ୍ର ନିଜ ଆୟ ଠାରୁ ୨ ଶହ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ପତ୍ତି ଦେଖିଲେ ଆଖି ଖୋସି ହୋଇଯିବ। ଆପଣ ଜଣିଲେ ହୋଇଯିବେ ଆଶ୍ଚର୍ଯ୍ୟ। ଯାଜପୁର ଜିଲ୍ଲାରୁ ରାଜଧାନୀ ପର୍ଯ୍ୟନ୍ତ କୋଠା, ଫ୍ଲାଟ୍ ଓ ପ୍ଲଟ୍ ସମେତ ଅସିତ କୁମାର ପାତ୍ରଙ୍କ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଗୁରୁବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅସିତ ପାତ୍ରଙ୍କ କାର୍ଯ୍ୟାଳୟ, ପୈତୃକ ଗ୍ରାମ ସମେତ ୭ଟି ସ୍ଥାନରେ ଭିଜିଲାନ୍ସର ୭ଟି ଟିମ୍ ଏକକାଳୀନ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅତିରିକ୍ତ ବିଡ଼ିଓଙ୍କର ୩ଟି ବହୁତଳ କୋଠା, ମାର୍କେଟ୍ କମ୍ପ୍ଲେକ୍ସ, ୫ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଥିବା ବେଳେ ୮୦୦ ଗ୍ରାମର ସୁନା ଅଳଙ୍କାର, ୬୫ଲକ୍ଷ ଟଙ୍କାର ନଗଦ ଜମା, ବୀମା ଏବଂ ନଗଦ ୧ ଲକ୍ଷ ୮୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।
ଅସିତଙ୍କର ଯାଜପୁରରୋଡ୍ କହ୍ନେଇପୁରରେ ୬ ହଜାର ବର୍ଗଫୁଟ୍ର ୪ ମହଲା ଘର, କଟକ ଚାଉଳିଆଗଞ୍ଜ ସ୍ଥିତ ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟରେ ଏକ ହଜାର ବର୍ଗଫୁଟ୍ର ୨ଟି ଫ୍ଲାଟ୍, ଯାଜପୁର ସୁନ୍ଦରୀମୁହଁ ନିକଟ ରଡ଼େଶ୍ଵର ଠାରେ ୨ ହଜାର ବର୍ଗଫୁଟ୍ର ୩ ମହଲା ଘର, ଯାଜପୁରରୋଡ୍ ଠାରେ ୪ ହଜାର ବର୍ଗଫୁଟ୍ରେ ନବନିର୍ମିତ ୨ ମହଲା ଘର ଏବଂ ଯାଜପୁର ରୋଡ୍ରେ ଏକ ସପିଂ କମ୍ପ୍ଲେକ୍ସ ରହିଥିବା ନେଇ ଭିଜିଲାନ୍ସ ହାତରେ ପ୍ରମାଣ ଲାଗିଥିବା ନେଇ ସୂଚନା ମିଳିଛି।