- ରାଜମହଲକୁ ଡକାଇ ୪୦ ହଜାର ଟଙ୍କା ନେଉଥିଲେ
- କ୍ୱାର୍ଟର୍ସ ବେଡ୍ ତଳୁ ମିଳିଲା ନଗଦ ୫ ଲକ୍ଷ ଟଙ୍କା
- ଭୁବନେଶ୍ୱର, ଡେରାବିଶରେ ବହୁ ତଳ ପ୍ରାସାଦ
- ଗତ ବର୍ଷ ଧରା ହୋଇଥିଲେ ୧୬ ପୁଲିସ
ଭୁବନେଶ୍ୱର/କଟକ,୦୫/୦୧: ମଦ ବ୍ୟବସାୟୀଙ୍କଠୁ ମାସିକିଆ ଚାନ୍ଦା ନେଉଥିବା ଜଣେ ଲାଞ୍ଚ ଖିଆ ଖାକି ବାବୁଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ (ଭିଜିଲାନ୍ସ) ସଂସ୍ଥା ଗିରଫ କରିଛି । ସେ ହେଲେ କମିସନରେଟ୍ ପୁଲିସ କଟକ ୟୁପିଡିର ସିଆର୍ଆର୍ଆଇ ଥାନା ଆଇଆଇସି ବିଜୟ କୁମାର ବାରିକ । ଜଣେ ମଦ ବ୍ୟବସାୟୀଙ୍କଠୁ ରାଜମହଲ ଛକକୁ ଡକାଇ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସେଲ୍ର ଅଧିକାରୀମାନେ ତାଙ୍କୁ ମାଡ଼ି ବସିଛନ୍ତି ।
ଶ୍ରୀ ବାରିକଙ୍କଠାରୁ କେମିକାଲ୍ ବୋଳା ୪୦ ହଜାର ଟଙ୍କାକୁ ଭିଜିଲାନ୍ସ ଟିମ୍ ଜବତ କରିଛି । ତାଙ୍କୁ ଗିରଫ କରି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ ଥାନା ବାବୁଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି । ୨୦୨୪ରୁ ଶ୍ରୀ ବାରିକ ସିଆର୍ଆର୍ଆଇ ଥାନାରେ କାମ କରି ଆସୁଛନ୍ତି । ଭିଜିଲାନ୍ସ ଆଉ ତିନୋଟି ଟିମ୍ ଶ୍ରୀ ବାରିକ୍ଙ୍କ ଭୁବନେଶ୍ୱର ୧ ନମ୍ବର ହାଟ ପାଖରେ ଥିବା ସରକାରୀ କ୍ୱାର୍ଟର୍ସ, ସିଆର୍ଆର୍ଆଇ ଥାନା କାର୍ଯ୍ୟାଳୟ, ଡେରାବିଶ ଓ ଶିଶୁପାଳଗଡ଼ଠାରେ ଚଢ଼ଉ କରିଛି । ଚଢ଼ଉ ବେଳେ କ୍ୱାର୍ଟର୍ସରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କର ଶିଶୁପାଳଗଡ଼ଠାରେ ଏକ ୩ ମହଲା ବିଶିଷ୍ଟ ବିଶାଳ କୋଠା ଓ ଡେରାବିଶ ବ୍ଲକର ତିଲକପୁରରେ ୨ ମହଲା କୋଠା ଠାବ ହୋଇଛି । ଇନ୍ସପେକ୍ଟରଙ୍କର ଘରୁ ୧୦ଟି ଦାମୀ ହାତ ଘଣ୍ଟା ମିଳିଛି । ଘଣ୍ଟାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ସମ୍ପୃକ୍ତ ପୁଲିସ ବାବୁଙ୍କର ଚାକିରି ଆରମ୍ଭ ୨୦୧୨ ମସିହା ସେପ୍ଟେମ୍ବରରୁ । ଏସ୍ଆଇ ଭାବେ ନିଯୁକ୍ତି ପାଇ ୨୧ ହଜାର ଟଙ୍କାରୁ ଚାକିରି ଆରମ୍ଭ କରିଥିବା ଶ୍ରୀ ବାରିକ୍ ମାତ୍ର ୧୩ ବର୍ଷ ମଧ୍ୟରେ ଶିଶୁପାଳଗଡ଼ରେ ଜାଗା କିଣି ୩ ମହଲା ବିଶିଷ୍ଟ କୋଠା ନିର୍ମାଣ କରିଥିଲେ । ଡେରାବିଶରେ ଘରେ ଅନେକ ଦାମୀ ସରଞ୍ଜାମ ଖଞ୍ଜିଛନ୍ତି । ଥାନା ବାବୁ ଅନ୍ୟ ଲୋକଙ୍କ ନାଁରେ ଦାମୀ କାର୍ କିଣିଥିବାରୁ ଭିଜିଲାନ୍ସ ତାକୁ ତଦନ୍ତ ପରିସରକୁ ଆଣିପାରିନାହିଁ ।
ମିଳିଥିବା ସୂଚନାନୁସାରେ, ବିଦ୍ୟାଧରପୁର ଅଞ୍ଚଳରେ ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ ଥାନାକୁ ମାସିକିଆ ଚାନ୍ଦା ବାବଦରେ ୩୦ ହଜାର ଟଙ୍କା ଦେଉଥିଲେ । ମାତ୍ର ଥାନା ବାବୁ ଶ୍ରୀ ବାରିକ୍ ଏଥିରେ ସନ୍ତୁଷ୍ଟ ନ ଥିଲେ । ୩୦ ହଜାର ବଦଳରେ ପ୍ରତି ମାସରେ ୪୦ ହଜାର ଟଙ୍କା ଦେବା ପାଇଁ ସେ ଦାବି କରିଥିଲେ । ୪୦ ହଜାର ଟଙ୍କା ନେଇସାରିଲା ପରେ ବି ସେ ଦାମୀ ହୋଟେଲ୍ରୁ ଖାଇବା, ଚିଙ୍ଗୁଡ଼ି, ଖାସି ମାଂସ ସହ ପର୍ବପର୍ବାଣୀରେ ଡ୍ରେସ୍ ଆଦି ଦାବି କରି ନେଉଥିଲେ । ମାସର ଧାର୍ଯ୍ୟ ସମୟରେ ୪୦ ହଜାର ଟଙ୍କା ନ ପହଞ୍ଚିଲେ ଲାଇସେନ୍ସ ବାତିଲ ପାଇଁ ଧମକ ଦେଉଥିଲେ । ଦାବି ବଢ଼ିବାରୁ ମଦ ବ୍ୟବସାୟୀ ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ । ଦାବି ମୁତାବକ ଟଙ୍କା ନେଇ ଆଜି ରାଜମହଲ ଛକରେ ବ୍ୟବସାୟୀ ପହଞ୍ଚିଥିଲେ । ଟଙ୍କା ଦେବା ବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଲାଞ୍ଚୁଆ ଇନ୍ସପେକ୍ଟରଙ୍କୁ ମାଡ଼ି ବସିଥିଲା ।
ସୂଚନାଥାଉକି ଗତବର୍ଷ ଭିଜିଲାନ୍ସ ସଂସ୍ଥା ରାଜ୍ୟର ବିଭିନ୍ନ ଜିଲ୍ଲାର ଥାନା, ଫାଣ୍ଡିରୁ ୧୬ ଜଣ ଅଫିସରଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଥିଲା । ପୁଲିସ ବିଭାଗରେ ଲାଞ୍ଚୁଆ ଅଫିସରଙ୍କ ସଂଖ୍ୟା ବଢ଼ିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।