ସୁକିନ୍ଦା/କଳିଙ୍ଗନଗର,୩୧/୦୮: ଯାଜପୁର ଜିଲ୍ଲା  ସୁକିନ୍ଦା ବ୍ଲକ୍‌ ପିମ୍ପୁଡ଼ିଆ ପଞ୍ଚାୟତର ପୂର୍ବତନ ପଞ୍ଚାୟତ  ନିର୍ବାହୀ ଅଧିକାରୀ (ପିଇଓ) ସନ୍ତୋଷ ଜେନାଙ୍କୁ  ଶନିବାର କଟକ ଭିଜିଲାନ୍ସ ବିଭାଗ ଦାନଗଦୀ ବ୍ଲକ୍‌  କାର୍ଯ୍ୟାଳୟରୁ ଗିରଫ କରିଛି । ୭ ଲକ୍ଷ ୩୫ ହଜାର  ଭତ୍ତା ଟଙ୍କା ହେର୍‌ଫେର୍‌ ଅଭିଯୋଗକୁ ନେଇ ରୁଜୁ  ମାମଲା ଆଧାରରେ ଭିଜିଲାନ୍ସ ବିଭାଗ ଶ୍ରୀ ଜେନାଙ୍କୁ  ଗିରଫ କରି କୋର୍ଟଚାଲାଣ କରିଛି ।

ଭିଜିଲାନ୍ସ ସୂଚନା  ମୁତାବକ, ସନ୍ତୋଷ  ପିମ୍ପୁଡ଼ିଆ ପଞ୍ଚାୟତ  ପିଇଓ ଥିବା ସମୟରେ  ୨୦୨୩-୨୪ ଆର୍ଥିକ  ବର୍ଷରେ ଭତ୍ତା ଟଙ୍କା ହେରଫେର୍‌ କରିଥିଲେ ।  ଅଡିଟ୍‌ ସମୟରେ ସେ  ୧୦ ଲକ୍ଷରୁ ଅଧିକ ଟଙ୍କା ହେର୍‌ଫେର୍‌ କରିଥିବା  ରିପୋର୍ଟରୁ ଜଣାପଡ଼ିଥିଲା । ପରବର୍ତ୍ତୀ ସମୟରେ  ସେ ୩ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ । ମାତ୍ର  ସିଂହଭାଗ ଅର୍ଥ ଦୀର୍ଘ ବର୍ଷ ହେବ ଫେରାଉନଥିଲେ ।  ସେ ଅଦ୍ୟାବଧି ୭ ଲକ୍ଷ ୩୫ ହଜାର ଟଙ୍କା ସରକାରୀ  ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।  ତେଣୁ ଜିଲ୍ଲା ପ୍ରଶାସନ ମାମଲାକୁ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିଥିଲା । 

ଏସମ୍ପର୍କରେ ଦାନଗଦୀ ବିଡିଓ ପ୍ରଦୀପ ସେଠୀ  କହିଛନ୍ତି, ପୂର୍ବରୁ ଶ୍ରୀ ଜେନା ନିଲମ୍ବିତ ହୋଇଥିଲେ ।  ତାଙ୍କୁ ଦାନଗଦୀ ବ୍ଲକ୍‌ କାର୍ଯ୍ୟାଳୟରେ ଦୈନିକ  ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଥିଲା । ନିର୍ଦ୍ଦେଶ  ବଳରେ ଶ୍ରୀ ଜେନା କାର୍ଯ୍ୟାଳୟକୁ ଆସୁଥିବା ବେଳେ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇନଥିଲା ।