ସୁବର୍ଣ୍ଣପୁର,୧୨/୧୨: ନିଜକୁ ଭିଜିଲାନ୍ସ ଅଫିସର କହି ବଡ଼ ବଡ଼ ଅଫିସରଙ୍କୁ ଠକୁଥିଲେ । ଆଉ ଏବେ ନିଜେ ଭିଜିଲାନ୍ସ ହାତରେ ଧରା ପଡିଲେ ୨ ଠକ। ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା। ଜଣେ ଓଏଏସ ଅଫିସରଙ୍କ ଠାରୁ ୪ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଗଣେଶ ନନ୍ଦ ଅନେକ ମୋବାଇଲ୍ ନମ୍ବର ବ୍ୟବହାର କରି ଟ୍ରୁକଲର୍ରେ ନିଜକୁ ଡିଜିଟାଲି ‘ଭିଜିଲାନ୍ସ ଅଫିସର’ଭାବେ ଦେଖାଉଥିଲେ। ସେମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଦୁର୍ନୀତି, ଧନବ୍ୟୟ ଅନିୟମିତତା ଇତ୍ୟାଦି ମିଥ୍ୟା ଅଭିଯୋଗ ଲଗାଇ ରେଡ୍ କରିବାର ଧମକ ଦେଇ ଟଙ୍କା ଉଠାଉଥିଲେ। ଏହି ପ୍ରକାର ଠକେଇ ଓ ଧମକ ଘଟଣା ସମ୍ବନ୍ଧୀୟ ସୂଚନା ମିଳିବା ପରେ, ଓଡିଶା ଭିଜିଲାନ୍ସ ଟିମ୍ ତାଙ୍କୁ ନଜରରେ ରଖିଥିଲା। ଏନେଇ ଗତକାଲି ସେମାନଙ୍କୁ ଗିରଫ କରାଯାଇଛି।