ନୂଆଦିଲ୍ଲୀ ୦୪/୦୬: ଦୀର୍ଘ ୧୮ ବର୍ଷର ପ୍ରତୀକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ସବୁ ଆଲୋଚନାର ଘଟିଛି ଅନ୍ତ । ଶେଷରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହୋଇଛି ଆଇପିଏଲ୍‌ର ନୂଆ ଚାମ୍ପିଅନ୍‌ । ଗତକାଲି ରାତିରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା।ଯେଉଁଥିରେ RCB ଚମତ୍କାର ପ୍ରଦର୍ଶନ କରି ୬ ରନରେ ବିଜୟୀ ହୋଇଥିଲା। RCB ଚାମ୍ପିଅନ ହେବା ପରେ, ଦଳର ପୂର୍ବତନ ମାଲିକ ଏବଂ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ପ୍ରଥମ ଥର ପାଇଁ RCB ଚାମ୍ପିଅନ୍ ହେବା ଉପରେ ବିଜୟ ମାଲ୍ୟା ଟ୍ୱିଟ୍ କରି ଲେଖିଛନ୍ତି, "ଯେତେବେଳେ ମୁଁ RCB ପ୍ରତିଷ୍ଠା କରିଥିଲି, ମୋର ସ୍ୱପ୍ନ ଥିଲା ଯେ IPL ଟ୍ରଫି ବେଙ୍ଗାଲୁରୁକୁ ଆସୁ। ଜଣେ ଯୁବ ଖେଳାଳି ଭାବରେ କିମ୍ବଦନ୍ତୀ କିଙ୍ଗ କୋହଲିଙ୍କୁ ବାଛିବାର ସୌଭାଗ୍ୟ ମୋତେ ମିଳିଲା ଏବଂ ଏହା ଉଲ୍ଲେଖନୀୟ ଯେ ସେ ୧୮ ବର୍ଷ ଧରି RCB ସହିତ ଅଛନ୍ତି।"




ସେ ଆହୁରି ଲେଖିଛନ୍ତି " ୟୁନିଭର୍ସ ବସ୍ କ୍ରିସ୍ ଗେଲ୍ ଏବଂ ମିଷ୍ଟର ୩୬୦ ଏବି ଡିଭିଲିୟର୍ସଙ୍କୁ ଚୟନ କରିବାର ଗୌରବ ମୋତେ ମିଳିଛି, ଯେଉଁମାନେ ଆରସିବି ଇତିହାସର ଏକ ଅଭୁଲା ଅଂଶ। ଶେଷରେ, ଆଇପିଏଲ ଟ୍ରଫି ବେଙ୍ଗାଲୁରୁରେ ପହଞ୍ଚିଛି।"ମୋ ସ୍ୱପ୍ନକୁ ସାକାର କରିଥିବା ସମସ୍ତଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ। RCB ର ପ୍ରଶଂସକ ସର୍ବୋତ୍ତମ ଏବଂ ସେମାନେ IPL ଟ୍ରଫି ପାଇବାର ଯୋଗ୍ୟ। ଇ ସାଲା କପ୍ ବେଙ୍ଗାଲୁରୁ ବାରୁଥେ!”

ତେବେ ଫାଇନାଲ ମ୍ୟାଚରେ ପୂର୍ବତନ ଅଭିଜ୍ଞ ଖେଳାଳି ଏବି ଡିଭିଲିୟର୍ସ ମଧ୍ୟ ଆରସିବିକୁ ସମର୍ଥନ କରିବାକୁ ଆସିଥିଲେ। ଡିଭିଲିୟର୍ସ ବହୁତ ଦିନ ଧରି ଆରସିବିର ଅଂଶ ଥିଲେ। ମ୍ୟାଚ୍ ଜିତିବା ପରେ ବିରାଟ କୋହଲି ଏବି ଡିଭିଲିୟର୍ସଙ୍କୁ ଆଲିଙ୍ଗନ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।