ଭୁବନେଶ୍ଵର, ୧୬/୦୧ : 'ବିଶ୍ଵାସଘାତକ କିଏ ଲୋକେ କହିବେ, କାର୍ଯ୍ୟାନୁଷ୍ଠାନ ପଛରେ ଥାଇପାରେ ଷଡ଼ଯନ୍ତ୍ର...'। ବିଜେଡିରୁ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ଵନ ପରେ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ। ପୁଅ ପାଇଁ କଲେ ଓକିଲାତି। କହିଲେ ଚର୍ଚ୍ଚାରେ କ'ଣ ଅଛି ? ଦଳ ବିରୋଧୀ ପାଇଁ ନିଲମ୍ବନ କରିଛନ୍ତି। ବିଜେଡି ଗୋଟିଏ ଦଳ, ସେ ତାଙ୍କ ପଦକ୍ଷେପ ନେଇଛନ୍ତି। ବିଶ୍ୱାସଘାତକ କ'ଣ ହେଇଛି ସେମାନେ କହିବେ ମୁଁ ଜାଣିବାରେ କିଛି ଘଟିନି... ଓଡ଼ିଶାର ଲୋକେ ଅପେକ୍ଷା କରୁଛନ୍ତି କାରଣ କ'ଣ ଜାଣିବା ପାଇଁ। କାହା ପାଖରେ କ'ଣ ଗୁଇନ୍ଦା ରିପୋର୍ଟ ଅଛି ସେମାନେ କହିପାରିବେ। ଭବିଷ୍ୟତ କଥା କିଏ କହିବ ? ଅରବିନ୍ଦ ମହାପାତ୍ର ମୋ ସମ୍ପର୍କରେ ନବୀନଙ୍କ ସହ କିଛି ଆଲୋଚନା କରିନି। ତେଣୁ କ'ଣ ହେଇଛି ଆକଳନ କରିବା କଷ୍ଟ। ଦଳରେ ଥିଲା ଆଉ ଦଳୀୟ ଲାଇନ କ'ଣ ? ନବୀନଙ୍କ ଦସ୍ତଖତରେ ଆସିଛି ଆଉ ନିଷ୍ପତି କ'ଣ ? ଓଡ଼ିଶା ଲୋକ ଜାଣିଲେ ଏଟା ଭଲ ହେଲା। ଏହା ପଛରେ ଷଡଯନ୍ତ୍ର ଥାଇପାରେ। ଦଳରେ ଯେଉଁ ଲୋକ ତାଙ୍କ ସାଙ୍ଗରେ ଅଛନ୍ତି ତାଙ୍କ କଥା ବୁଝିବ, ଏରିଆ କଥା ବୁଝିବ ଏହାହିଁ ମୋ ପରାମର୍ଶ।
'ବିଜେପିକୁ ୨ ବିଧାୟକ ଟେକିଦେଲା ବିଜେଡି'
ସେପଟେ ଦୁଇ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଯେ, ବିଜେପିକୁ ମଜବୁତ କରିବାକୁ ବିଜେଡି ଉଦ୍ୟମ କରୁଛି। ଦୁଇ ବିଧାୟକଙ୍କୁ ବିଜେପିକୁ ଟେକିଦେଲା ବିଜେଡି। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆହୁରି ବିଧାୟକଙ୍କୁ ମଧ୍ୟ ବିଜେପିକୁ ଟେକିଦେବ ବିଜେଡି। ରାଜ୍ୟସଭାରେ ଆଗରୁ ମଧ୍ୟ ବିଜେଡି ସମସ୍ତ ବିଲରେ ବିଜେପିକୁ ସମର୍ଥନ ଦେଇଆସିଛି, ଏବେ ମଧ୍ୟ ଦେବ। ରାଜ୍ୟସଭା ପାଇଁ ବିଜେଡିର ରାଜନୈତିକ ନିଷ୍ପତ୍ତି ବିଜେପି ପାଇଁ ସମର୍ପିତ। ତେଣୁ ବିଜେପି କିମ୍ବା ବିଜେଡିରୁ ଯେଉଁ ଦଳରୁ ଯେଉଁ ନେତା ରାଜ୍ୟସଭା ଗଲେ ଏକା କଥା। ଯେଉଁ ଅଫିସରମାନେ ବିଜେଡି ପାଇଁ କାମ କରୁଥିଲେ, ବିଜେପି ସରକାର ଆସିବା ପରେ ତାଙ୍କୁ ପରିବର୍ତ୍ତନ କରାଯାଇଥିଲା। ଏବେ ସେହି ଅଫିସର ପୁନର୍ବାର ପୁରୁଣା ସ୍ଥାନକୁ ଫେରିଲେଣି। ବର୍ତ୍ତମାନ ସରକାର ଚଳାଇବାରେ ମଧ୍ୟ ଉକ୍ତ ଅଫିସରମାନଙ୍କର ଅନେକ ଯୋଗଦାନ ରହିଛି।
କିଛି ଆଭାସ ନଥିଲା । ଗୁରୁବାର ହଠାତ୍ ବିଜେଡି ଜାରି କଲା ପ୍ରେସ୍ ବିବୃତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇଥିବା ଦଳ ପକ୍ଷରୁ କୁହାଗଲା । ଜଣକ ପରେ ଜଣେ ନେତା ସାମ୍ନାକୁ ଆସି କହିଲେ, ଦଳ ବିରୋଧୀ କାମ କରୁଥିଲେ, ନବୀନ କାର୍ଯ୍ୟାନୁଷ୍ଠାନ ନେଲେ । ହଠାତ୍ ନବୀନଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଦେଲା । ଏକାଥରରେ ଦୁଇଜଣ ବିଧାୟକଙ୍କୁ ଦଳରୁ ନିଲମ୍ବନ ସଭିଙ୍କୁ ଚକିତ କଲା । ବିଜେଡିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।