କେନ୍ଦୁଝର,୨୩/୫ : କେନ୍ଦୁଝର ସଦରମହକୁମା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ଓରମାସ ପକ୍ଷରୁ କେନ୍ଦୁଝର ଗାଁ ଆମ୍ବପସରା ପ୍ରଦର୍ଶନୀ ଶୁଭାରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗ୍ରାମ୍ୟ ଉନ୍ନୟନ ଓ ଜିଲ୍ଲା ପରିଷଦ କୁମାର ନାଗଭୂଷଣ ଏବଂ ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ଅଶୋକ ସେନାପତି, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଡି ଏସ ସୁଭଦର୍ଶୀ ଯୋଶୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ମଇ ମାସ ୨୩ରୁ ୨୮ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀରେ ଦସେରି, ଆମ୍ରପଲ୍ଲୀ, ମଲ୍ଲୀକା, ଅଳଫାଂସ, ଲାଲସୁନ୍ଦରୀ, ବାଇଗଣପଲେଇ, ହିମସାଗର, କ୍ଷୀରସାଗର, ଲେଙ୍ଗ୍ରା, ଜାତୀୟ ଉନ୍ନତ ଆମ୍ବ ସୁଲଭ ଦରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି । ତେଲକୋଇ, ଘଟଗାଁ, ବାଂଶପାଳର କାଞ୍ଜିପାଣି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ, ମା’ଲକ୍ଷ୍ମୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ, ସମାକୋଇ ମହିଳା ଫାର୍ମାର୍ସ ପ୍ରଡ୍ୟୁସର କମ୍ପାନୀ, ତେଲକୋଇ ପ୍ରଗତିଶୀଳ ଚାଷୀ ଅଲେଖ ନାୟକଙ୍କ ପକ୍ଷରୁ ଚାରୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଏହି ଆମ୍ବ ବିକ୍ରୟ କରାଯାଉଛି।
ଚଳିତ ବର୍ଷ ଏହି ପ୍ରଦର୍ଶନୀ ଓ ବିକ୍ରୟ ସମୟ ମଧ୍ୟରେ ୫ଟନରୁ ଊର୍ଦ୍ଧ୍ବ ଆମ୍ବ କେନ୍ଦୁଝର ସହର ଖାଉଟିଙ୍କୁ ଯୋଗାଇ ଦିଆଯିବ ବୋଲି ଓରମାସ ଯୁଗ୍ମ କାର୍ଯ୍ୟ ନିର୍ବାହୀ ସପନ ଗୋସ୍ୱାମୀ ପ୍ରକାଶ କରିଛନ୍ତି । ଏହି ଅବସରରେ ଏଡିଏଚ ଗୋବିନ୍ଦ ଚଦ୍ର ମେହେର, ଡ଼ିଡ଼ିଏଚ ଏସ ପାଣିଗ୍ରାହୀ ଉପସ୍ଥିତ ଥିଲେ । ପ୍ରକଳ୍ପ ନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ପଟ୍ଟନାୟକ କମରସିଆଲ ମ୍ୟାନେଜର ଗାୟତ୍ରୀ ପରିଡା, ଶୁଚିସ୍ମିତା ଦାସ, ଲକ୍ଷ୍ମୀଧର ମିଶ୍ର, ଭରତ ମହାନ୍ତ ପ୍ରମୁଖ ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶ୍ରେଷ୍ଠ ମାଷ୍ଟର ବୁକ କିପର ଭାବେ ହରିଚନ୍ଦନପୁର ବ୍ଲକର ସସ୍ମିତା ମାଝୀ, ସଦର ବ୍ଲକ ର ଅମିତା ନାଇକଙ୍କୁ ଓଏମସି ଏବଂ ଓରମାସ ପକ୍ଷରୁ ଆର୍ଥିକ ପ୍ରେତ୍ସାହନ ପ୍ରଦାନ କରାଯାଇଥିଲା ।