ଉଦଳା, ୨୪/୦୪ : ବନ କର୍ମଚାରୀଙ୍କୁ ନିସ୍ତୁକ ମାଡ଼, ଭାଙ୍ଗିଲେ ଗାଡି । ମୟୂରଭଞ୍ଜର ଡୁକୁରା ବନାଞ୍ଚଳ ଅଧିନ ବହଳଦା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୭ ଜଣ ବନ କର୍ମଚାରୀ ହାତୀ ଘଉଡ଼ାଇବା ବେଳେ ହାତୀଟି ଜନବସତିକୁ ପଶିଆସି କିଛି ଘର ଭାଙ୍ଗି ଦେଇଥିଲା। ଫଳରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ବାରିପଦାରୁ ଅଧିକ ବନ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ।
ସୂଚନାନୁଯାୟୀ, ଶିମିଳିପାଳରୁ ଏକ ଦନ୍ତାହାତୀ ଜନବସତି ମୁହାଁ ହୋଇଥିଲା । ଏହାକୁ ଜଙ୍ଗଲକୁ ଘଉଡାଇବା ପାଇଁ ବନବିଭାଗ ପ୍ରୟାସ ଜାରି ରଖିଥିଲା ବେଳେ ହାତୀଟି ବହଳଦା ଅଞ୍ଚଳରେ ପ୍ରବେଶ କରି କିଛି ଘର ଭାଙ୍ଗି ଦେଇଥିଲା । ଏଥିରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ହାତୀ ଘଉଡାଇବାକୁ ଯାଇଥିବା ୭ଜଣ ବନ କର୍ମଚାରୀଙ୍କୁ ଅଟକାଇ ନିସ୍ତୁକ ମାଡ ମାରିବା ସହ ବନବିଭାଗ ଗାଡିଟିକୁ ଭାଙ୍ଗିରୁଜି ଦେଇଥିଲେ । ବାରିପଦାରୁ ଅଧିକ ବନ କର୍ମଚାରୀ ପହଞ୍ଚି ଫସି ରହିଥିବା ସମସ୍ତ ବନକର୍ମୀଙ୍କୁ ଉଦ୍ଧାର କରିଥିଲେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅପରାହ୍ନରୁ ହାତୀ ଜନବସତି ମୁହାଁ ହୋଇଥିବା ଖବର ବନବିଭାଗକୁ ଦିଆଯାଇଥିଲା । ସନ୍ଧ୍ୟାରେ ହାତୀ ଘର ଭାଙ୍ଗିବା ଆରମ୍ଭ କରିଥିଲେ ସୁଦ୍ଧା ବନ କର୍ମଚାରୀ ପହଞ୍ଚିନଥିଲେ । ରାତିରେ ବନବିଭାଗ ହାତୀ ଘଉଡାଇବାକୁ ପହଞ୍ଚିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ । ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏହି ଆକ୍ରମଣରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ମହିଳା ଗାର୍ଡ ଗୁରୁତର ହୋଇଛନ୍ତି।
ଏହି ଖବରଟିକୁ ପଢନ୍ତୁ- ରଥଖଳା ହାଲ୍ଚାଲ୍ : ରଥ ଚାଳିରେ ତୁମ୍ବ, ଶାଳରେ ଅର କଣ୍ଟା ତିଆରି