ପୁରୀ, ୨୪/୦୪: ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା। ରଥ ନିର୍ମାଣ ଅବସରରେ ଚକ ପାଇଁ ତୁମ୍ବ ଓ ଅର କଣ୍ଟା ତିଆରି ଜାରି ରହିଛି । କରତି ସେବକ ଗଡ଼ କାଟିବା ପରେ ଭୋଇ ସେବକମାନେ ବିଶ୍ୱକର୍ମାଙ୍କୁ ଯୋଗାଉଛନ୍ତି । ଆଗେଇ ଚାଲଛି ତୁମ୍ବ ନିର୍ମାଣ କାର୍ଯ୍ୟ। ଚତୁର୍ଥ ଦିନରେ ତିନି ରଥର ନିର୍ମାଣ କାରୀ ସେବକ ମାନେ ସକାଳ ୮ ଟାରୁ ରଥଖଳା ଠାରେ ନିର୍ମାଣ କାର୍ଯ୍ୟରେ ଆରମ୍ଭ କରିଛନ୍ତି । ତିନିରଥ ମହାରଣା ସେବକମାନେ ତୁମ୍ବର ଗୋଲେଇ କାର୍ଯ୍ୟ ବ୍ୟସ୍ତ ଅଛନ୍ତି। ଏଥର ପ୍ରଥମ ଥର ପାଇଁ ତୁମ୍ବ କାଟିବାକୁ କରତି ସେବକମାନେ ମେସିନ୍ର ବ୍ୟବହାର କରୁଛନ୍ତି।
ଗୁରୁବାର ସନ୍ଧ୍ୟା ସୁଦ୍ଧା ଭୋଇ ସେବକମାନେ ବିଶ୍ୱକର୍ମାଙ୍କୁ ୨୦ ଗୋଟି ଫାସୀ ଗଡ଼ ଯୋଗାଇଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ । ସେଥିରୁ ତାଳଧ୍ୱଜ ଓ ନନ୍ଦିଘୋଷ ରଥ ପାଇଁ ୭ଟି ଲେଖାଏଁ ଏବଂ ଦର୍ପଦଳନ ରଥ ଚାଳିକୁ ୬ଟି ତୁମ୍ବ ଗଡ଼ ଯୋଗାଯାଇଛି । ବିଶ୍ୱକର୍ମାମାନେ ବାରିସିରେ ହାଣି ପାଖାପାଖି ୧୦ଟି ତୁମ୍ବ ଗୋଲେଇ କାର୍ଯ୍ୟ ଶେଷ କରିଥିବା ସୂଚନା ରହିଛି । କରତି ସେବକମାନେ ରଥତ୍ରୟ ପାଇଁ ଆବଶ୍ୟକ ମୋଟ ୪୨ ତୁମ୍ବ ଗଡ଼ କାଟିବେ ।
ସେପଟେ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଲୁହା ରଡ଼ କାଟି ୬/୭ ଇଞ୍ଚ ସାଇଜର ଅର କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଗୁରୁବାର ରଥ ନିର୍ମାଣ କାର୍ଯ୍ୟରେ ସହାୟକଙ୍କୁ ମିଶାଇ ମୋଟ ୫୦ ଜଣ ନିୟୋଜିତ ଥିଲେ।
ଅଧିକ ପଢ଼ନ୍ତୁ :- ଅଣନିଃଶ୍ୱାସୀ ବଡ଼ଦାଣ୍ଡ: ଆବର୍ଜନା ଓ ଜବରଦଖଲରେ ରୁନ୍ଧି ହେଲାଣି ଶ୍ରୀକ୍ଷେତ୍ର, ଶୋଇଛି ପ୍ରଶାସନ !