ସୁନ୍ଦରଗଡ଼, ୧୫।୩: ଏଠି ଛୁଆଟିଏ ବୁଦ୍ଧି ଜାଣିଲେ ଆପେ ଆପେ ଆଗେଇ ଆସେ ଜଙ୍ଗଲ ସୁରକ୍ଷା କରିବାକୁ । ମୁଣ୍ଡରେ ପାଗ ଭିଡ଼ି ବାହାରିପଡ଼େ ଠେଙ୍ଗାପାଳିରେ । ବୟସ୍କ ଲୋକଙ୍କ ପ୍ରଶିକ୍ଷଣରେ ପାଲଟିଯାଏ ସବୁଜ ସିପାହୀ । ଖାସ୍ ସେଇଥିପାଇଁ ଧ୍ୱଂସମୁଖରେ ପଡ଼ିଥିବା ପରିବେଶରେ ଫେରିଛି ସବୁଜିମା । ୧୮୦ ହେକ୍ଟର ରୂପାନ୍ତରିତ ହୋଇଛି ଘଞ୍ଚ ଜଙ୍ଗଲରେ । ବନ ସୁରକ୍ଷାରେ ସମର୍ପିତ ଦେଓଭୁବନପୁର ଗ୍ରାମବାସୀଙ୍କ ନିଷ୍ଠାପର ଉଦ୍ୟମରୁ ଦୀର୍ଘ ଦଶନ୍ଧି ଧରି କୁକୁଡ଼ାଜପ୍ତି ଜଙ୍ଗଲକୁ ଛୁଇଁପାରିନି ବନାଗ୍ନି । ବଣପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲା ଫି’ ବର୍ଷ ଜଙ୍ଗଲ ନିଆଁ କବଳିତ ହେଉଛି । ଏଥିରେ ଛାରଖାର ହୋଇଯାଉଛି ସବୁଜ ବଳୟ । ବନ୍ୟପ୍ରାଣୀଙ୍କ ପ୍ରାକୃତିକ ଆବାସକୁ ଭୟଙ୍କର କ୍ଷତି ପହଞ୍ଚୁଛି । ବନାଗ୍ନି ରୋକିବାକୁ ବନ ବିଭାଗ ନାକେଦମ ହେଉଛି । କିନ୍ତୁ ଉଜ୍ଜ୍ୱଳପୁର ବନାଞ୍ଚଳ ଅନ୍ତର୍ଗତ ଦେଓଭୁବନପୁର ଗାଁ ସଂଲଗ୍ନ କୁକୁଡ଼ାଜପ୍ତି ଜଙ୍ଗଲ ଏହାର ବ୍ୟତିକ୍ରମ । ଗ୍ରାମବାସୀ ଜଙ୍ଗଲ ସୁରକ୍ଷାକୁ ବ୍ରତ ଭାବେ ଗ୍ରହଣ କରି ବଦଳାଇ ଦେଇଛନ୍ତି ଚିତ୍ର । ୧୮୪ ପରିବାରକୁ ନେଇ ଗଢ଼ି ଉଠିଥିବା ଦେଓଭୁବନପୁର ଗ୍ରାମର ପ୍ରାୟ ସମସ୍ତେ ଆଦିବାସୀ ସମ୍ପ୍ରଦାୟର ।
ଏହା ବି ପଢ଼ନ୍ତୁ... ରାଜ୍ୟସଭା ଭୋଟ ଟେନସନ୍; ଭକ୍ତଙ୍କ ନିଦ ହଜାଇଲେଣି ୩ ବିଧାୟକ,ବିଜେଡ଼ିର ଚିନ୍ତା ବଢ଼ାଇଲେ ଚକ୍ରମଣୀ,ନବ ଓ ସୌଭିକ
ପାଞ୍ଚ ଦଶନ୍ଧି ତଳେ କାଠ ମାଫିଆମାନେ କୁକୁଡ଼ାଜପ୍ତି ଜଙ୍ଗଲକୁ ପଦା କରିଦେଇଥିଲେ । ଜମି ବନ୍ଦୋବସ୍ତ ଆଇନରେ ପରିବର୍ତ୍ତନ କାରଣରୁ ଲାକେ ଜଙ୍ଗଲ ଜମି ଦଖଲକୁ ନେଲେ । କୁକୁଡ଼ାଜପ୍ତି ଜଙ୍ଗଲ ସତ୍ତା ହରାଇବାକୁ ବସିଥିଲା । ସେତେବେଳେ ପରିବେଶପ୍ରେମୀ ଘନଶ୍ୟାମ ଟପ୍ପୋଙ୍କ ନେତୃତ୍ୱରେ କମଳି ଓରାମ, ଲଛମନ ଓରାମ, ବାଲକୁ ବାର୍ଲା, ଭାଗୀରଥୀ ଗିଧିଙ୍କ ଭଳି ଅନେକ ଆଗ୍ରହୀ ବ୍ୟକ୍ତି ଜଙ୍ଗଲ ସୁରକ୍ଷା କରିବା ଲାଗି ଆଗେଇ ଆସିଥିଲେ । ହେଲେ ଏହା ସେତେଟା ସହଜ ନ ଥିଲା । ବିରୋଧ, ଘାତ-ପ୍ରତିଘାତ ସତ୍ତେ୍ୱ ଗଢ଼ା ଯାଇଥିଲା ଜଙ୍ଗଲ ସୁରକ୍ଷା କମିଟି । ଏଥିରେ ଧୀରେ ଧୀରେ ଯୋଡ଼ି ହୋଇଥିଲେ ଗ୍ରାମର ପ୍ରତିଟି ପରିବାର । ସେମାନେ ନେଇଥିଲେ ୧୮୦ ହେକ୍ଟର ପରିମିତ ଜଙ୍ଗଲର ସୁରକ୍ଷା ଦାୟିତ୍ୱ । ଦୈନିକ ପାଳି କରି ଜଙ୍ଗଲକୁ ସୁରକ୍ଷା ଦେବା ଆରମ୍ଭ କରିଥିଲେ । ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଗ୍ରାମବାସୀଙ୍କୁ ମଧ୍ୟ ସଚେତନ କରାଇଥିଲେ । କ୍ରମାଗତ ବୈଠକ ଆୟୋଜନ କରି ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଜଙ୍ଗଲ ସୁରକ୍ଷାକୁ ଅଧିକ ସଶକ୍ତ କରିବାକୁ ୧୯୯୬ରେ ବନ ବିଭାଗ ସହ ହାତ ମିଳାଇଥିଲେ ଗ୍ରାମବାସୀ ।
ତେବେ ଜଙ୍ଗଲ ସୁରକ୍ଷାର ନେତୃତ୍ୱ ନେଉଥିବା କେତେଜଣ ଆଗଧାଡ଼ିର ଲୋକଙ୍କ ମୃତ୍ୟୁ ପରେ ସୁରକ୍ଷା ବ୍ୟବସ୍ଥା ସାମାନ୍ୟ ଢିଲା ହୋଇଯାଇଥିଲା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୨୦୧୭ରେ ଉଜ୍ଜ୍ୱଳପୁର ବନାଞ୍ଚଳ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସେବକ’ର ମିଳିତ ଉଦ୍ୟମରେ ପୁନର୍ଗଠିତ ହୋଇଥିଲା ଦେଓଭୁବନପୁର ବନ ସୁରକ୍ଷା ସମିତି । ଇତିମଧ୍ୟରେ ପ୍ରାୟ ୧୦ ବର୍ଷ ବିତିଛି । ଜଙ୍ଗଲରେ ନୂତନ ବନୀକରଣ କରାଯାଇଛି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହଜ ହୋଇଛି । ବନ୍ୟପ୍ରାଣୀଙ୍କ ପ୍ରାକୃତିକ ଆବାସ ସଂରକ୍ଷିତ ହୋଇପାରିଛି । ସୁନ୍ଦର ସବୁଜ ପରିବେଶରେ ଗ୍ରାମବାସୀ ଶାନ୍ତିରେ ନିଃଶ୍ୱାସ ନେଉଛନ୍ତି । ଏ ସମ୍ପର୍କରେ ସୁନ୍ଦରଗଡ଼ ବନଖଣ୍ଡର ସହକାରୀ ବନସଂରକ୍ଷକ (ଏସିଏଫ୍) ରାଜକୁମାର ସେଠୀ କହିଛନ୍ତି, କୁକୁଡ଼ାଜପ୍ତି ଜଙ୍ଗଲ ସୁରକ୍ଷାରେ ଦେଓଭୁବନପୁର ଗାଁର ଲୋକଙ୍କ ଉଦ୍ୟମ ପ୍ରଶଂସନୀୟ । ଗ୍ରାମବାସୀ ବନ ବିଭାଗର କାମକୁ ହାଲୁକା କରିଦେଇଛନ୍ତି । ଜିଲ୍ଲାର ଅନେକ ଜଙ୍ଗଲରେ ନିଆଁ ଲାଗୁଛି । କିନ୍ତୁ କୁକୁଡ଼ାଜପ୍ତି ଜଙ୍ଗଲ ଦିନକୁ ଦିନ ଘଞ୍ଚ ହେବା ଅନନ୍ୟ ଉଦାହରଣ ।