ଉତ୍ତରାଖଣ୍ଡ ୨୦/୦୧: ଉତ୍ତରାଖଣ୍ଡର ପାହାଡ଼ିଆ କ୍ଷେତ୍ରରେ ବରଫପାତ ମାସରେ ବି ଲୋକେ ବର୍ଷା ଓ ବରଫକୁ ଚାତକ ପରି ଅପେକ୍ଷା କରିଛନ୍ତି । ଚମୋଲିର ଗ୍ରାମବାସୀ ମରୁଡ଼ି ପରିସ୍ଥିତି ଓ ଜଳ ସଂକଟର ସମ୍ମୁଖୀନ ହେଉଛନ୍ତି । ଏହି ସ୍ଥିତିରେ ସେମାନେ ଏବେ ଦେବତାଙ୍କ ପାଖରେ ଗୁହାରି କରୁଛନ୍ତି । ଗ୍ରାମବାସୀଙ୍କ ବିଶ୍ୱାସ, ଗାଁରେ ଯେତେବେଳେ କୌଣସି ପ୍ରାକୃତିକ ସଂକଟ ଦେଖାଯାଏ ସେମାନେ ଗାଁର ଆରାଧ୍ୟ ଦେବତାଙ୍କ ଶରଣକୁ ଯାଆନ୍ତି । ବର୍ଷା ଓ ବରଫପାତ ପାଇଁ ପ୍ରକୃତି ପାଖରେ ଅନୁନୟ ବିନୟ କରିବା ଏହି ପାହାଡ଼ୀ କ୍ଷେତ୍ରର ପ୍ରାଚୀନ ସାମୂହିକ ସଂସ୍କୃତିର ପ୍ରତୀକ । ଜଳବାୟୁର ମୋଡ଼ରେ ଯଥାଶୀଘ୍ର ପରିବର୍ତ୍ତନ ଲାଗି ଗାଁ ଲୋକେ ଦେବୀ-ଦେବତାଙ୍କ ପାଖରେ ପାର୍ଥନା କରୁଛନ୍ତି । ଯଦି ସପ୍ତାହ ମଧ୍ୟରେ ବର୍ଷା ନ ହୁଏ, ସେମାନେ ଲାଟୁ ଦେବତାଙ୍କ ମନ୍ଦିରରେ ସ୍ୱତନ୍ତ୍ର ଧ୍ୟାନ-ସାଧନା ଆରମ୍ଭ କରିବେ ।
ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ବର୍ଷା ଓ ବରଫପାତ ନ ହେବାରୁ ଚାଷୀ ଚିନ୍ତାରେ । ବର୍ଷା ଓ ବରଫପାତ ଅଭାବରୁ ଶୀତର ପ୍ରକୋପ ବଢୁଛି । ଫଳରେ ଫସଲ ଉପରେ ସିଧା ପ୍ରଭାବ ପଡୁଛି । ଏବେଠୁ ଜଳସ୍ତର କମିବାରୁ ଗାଁ ଲୋକେ ଭୟରେ ଅଛନ୍ତି ।