ବାହାନଗା/ଖନ୍ତାପଡ଼ା, ୩୦/୦୫: ବରିପଦା ସେବା ସମବାୟ ସମିତିରେ ଖୋଲିନି ମଣ୍ଡି। ସମିତି ଫାଟକରେ ତାଲା ଦେଇ ଧାରଣାରେ ବସିଲେ ଚାଷୀ। ସରକାର ଧାନ ନ କିଣିଲା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଶତାଧିକ ଚାଷୀ ସମିତି ସମ୍ମୁଖରେ କରିଛନ୍ତି ଅନଶନ। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଳକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ବାହାନଗା ବ୍ଳକରେ ଧାନ ଗଜା ହେଉଥିବା ବେଳେ ଟୋକନ ପାଇ ଅବଧି ସରିବାକୁ ବସିଲାଣି। ହେଲେ ଧାନ କିଣିବାକୁ ସରକାରଙ୍କ ପକ୍ଷରୁ ସମିତିକୁ ଆସିନି ଆବଶ୍ୟକୀୟ ସରକାରୀ ଟାର୍ଗେଟ । ଏଯାବତ ବରିପଦା ସେବା ସମବାୟ ସମିତିରେ ଧାନ ବିକ୍ରି ପାଇଁ ମଣ୍ଡି ଖୋଲି ନଥିବା ବେଳେ ଚାଷୀ ମୁଣ୍ଡରେ ଚଡକ ପଡ଼ିଛି। ଚାଷୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ । ଯାହାକୁ ନେଇ ପ୍ରତିବାଦରେ ଶତାଧିକ ଚାଷୀ ଆଜି ପୂର୍ବାହ୍ନରେ ବରିପଦା ସେବା ସମବାୟ ସମିତି ଫାଟକରେ ତାଲା ପକାଇ ଧାରଣାରେ ବସିଥିବା ଜଣାପଡ଼ିଛି।
ବରିପଦା ସେବା ସମବାୟ ସମିତି ଅଧୀନରେ ଆରୁହାବାଡ଼ ଏବଂ ବରିପଦା ପଞ୍ଚାୟତର ଶତାଧିକ ଚାଷୀ ରହିଛନ୍ତି । ଚଳିତ ବର୍ଷ ରବି ଋତୁରେ ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ୩୫୪ ଜଣ ଚାଷୀ ଅନଲାଇନ ଜରିଆରେ ପଞ୍ଜୀକରଣ କରିଥିଲେ। ହେଲେ ସରକାରଙ୍କ ପକ୍ଷରୁ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ୩୫୦ ଜଣ ଚାଷୀଙ୍କୁ ଚଳିତ ମାସ ୧୫ ତାରିଖଠାରୁ ଟୋକନ ମିଳିଥିଲା। ଟୋକାନ ପାଇ ଚାଷୀଙ୍କ ଟୋକନ ଅବଧି ସରିଥିଲେ ମଧ୍ୟ ସରକାରୀ ଅଧିକାରୀ ଟାର୍ଗେଟ ନାହିଁ କହି ଚାଷୀଙ୍କୁ ହତାଶ କରିଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ମାତ୍ର ୫୦୬ କୁଇଣ୍ଟାଲ ଧାନ କିଣିବା ପାଇଁ ସମବାୟ ସମିତିକୁ ଟାର୍ଗେଟ ଆସିଛି। ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ । ୩୫୪ ଜଣ ଚାଷୀଙ୍କର ଧାନ ପ୍ରାୟ ୧୧୦୬୫କୁଇଣ୍ଟାଲରୁ ଅଧିକ ହୋଇଥିବା ବେଳେ ସମିତିକୁ ସରକାର ଦେଇଛନ୍ତି ମାତ୍ର ୫୦୬ କୁଇଇଣ୍ଟାଲ ଟାର୍ଗେଟ। ସରକାରଙ୍କ ଅଜବ ନୀତିକୁ ନେଇ ସମିତି କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିବା ସହ ଏ ଯାଏଁ ଆସିଥିବା ସେହି ୫୦୬ କୁଇଣ୍ଟାଲ ଧାନ କିଣିବା ପାଇଁ ମଧ୍ୟ ମଣ୍ଡି ଖୋଲିନି।
ରବି ଋତୁରେ ଚାଷୀଙ୍କ ଅମଳ ଧାନ କ୍ରୟ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିବା ବେଳେ ବରିପଦା ସେବା ସମବାୟ ସମିତି ମଣ୍ଡି ଏ ପର୍ଯ୍ୟନ୍ତ ଚାଲୁ ହୋଇନଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ତାଲା ପକାଇ ଅନଶନ ଜାରି ରଖିଛନ୍ତି । ଅନେକ ଚାଷୀଙ୍କ ଧାନ ଗଜା ହୋଇ ଯାଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । ସେପଟେ ଅନଲାଇନ କରିଥିବା ୩୫୪ ଜଣରୁ ଉର୍ଦ୍ଧ ଚାଷୀଙ୍କ ମଧ୍ୟରୁ ଏ ଯାଏଁ ୩୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଟୋକନ ମଧ୍ୟ ଆସିଛି। ସମିତିରେ ମଣ୍ଡି ଖୋଲା ନ ଯିବା, ସମିତିକୁ ଆବଶ୍ୟକୀୟ ଟାର୍ଗେଟ ନ ଆସିବା, ମଣ୍ଡି ନ ଖୋଲିବା ଯୋଗୁଁ ଚାଷୀଙ୍କ ଧାନ ଗଜା ହୋଇ ଗଛ ହେବା, ସରକାରଙ୍କ ବେପରୁଆ ବ୍ୟବସ୍ଥା ସହ ଚାଷୀ ମାରଣ ନୀତି ବିରୋଧରେ ପ୍ରତିବାଦ ସହ ତୁରନ୍ତ ସମସ୍ୟାର ସମାଧାନ ଦାବି ହୋଇଥିଲା । ଏନେଇ ବିଭାଗ ପକ୍ଷରୁ ଚାଷୀଙ୍କୁ ସମିତିକୁ ଧାନ କୁଇଣ୍ଟାଲ ଟାର୍ଗେଟ ଅଧିକ ଦିଆଯିବା ନେଇ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ହେଲେ ପ୍ରତିଶ୍ରୁତି ମୁତାବକ ବିଭାଗୀୟ ଅଧିକାରୀ ତଥା ଜିଲା ପ୍ରଶାସନ ଧାନ କିଣା ଟାର୍ଗେଟ ନ ଦେବାରୁ ଶତାଧିକ ଚାଷୀ ବରିପଦା ସେବା ସମବାୟ ସମିତିର କର୍ମଚାରୀ ଅଫିସ ଭିତରେ ଥିବା ସମୟରେ ବାହାର ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ।