ନୂଆଦିଲ୍ଲୀ: ନିଜ ପ୍ରଶଂସକମାନଙ୍କୁ ଖୁସି ଖବର ଜଣାଇଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ। ସେ ବହୁ ଜଲଦି ମା ହେବାକୁ ଯାଉଛନ୍ତି ବୋଲି ଗୁରୁବାର ଘୋଷଣା କରିଛନ୍ତି। ୨୦୨୪ ପ୍ୟାରିସ ଅଲମ୍ପିକ୍ସ ପରେ କୁସ୍ତିରୁ ସନ୍ୟାସ ନେଇଯାଇଥିବା ଭିନେଶ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ଜଣାଇଛନ୍ତି। ତେବେ ଆପଣଙ୍କୁ ଜଣାଇରଖୁ ଯେ ଭିନେଶ ୨୦୧୮ ମସିହାରେ ସୋମଭିର ରାଠିଙ୍କୁ ବିବାହ କରିଥିଲେ।
ଖବର ମୁତାବକ, ଭିନେଶ ଏନେଇ ଗୁରୁବାର ନିଜ ଇନଷ୍ଟାଗ୍ରାମ ହ୍ୟଣ୍ଡେଲରେ ଏକ ଫଟୋ ସହ ଏହି କ୍ୟପସନ ଲେଖି ପୋଷ୍ଟ କରିଛିନ୍ତି। ତାଙ୍କ ଜୀବନରେ ଏହି ନୂଆ ଅଧ୍ୟାୟ ଯୋଡିହେବା ପରେ ତାଙ୍କ ଭଲପାଇବା ଧିରେ ଧିରେ ବଡୁଛି ବୋଲି ୩୦ ବର୍ଷିୟ ଭିନେଶ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହା ସହ ଏହି ପୋଷ୍ଟରେ ଏକ ଶିଶୁ ପାଦଚିହ୍ନ ସହ ହୃଦୟର ଇମୋଜି କ୍ୟପସନ ମଧ୍ୟ ରହିଛି।

ଭିନେଶ ଏହି ପୋଷ୍ଟ ଜାରି କରିବା ପରେ ବିଭିନ୍ନ ପ୍ରଶଂସକଙ୍କ ସହ ବିଭିନ୍ନ କୁସ୍ତିଯୋଦ୍ଧାଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ପରିପ୍ରେକ୍ଷିରେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ ମଧ୍ୟ ଆଦୌ ପଛରେ ନାହାନ୍ତି। ଉଭୟ କୁସ୍ତି ଯୋଦ୍ଧା ଇନଷ୍ଟାରେ ଭିନେଶ ଓ ରାଟିଙ୍କୁ ଶୁବେଚ୍ଛା ଜଣାଇଛନ୍ତି।
ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ଭିନେଶ ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ମହିଳା ଭାବେ ସେ ଅଲମ୍ପିକ ଫାଇନାଲରେ ପହଞ୍ଚିଥିଲେ। ତେବେ ତାଙ୍କ ଓଜନରେ ମାତ୍ର ୧୦୦ ଗ୍ରାମ ବୃଦ୍ଧି ଯୋଗୁଁ ଅତ୍ୟନ୍ତ ବିବାଦିୟ ପରିବେଶରେ ତାଙ୍କୁ ଖେଳ ଛାଡିବାକୁ ପଡିଥିଲା ଓ ତାଙ୍କୁ ସମସ୍ତ ଇଭେଣ୍ଟରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
ଏହା ପରଠୁ ସେ କୁସ୍ତି ଛାଡିଦେଇ ରାଜନୀତିରେ ସକ୍ରିୟ ରହିଥିଲେ। ହରିୟାନା ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ଦଳ ପକ୍ଷରୁ ଲଢେଇ କରି ଜୁଲାନା ସିଟକୁ ହାତେଇବାରେ ସକ୍ଷମ ହୋଇଛନ୍ତି।