• ବାଂଲାଦେଶରେ ରାଜନୀତିକ ହିଂସା ଥମୁନି 
  • ହାଦିଙ୍କ ମୃତ୍ୟୁ ପରେ ଉଗ୍ରରୂପ ନେଇଛି ଉତ୍ତେଜନା
  • ଛାତ୍ର ଆନ୍ଦୋଳନର ନେତାଙ୍କୁ କରାଯାଇଛି ଗୁଳି
  • ଶିକନ୍ଦରଙ୍କ ମୁଣ୍ଡର ବାମପଟେ ହୋଇଛି ଫାୟାରିଂ

ନୂଆଦିଲ୍ଲୀ : ବାଂଲାଦେଶରେ ରାଜନୀତିକ ହିଂସା ଥମିବାର ନାଁ ହିଁ ନେଉ ନାହିଁ। ସୋମବାର ଦକ୍ଷିଣ-ପଶ୍ଚିମ ସହର ଖୁଲଣାରେ ଅଜ୍ଞାତ ଆକ୍ରମଣକାରୀ ଛାତ୍ର ଆନ୍ଦୋଳନ ସହ ସଂପୃକ୍ତ ନେତା ମୋତାଲେବ ଶିକଦରଙ୍କ ମୁଣ୍ଡରେ ଗୁଳି କରିଛନ୍ତି। ତାଙ୍କର ସ୍ଥିତି ଗୁରୁତର ଥିବା କୁହାଯାଉଛି।

ମୋତାଲେବ ଶିକଦର ନ୍ୟାସନାଲ ସିଟିଜନ ପାର୍ଟି (ଏନସିପି) ର ଖୁଲଣା ଡିଭିଜନ ପ୍ରମୁଖ ଓ ପାର୍ଟିର ଆର୍କର୍ସ ଫ୍ରଣ୍ଟର କେନ୍ଦ୍ରୀୟ ସମନ୍ୱୟକ ଅଛନ୍ତି। ପାର୍ଟିର ସଂଯୁକ୍ତ ପ୍ରମୁଖ ସମନ୍ୱୟକ ମହାମୁଦା ମିତୁ ସୋସିଆଲ ମିଡ଼ିଆର ପୋଷ୍ଟ ମାଧ୍ୟମରେ ହମଲା ସ୍ପଷ୍ଟ କରିଛନ୍ତି ଏବଂ କହିଛନ୍ତି ଯେ, ଗୁଳି କରିବାର ତୁରନ୍ତ ପରେ ଶିକନ୍ଦରଙ୍କୁ ଖୁଲଣା ମେଡିକାଲ କଲେଜ୍ ହସ୍ପିଟାଲ ନିଆଯାଇଛି।

ହସ୍ପିଟାଲର ସୂତ୍ରାନୁସାରେ , ଶିକନ୍ଦରଙ୍କ ମୁଣ୍ଡର ବାମପଟେ ଗୁଳି ବାଜିଛି ଏବଂ ତାଙ୍କୁ ଅତ୍ୟଧିକ ରକ୍ତସ୍ରାବ ସ୍ଥିତିରେ ହସ୍ପିଟାଲ ନିଆଯାଇ ଥିଲା, ସେଠାରେ ଡାକ୍ତର ତାଙ୍କୁ ତୁରନ୍ତ ଜରୁରୀକାଳିନ ଚିକିତ୍ସା ଆରମ୍ଭ କରିଥିଲେ। ପରେ ତାଙ୍କର କ୍ଷତର ଗୁରୁତର ବିଷୟରେ ଜାଣିବା ପାଇଁ ତାଙ୍କୁ ହସ୍ପିଟାଲର ସିଟି ଏମେଜିଂ ସେଣ୍ଟରକୁ ସିଫ୍ଟ କରାଯାଇ ଥିଲା।

ଏହି ହମଲା ଏମିତି ସମୟରେ ହୋଇଛି,ଯେବେ କିଛି ଦିନ ପୂର୍ବେ ଛାତ୍ର ଆନ୍ଦୋଳନର ଜଣେ ପ୍ରମୁଖ ନେତା ଶରିଫ୍ ହାଦିଙ୍କର ଗୁଳି କରି ହତ୍ୟା କରାଯାଇଥିଲା। ହାଦିଙ୍କୁ ୧୨ ଡିସେମ୍ୱରରେ ଢାକାର ବିଜୟନଗର ଅଞ୍ଚଳରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ବେଳେ ମୁଖାପିନ୍ଧୀ ଆକ୍ରମଣକାରୀ ମୁଣ୍ଡରେ ଗୁଳି କରିଥିଲେ। ଚିକିତ୍ସା ପାଇଁ ତାଙ୍କୁ ସିଙ୍ଗାପୁର ନିଆଯାଇ ଥିଲା। ସେଠାରେ ୩୨ ବର୍ଷିୟ ହାଦିଙ୍କ ଜୀବନ ଚାଲି ଯାଇ ଥିଲା।

ହାଦି ଆଗାମୀ ଆମ୍ ନିର୍ବାଚନରେ ପ୍ରାର୍ଥୀ ଥିଲେ ଏବଂ ତାଙ୍କର ମୃତ୍ୟୁ ପରେ ଢାକା ସମେତ ଅନେକ ସହରରେ ହିଂସାକାଣ୍ଡ ଘଟଣା ଉପୁଜି ଥିଲା। ଅନ୍ତରୀଣ ସରକାର ତାଙ୍କର ମୃତ୍ୟୁରେ ଦେଶବ୍ୟାପୀ ଶୋକ ଦିବସର ଘୋଷଣା କରିଥିଲେ ଏବଂ ଆକ୍ରମଣକାରୀଙ୍କୁ ଶୀଘ୍ର ଧରିବାରୁ ପ୍ରତିଶ୍ରୁତି ଦେଇଥିଲେ।

ହାଦିଙ୍କ ପରେ ନିକଟରେ ପ୍ରବଳ ଉତ୍ତେଜନା ମଧ୍ୟରେ ଦଙ୍ଗାକାରୀ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ରଙ୍କୁ ନିଷ୍ଠୁର ଭାବେ ପିଟି ପିଟି ହତ୍ୟା କରିଥିଲେ। ହିନ୍ଦୁ ଯୁବକଙ୍କର ହତ୍ୟା ପରେ ଉତ୍ତେଜନା ଆହୁରି ବଢି ଯାଇଛି। ଅଭିଯୋଗ କରାଯାଇଛି ଯେ, ଦୀପୁ ଚନ୍ଦ୍ର ବିଶ୍ୱ ଆରବୀ ଭାଷା ଦିବସ ଅବସରରେ କାରଖାନାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବେଳେ ଇସଲାମ ଓ ପେଗାମ୍ୱର ମହମ୍ମଦଙ୍କ ବିଷୟରେ ଅପମାନଜନକ ଟିପ୍ପଣୀ କରିଥିଲେ। ଏହାପରେ କ୍ଷେତ୍ରରେ ଉତ୍ତେଜନା ବଢି ଯାଇଛି ଏବଂ କ୍ରୋଧିତ ଦଙ୍ଗାକାରୀ ତାଙ୍କୁ ହତ୍ୟା କରିଛନ୍ତି।