ନୂଆଦିଲ୍ଲୀ,୧୫/୧୨: ମଣିପୁରରେ ପୁଣି ଦେଖିବାକୁ ମିଳିଛି ହିଂସା । ବିହାରର ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଉଗ୍ରବାଦୀ । ଯାହାକୁ ନେଇ ଚାରିଆଡ଼େ ଖେଳିଯାଇଛି ଆତଙ୍କ । ତେବେ ମଣିପୁରର କାକଚିଙ୍ଗ ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସୁଛି। ଦୁଇ ଜଣ ପ୍ରବାସୀ ଶ୍ରମିକ କାମରୁ ଘରକୁ ଫେରୁଥିବା ବେଳେ ଉଗ୍ରବାଦୀମାନେ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ତେବେ ମଣିପୁର ପୋଲିସ ମୁତାବକ ଘଟଣାଟି ଗତାକଲି ସନ୍ଧ୍ୟା ୫.୨୦ ସମୟରେ ଘଟିଥିବା ସୂଚନା ମିଳିଛି।
ସୂଚନା ମୁତାବକ, କାକଚିଙ୍ଗ ଜିଲ୍ଲାର କେଇରାକରେ ନିର୍ମାଣ କାର୍ଯ୍ୟ କରି ସେଠାରୁ ଉଭୟ ଶ୍ରମିକ ସାଇକେଲ ଯୋଗେ ନିଜ ଭଡ଼ା ଘରକୁ ଫେରୁଥିଲେ। ଏତିକି ବେଳେ ରାସ୍ତା ଉପରେ ହିଁ ଉଗ୍ରବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଉଭୟ ଟଳି ପଡିଥିଲେ। ସେପଟେ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଏହି ଘଟଣା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଘଟିଛି। ତେବେ ମୃତକମାନେ ହେଲେ ସୁନାଲାଲ କୁମାର ଏବଂ ଦାଶରଥ କୁମାର ବୋଲି ଜଣାପଡିଛି। ପୋଲିସ ମୁତାବକ ଉଭୟ ବିହାରର ଗୋପାଳଗଞ୍ଜ ଜିଲ୍ଲାର ରାଜୱାହି ଗାଁର ବାସିନ୍ଦା। ପ୍ରକାଶ ଥାଉକି, ଗତବର୍ଷ ମେ ମାସରୁ ମଣିପୁରରେ ହିଂସା ଲାଗି ରହିଛି ।