ଭୁବନେଶ୍ଵର, ୧୭/୧୦ : କ୍ଷଣସ୍ଥାୟୀ ଜୀବନରେ ଅମରତ୍ଵ ପ୍ରାପ୍ତିର ଅଭିଳାଷ। ବୟସକୁ ଧିମା କରି ମୃତ୍ୟୁକୁ ମାତ୍ ଦେବାକୁ ଚେଷ୍ଟା। ଲଣ୍ଡନର ଯୁବ ଡାକ୍ତର ମହମ୍ମଦ ଇନାୟତଙ୍କ ଅସ୍ଵାଭାବିକ ପଦକ୍ଷେପ। ଇଞ୍ଜେଇକ୍ସନ ମାଧ୍ୟମରେ ନିଜ ଶରୀରରେ ଛାଡ଼ୁଛନ୍ତି ଘୁଷୁରି ମସ୍ତିଷ୍କର ଏକ ତତ୍ତ୍ଵ। ଦିନକୁ କରୁଛନ୍ତି କେବଳ ଦୁଇ ଥର ଭୋଜନ। ୪୧ ବର୍ଷ ବୟସରେ ଦେଖାଯାଉଛନ୍ତି ୩୫ ବର୍ଷର ଯୁବକ। ଭିନ୍ନ ଏବଂ ବିବାଦୀୟ ଲଙ୍ଗଜିଭିଟି ଥେରାପି ପାଇଁ ଏବେ ଚର୍ଚ୍ଚାରେ ଡାକ୍ତର। 

ସମସ୍ତେ ସୁସ୍ଥ ଓ ନିରାମୟ ଜୀବନର ଅଭିଳାଷ ରଖନ୍ତି, କିନ୍ତୁ ଦୀର୍ଘଜୀବୀ ହେବା ଭଗବାନଙ୍କ ହାତର କଥା। ହେଲେ ଲଣ୍ଡନର ଜଣେ ୪୧ ବର୍ଷୀୟ ଡାକ୍ତର ମହମ୍ମଦ ଇନାୟତ ଏହାକୁ ଭୁଲ୍ ପ୍ରମାଣିତ କରିବାକୁ ଅସ୍ଵାଭାବିକ ଚେଷ୍ଟା କରୁଛନ୍ତି। ସେ ମୃତ୍ୟୁକୁ ମାତ୍ ଦେଇ ଅମର ହେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଅଜବ ଗଜବ ପନ୍ଥା ଆପଣେଇଛନ୍ତି। ଯାହାଦ୍ଵାରା ସେ ଦୀର୍ଘଜୀବୀ ହୋଇପାରିବେ ଓ ବିଳମ୍ଵରେ ତାଙ୍କର ମୃତ୍ୟୁ ହେବ। ଏଥିପାଇଁ ସେ ଘୁଷୁରି ମସ୍ତିଷ୍କରୁ ସେରେବ୍ରୋଲାଇସିନ୍‌ ନାମକ ଏକ ପେପ୍‌ଟାଇଡ୍‌ ଯୌଗିକକୁ ସେ ଇଞ୍ଜେକ୍ସନ୍‌ ଜରିଆରେ ଗ୍ରହଣ କରୁଛନ୍ତି। ଏହା ମସ୍ତିଷ୍କ ସ୍ୱାସ୍ଥ୍ୟକୁ ସମର୍ଥନ କରିବା ସହିତ ବୟସ ବୃଦ୍ଧିକୁ ରୋକୁଥିବା ସେ କୁହନ୍ତି। ଇନାୟତଙ୍କ ଏହି ଲଙ୍ଗଜିଭିଟି ଥେରାପିକୁ ନେଇ ବିବାଦ ଉଠିଛି। 

ମହମ୍ମଦ ଇନାୟତ ସାଉଥ୍‌ କେନ୍‌ସିଙ୍ଗଟନ୍‌ରେ ହମ୍‌୨ଏନ୍‌ ଲନ୍‌ଜିଭିଟି ନାମକ କ୍ଲିନିକ୍‌ ଚଳାଉଛନ୍ତି। ସେ ‘ଦୀର୍ଘାୟୁ ଚିକିତ୍ସା’ କ୍ଷେତ୍ରରେ  ଆଗରେ ରହିଛନ୍ତି। ତାଙ୍କର ମିଶନ ଦୀର୍ଘ ଜୀବନ ନିର୍ବାହ କରିବା, ସୁସ୍ଥ ଓ ସକ୍ରିୟ ଜୀବନ ଜିଇଁବା ପାଇଁ ସହାୟକ ହେଉଥିବା ସେ ଦାବି କରିଛନ୍ତି। ସେ ତାଙ୍କ ଦୈନନ୍ଦିନ ଜୀବନରେ ଅନେକ ଚିକିତ୍ସା ଓ  ସପ୍ଲିମେଣ୍ଟ୍‌କୁ ସାମିଲ କରିଛନ୍ତି। ଯେପରିକି ହାଇପରବାରିକ୍‌ ଅକ୍ସିଜେନ୍‌ ଥେରାପି। ଏଥିରେ ରୋଗମୁକ୍ତି ଓ ଉପଷମ ଲାଗି ସେ ଏକ ଚାପଯୁକ୍ତ ଚାମ୍ବରରେ ଶୁଦ୍ଧ ଅମ୍ଳଜାନ ଗ୍ରହଣ କରନ୍ତି। ଏଥିସହିତ ସେ ନିୟମିତ ଭିଟାମିନ୍‌ ସି ଓ  ମ୍ୟାଗ୍ନେସିୟମ୍‌ଯୁକ୍ତ ଇଣ୍ଟ୍ରାଭେନସ୍‌ ନ୍ୟୁଟ୍ରିଏଣ୍ଟ୍‌  ଡ୍ରିପ୍‌ ମଧ୍ୟ ନେଉଛନ୍ତି । 

ନିଜ ଶରୀରର ପ୍ରତ୍ୟେକ ପ୍ରଣାଳୀର କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ଡା. ଇନାୟତ ପ୍ରତି ବର୍ଷ ରକ୍ତ ପରୀକ୍ଷା କରାଉଛନ୍ତି। କେଶ ଝଡ଼ିବା ରୋକିବାକୁ ସେ ଏକ୍ସୋଜୋମ୍‌ ଥେରାପି ନେଉଛନ୍ତି। ଚିନ୍ତାମୁକ୍ତ ହେବାକୁ ଧ୍ୟାନ, ଶ୍ୱାସ ସମ୍ବନ୍ଧୀୟ ବ୍ୟାୟାମ ସମେତ ଦୈନନ୍ଦିନ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି। ଅନାବଶ୍ୟକ ମାନସିକ ଚାପଠୁ ଦୂରରେ ରହିବାକୁ ସୋସିଆଲ ମିଡିଆର କମ୍ ବ୍ୟବହାର କରୁଛନ୍ତି। ଡା. ଇନାୟତ କହନ୍ତି ‘ବୟସ ବୃଦ୍ଧି ରୋଗର ମୂଳ କାରଣ । ରୋଗ ଜୀବନର ଗୁଣବତ୍ତାକୁ ଧିମା କରେ। ତେଣୁ ବୟସକୁ ଧିମା କରିବା ଓ ସୁସ୍ଥ ରହିବା ମୋର  ଲକ୍ଷ୍ୟ।’