ନୂଆଦିଲ୍ଲୀ,୨୫/୪ : ପ୍ରାୟତଃ କୁହାଯାଏ ଯେ ଝିଅମାନେ ତାଙ୍କ ବାପାଙ୍କ ହୃଦୟର ସବୁଠାରୁ ନିକଟତର ହୋଇଥା । ନିକଟରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହା ଏହି ଘଟଣାକୁ ଆହୁରି ସୁନ୍ଦର ଭାବେ ଦର୍ଶାଉଛି । ଭିଡିଓରେ, ଜଣେ ବାପା ତାଙ୍କ ଛୋଟ ଝିଅ ପାଇଁ ଏପରି କିଛି କରୁଥିବା ଦେଖାଯାଉଛି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଛି । ସେ ତାଙ୍କ ଝିଅର ଛୋଟ ପାଦ ଚିହ୍ନକୁ ତାଙ୍କ ହାତରେ ସ୍ଥାୟୀ ଭାବରେ ଟାଟୁ କରାଇଛନ୍ତି । ଏହା କେବଳ ଏକ ଟାଟୁ ନୁହେଁ, ବରଂ ଜଣେ ବାପାର ଝିଅ ପ୍ରତି ଥିବା ଅତୁଟ ଭଲପାଇବା ।
ଭିଡିଓଟି ଏଭଳି କିଛି ଆରମ୍ଭ ହେଉଛି, ଜଣେ ବାପା ତାଙ୍କ ଝିଅର ଛୋଟ ପାଦକୁ ସତର୍କତାର ସହ ଏବଂ ସ୍ନେହରେ ଧରି ଏହାର ଚିହ୍ନକୁ ତାଙ୍କ ହାତରେ ନେବାକୁ ଚେଷ୍ଟା କରୁଛନ୍ତି । ସେହି ମୁହୂର୍ତ୍ତରେ ତାଙ୍କ ଆଖିରେ ଏକ ସ୍ନେହ ଭରା ଭାବନା ଦେଖାଯାଉଛି । ତା’ପରେ ସେ ଚିହ୍ନଟିକୁ ଜଣେ ଟାଟୁ କଳାକାରଙ୍କ ପାଖକୁ ନେଇଯାଉଛନ୍ତି ଯାହା ଦ୍ୱାରା ଏହା ତାଙ୍କ ହାତରେ ସ୍ଥାୟୀ ଭାବରେ ଖୋଦିତ ହୋଇପାରିବ । ଯେତେବେଳେ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ଟାଟୁଟି ହାତରେ ଅଙ୍କା ଯାଉଛି ସେତେବେଳେ ଏକ ସୁନ୍ଦର ଦୃଶ୍ୟ ସାମ୍ନାକୁ ଆସୁଛି । ଯାହା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଉଛି ।
ଏହି ସମସ୍ତ ଦୃଶ୍ୟର ସବୁଠାରୁ ବିଶେଷ କଥା ହେଉଛି ଏହା କେବଳ ଏକ କଳାକୃତି ନୁହେଁ, ବରଂ ଜଣେ ବାପାଙ୍କ ହୃଦୟର ଗଭୀରତାକୁ ପ୍ରତିଫଳିତ କରୁଛି । ଆଜିର ଦୁନିଆରେ ଲୋକମାନେ ନିଜ ନିଜ କାମ ଏବଂ ଦାୟିତ୍ୱରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସମ୍ପର୍କ ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡ଼ୁଛି । ଏହି ଭିଡିଓ ଏକ ଅନନ୍ୟ ବାର୍ତ୍ତା ପଠାଉଛି । ଏହା ଆମକୁ ମନେ ପକାଇ ଦେଉଛି ଯେ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନେ ହେଉଛନ୍ତି ଆମର ପ୍ରିୟ ଜନ ଏବଂ ସେମାନଙ୍କ ସହ ବିତାଇଥିବା ମୁହୂର୍ତ୍ତ ଗୁଡ଼ିକ ପ୍ରକୃତରେ ଅର୍ଥପୂର୍ଣ୍ଣ । ଏହି ଭିଡିଓଟି ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ପ୍ରାୟ ଏବେ ପର୍ଯ୍ୟନ୍ତ ୨୮କୋଟିରୁ ଅଧିକ ଲୋକ ଦେଖି ସାରିଲେଣି ।