ନୂଆଦିଲ୍ଲୀ,୧୧।୧: ଭଦୋଦରାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବଡ଼ ରେକର୍ଡ । ଆଜିର ମ୍ୟାଚ୍‌ରେ ୨୫ ରନ୍ କରି ହାସଲ କରିଛନ୍ତି ଏହି ବଡ଼ ଉପଲବ୍ଧି। ଏହି ସଫଳତା ସହ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦୃତତମ ୨୮,୦୦୦ ରନ୍ ପୂରଣ କରିଥିବା ଦୁନିଆର ତୃତୀୟ ବ୍ୟାଟର ପାଲଟିଛନ୍ତି। କେବଳ ସେତିକି ନୁହେଁ ସେ ଏହି ରେକର୍ଡ ସବୁଠାରୁ କମ୍ ଇନିଂସରେ ହାସଲ କରିଛନ୍ତି। ପୂର୍ବରୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ସଚିନ୍ ତେନ୍ଦୁଲକର ଏବଂ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗାକାରା ଏହି ସଫଳତା କରିଛନ୍ତି।

ବିରାଟ କୋହଲି ଏବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୨୮,୦୦୦ ରନ୍ ହାସଲ କରିବାରେ ଦ୍ରୁତତମ ବ୍ୟାଟର ହୋଇଛନ୍ତି। ସେ ସଚିନ୍ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ସଚିନ୍ ତେନ୍ଦୁଲକର ୬୪୪ ଇନିଂସ୍ରେ ୨୮,୦୦୦ ରନ୍ ହାସଲ କରିଥିଲେ। ସେଭଳି କୁମାର ସାଙ୍ଗାକାରା ୬୬୬ ଇନିଂସ୍ରେ ଏହି ସଫଳତା ହାସଲ କରିଥିଲେ। ତେବେ ବିରାଟ୍ ତାଙ୍କର ୬୨୪ତମ ଇନିଂସ୍‌ରେ ଏହି ସଫଳତା ହାସଲ କରିଛନ୍ତି।

ବିରାଟ କୋହଲି ନିଜର ଇନିଂସରେ ୪୨ ରନ୍ କରି ଶ୍ରୀଲଙ୍କାର କୁମାର ସଙ୍ଗାକାରାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରିଥିବା ଦୁନିଆର ଦ୍ବିତୀୟ ବ୍ୟାଟର ପାଲଟିଛନ୍ତି। ସେ ପୂର୍ବରୁ କେବଳ ସଚିନ ତେନ୍ଦୁଲକରଙ୍କ ନାଁ ରହିଛି। ସଚିନ ତାଙ୍କ କ୍ୟାରିୟରରେ ମୋଟ ୩୪୩୫୭ ରନ୍ କରିଛନ୍ତି ଓ ଦୀର୍ଘ ସମୟ ଧରି ଶୀର୍ଷରେ ରହିଛନ୍ତି। ଶ୍ରୀଲଙ୍କାର ମହାନ ବ୍ୟାଟର କୁମାର ସଙ୍ଗାକାରା ମଧ୍ୟ ବହୁ ବର୍ଷ ହେବ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୮୦୧୬ ରନ୍ କରିଥିଲେ,ଯାହାକୁ କୋହଲି ଏବେ ଭାଙ୍ଗିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ଟପ୍-୫ ବ୍ୟାଟର

ସଚିନ ତେନ୍ଦୁଲକର- ୩୪୩୫୭

ବିରାଟ କୋହଲି-୨୮୦୧୭ +

କୁମାର ସଙ୍ଗାକାରା-୨୮୦୧୬

ରିକି ପଣ୍ଟିଂ- ୨୭୪୮୩

ମହିଳା ଜୟବର୍ଦ୍ଧନେ -୨୫୯୫୭