ନୂଆଦିଲ୍ଲୀ,୨୩/୦୩; ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ, ରୋହିତ ଶର୍ମାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ । ଠିକ୍ ସେମିତି ବିରାଟ କୋହଲିଙ୍କ ପାଇଁ ଆରସିବି ବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ରାଣ୍ଡ୍ ଭାଲ୍ୟୁ ବେଶ ଆକାଶ ଛୁଆଁ । ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଲେଖାଏଁ ଚାମ୍ପିଅନ ହୋଇ ସାରା ବିଶ୍ୱରେ ଯେଉଁଭଳି ଲୋକପ୍ରିୟତା ହାସଲ କରିଛନ୍ତି, ଆରସିବି ଥରୁଟିଏ ଚାମ୍ପିଅନ ହୋଇ ମଧ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କୁ ପଛରେ ପକାଇ ଲୋକପ୍ରିୟତାର ଶୀର୍ଷ ସ୍ଥାନରେ ରହିଛି । ଦଳ ବାରମ୍ବାର ବିଫଳ ହେଉଥିଲେ ବି ପ୍ରଶଂସକ ଆଦୌ ନିରୁତ୍ସାହିତ ହେଉ ନଥିଲେ । ବରଂ ପ୍ରତି ସଂସ୍କରଣରେ ଅଧିକରୁ ଅଧିକ ସମର୍ଥକ ଯୋଡ଼ି ହେଉଥିଲେ । ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା ଏବଂ ୧୮ ବର୍ଷ ପରେ ଆରସିବି ଆଇପିଏଲରେ ଚାମ୍ପିଅନ ହେବାର ଗୌରବ ଲାଭ କଲା ।

ସବୁଠୁ ବଡ଼ କଥା ହେଉଛି, ବିରାଟ କୋହଲି ଆରମ୍ଭରୁ ଆରସିବି ସହ ରହିଛନ୍ତି । ଜୀବନରେ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ବିଶ୍ୱ ଚାମ୍ପିଅନ ହୋଇଥିଲେ ବି ଆଇପିଏଲ ଟାଇଟଲ ଛୁଇଁବାର ସୌଭାଗ୍ୟ ପାଇ ନଥିଲେ । ଶେଷରେ ରଜତ ପାତିଦାରଙ୍କ ନେତୃତ୍ୱରେ ଆରସିବି ଏବଂ କୋହଲିଙ୍କର ସ୍ୱପ୍ନ ସାକାର ହୋଇଥିଲା । ଆରସିବି ଡିଫେଣ୍ଡିଂ ଚାମ୍ପିଅନ, ଟାଇଟଲ ବଜାୟ ରଖିବା ନେଇ ଦଳର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି ।

ଅଭ୍ୟାସରେ ଭେଟେରାନ କୋହଲି ସମସ୍ତଙ୍କୁ ସମ୍ବୋଧିତ କରି ବହୁ ବଡ଼ ବାର୍ତ୍ତା ଦେଇଛନ୍ତି । ଯାହାକୁ ନେଇ ପ୍ରଶଂସକ ମଧ୍ୟ ଉତ୍ସାହିତ ହୋଇ ପଡ଼ିଛନ୍ତି । କୋହଲି କହିଛନ୍ତି, ‘ଗତ ସିଜନରେ ଆମେ ଯେଉଁ ସଫଳତା ହାସଲ କଲୁ, ସେଥିପାଇଁ ବିଗତ ୩ ସିଜନରୁ ଊଦ୍ଧ୍ୱର୍ ସମୟ ଧରି କଠିନ ପରିଶ୍ରମ କରି ଆସିଛୁ । କାରଣ ଆମ ସାମ୍ନାରେ ଯେଉଁ ଦଳ ଗୁଡ଼ିକ ଥିଲେ ସେମାନେ ବି ଶକ୍ତିଶାଳୀ ଥିଲେ । ପୂର୍ବରୁ ଆମେ ଯେଉଁଭଳି ପରିଶ୍ରମ କରି ଆସିଛୁ, ଠିକ୍ ସେମିତି ଆଗକୁ ମଧ୍ୟ ଜାରି ରଖିବା । ଟାଇଟଲ ବଜାୟ ରଖିବାକୁ ହେଲେ ଆମକୁ ୧୨୦ ପ୍ରତିଶତ ପ୍ରଦର୍ଶନ ଦେବାକୁ ହେବ ।’

ଆରସିବି ପାଇଁ ୮୬୬୧ ରନ୍- ଗୋଟିଏ ଦଳରେ ପୂରା କ୍ୟାରିୟର, କିଛି କମ୍ କଥା ନୁହେଁ । ଚାହିଁଥିଲେ କୋହଲି ଅଧିକ ମୂଲ୍ୟରେ ଅନ୍ୟ ଦଳକୁ ବି ଯାଇପାରି ଥାନ୍ତେ । କିନ୍ତୁ ସେ କେବେ ସେ କଥା ଚିନ୍ତା କରି ନାହାନ୍ତି । କୋହଲି ଦଳର ସବୁଠୁ ଦାମୀ ଖେଳାଳି । ସେ ୨୧ କୋଟି ଟଙ୍କାରେ ରହିଛନ୍ତି । ଆରସିବି ପକ୍ଷରୁ କୋହଲି ୨୬୭ଟି ମ୍ୟାଚ ଖେଳି ୮୬୬୧ ରନ (୮ ଶତକ, ୬୩ ଅର୍ଦ୍ଧଶତକ) କରିଛନ୍ତି । ଆଭରେଜ ୩୯.୫୪ ରହିଛି । ଅପରାଜିତ ୧୧୩ ହେଉଛି ତାଙ୍କର ସର୍ବାଧିକ ସ୍କୋର । ବୋଲିଂ କରି ସେ ୪ଟି ୱିକେଟ୍ ବି ପାଇଛନ୍ତି । କୋହଲି ୨୦୧୩ ସିଜନରେ ୬୩୪, ୨୦୧୬ରେ ୯୭୩, ୨୦୨୩ରେ ୬୩୯, ୨୦୨୪ରେ ୭୪୧ ଏବଂ ୨୦୨୫ ସଂସ୍କରଣରେ ମୋଟ ୬୫୭ ରନ କରିଥିଲେ । ୨୦୧୬ ସଂସ୍କରଣରେ ସର୍ବାଧିକ ୪ଟି ଶତକ ମାରିଥିଲେ ।

ଏହା ବି ପଢନ୍ତୁ...ହଳଦିଆ ଜର୍ସିର ଦୁଇ ଅମୂଲ୍ୟ ହୀରା...ସିଏସକେ ହଲ୍ ଅଫ୍ ଫେମ୍ରେ ସାମିଲ ରାଇନା-ହେଡେନ

ପୁଣି ଆମେ ଜିତିବୁ: କୋଚ ଆରସିବି ମୁଖ୍ୟ କୋଚ ଆଣ୍ଡି ଫ୍ଲାୱାର କହିଛନ୍ତି, ‘ଚଳିତ ବର୍ଷ ଆମ ଜର୍ସିରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ପାଇବେ । ତାହା ହେଲା ଷ୍ଟାର ବା ତାରକା ଚିହ୍ନ । ଏହା ସମସ୍ତ ଆରସିବି ପ୍ରଶଂସକଙ୍କ ପାଇଁ ବର୍ଗର ବିଷୟ । କିନ୍ତୁ ସେ ସିଜନ ତ ଯାଇଛି । ନୂଆ ସିଜନରେ ଆମ ପାଇଁ ନୂଆ ଆହ୍ୱାନ ରହିଛି । ଆମେ ବେଶ ଉତ୍ସାହିତ ରହିଛୁ ଏବଂ ଚଳିତ ସିଜନରେ ମଧ୍ୟ ଆମେ ଚାମ୍ପିଅନ ହେବାକୁ ଚାହୁଁ । ଭେଟେରାନ ବିରାଟ କୋହଲି ଏବଂ ଅଧିନାୟକ ରଜତ ପାତିଦାରଙ୍କ ପାଇଁ ଆମେ ଗର୍ବିତ ।’ ଆସନ୍ତା ୨୮ ତାରିଖରେ ଆରସିବି ନିଜ ଘରୋଇ ଗ୍ରାଉଣ୍ଡରୁ ସନ୍‌ରାଇଜର୍ସ ବିପକ୍ଷରେ ସିଜନ ଆରମ୍ଭ କରିବ । ତେଣୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳ ତା’ର ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛି ।