ନୂଆଦିଲ୍ଲୀ,୦୬/୧୨; ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଦୁଇ ଦିନିଆ ଭାରତ ଗସ୍ତ ସାରି ମସ୍କୋ ଫେରିଛନ୍ତି । ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଉଭୟ ଦେଶ ଆତଙ୍କବାଦ, ଆର୍ଥିକ ଚ୍ୟାଲେଞ୍ଜ ଏବଂ ଐତିହ୍ୟର ମିଳିତ ମୁକାବିଲା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ଭାରତ ଛାଡିବା ପୂର୍ବରୁ ରୁଷ୍ ରାଷ୍ଟ୍ରପତି ପୁଟିନ୍ ପାକିସ୍ତାନକୁ ଏକ କଡା ବର୍ତ୍ତା ଦେଇଛନ୍ତି । ଆଫଗାନିସ୍ତାନର ପ୍ରଶଂସା କରି ତାଲିବାନ ସରକାର ଆତଙ୍କବାଦ ବିରୋଧରେ ଲଢିବାକୁ ଦୃଢ ପଦକ୍ଷେପ ନେଇଛି । ଏହି କାରଣରୁ ରୁଷ୍ ଏହି ସରକାରଙ୍କୁ ସ୍ୱୀକୃତି ଦେଇଥିବା କହିଛନ୍ତି । ଆଫଗାନିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରି ଆସୁଛି ପାକିସ୍ତାନ । ଗତ ଦୁଇମାସ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି । ଏହାରି ଭିତରେ ପୁଟିନ୍ଙ୍କର ଏହି ବାର୍ତ୍ତା ପାକିସ୍ତାନ ପାଇଁ ଝଟକା ପରି ହୋଇଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୁଟିନ୍ କହିଛନ୍ତି ଯେ,'' ସମସ୍ତ ଦେଶରେ ସମସ୍ୟା ଅଛି । ଆଫଗାନିସ୍ତାନ ଭିନ୍ନ ନୁହେଁ । ଦଶନ୍ଧି ଧରି ଦେଶ ଗୃହଯୁଦ୍ଧ ସହିତ ସଂଘର୍ଷ କରୁଛି । କିନ୍ତୁ ତାଲିବାନ ଆଫଗାନିସ୍ତାନର ନିୟନ୍ତ୍ରଣ ନେଇଛି । ଏହା ଗ୍ରହଣ କରିବାକୁ ପଡିବ, କାରଣ ଏହା ସତ୍ୟ । ଆତଙ୍କବାଦ ବିରୋଧରେ ଲଢବା ପାଇଁ ଆଫଗାନିସ୍ତାନ ସରକାର ପ୍ରମୁଖ ପ୍ରଦକ୍ଷେପ ନେଇଛନ୍ତି । ଆଫଗାନିସ୍ତାନରେ ତାଲିବାନ ସରକାରକୁ ସ୍ୱୀକୃତି ଦେବାରେ ରୁଷ୍ ହେଉଛି ପ୍ରଥମ ଦେଶ । ଅଫିମ ଉତ୍ପାଦକୁ ନିଷିଦ୍ଧ କରିଛି ଆଫଗାନ ସରକାର । ସେମାନେ ନିଶା ଚ୍ୟାଲେଞ୍ଜର ଦୃଢ ମୁକାବିଲା କରୁଛନ୍ତି । ଆହୁରି ଅନେକ କ୍ଷେତ୍ର ଅଛି ଯେଉଁଠାରେ ତାଲିବାନ ସରକାର ବହୁତ ଭଲ କାମ କରୁଛି ।''

ଭାରତକୁ ନେଇ ପୁଟିନ୍ କହିଛନ୍ତି, ଭାରତର ଅର୍ଥନୀତି ବଦଳିଛି । ଏକ ଅଂଶୀଦାର ଭାବରେ କ୍ଷମତା ବଦଳିଛି । କିନ୍ତୁ ଗୋଟିଏ କଥା ରହିଛି, ବନ୍ଧୁତା ଏବଂ ପାରସ୍ପରିକ ସହଯୋଗ ବିକାଶରେ ଉଭୟ ଦେଶର ଆଗ୍ରହ । ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଶୁକ୍ରବାର ଅନୁଷ୍ଠିତ ଭାରତ-ରୁଷ ୨୩ତମ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ । ବୈଠକ ଅବସରରେ ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରବାର, ପ୍ରତିରକ୍ଷା ସହଯୋଗ ଓ ତୈଳ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ପୁଟିନ୍ ଏହି ଅବସରରେ ଆସନ୍ତାବର୍ଷ ମସ୍କୋରେ ହେବାକୁ ଥିବା ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି  ।